Latest Odisha News

BREAKING NEWS

ଆସନ୍ତୁ ଜାଣିବା କିଏ ସେ ନାଭଲନୀ, ଯିଏ ପୁତିନଙ୍କ ପାଇଁ ଚିନ୍ତାର କାରଣ ସାଜିଥିଲେ

ମସ୍କୋ: ରୁଷିଆରେ ଭ୍ଲାଡିମିର ପୁତିନଙ୍କ ବିରୋଧୀ ଭାବେ ପରିଚିତ ରାଜନେତା ଅଲେକ୍ସି ନାଭଲନୀଙ୍କ ପରଲୋକ ହୋଇଯିବା ସାରା ବିଶ୍ୱକୁ ଚକିତ କରିଛି । ରୁଷ ଅଧିକାରୀଙ୍କ ଅନୁସାରେ ଶୁକ୍ରବାର ଜେଲରେ ତାଙ୍କର ମୃତ୍ୟୁ ଘଟିଥିଲା । ସଂଯୁକ୍ତ ରାଷ୍ଟ୍ର ଏହି ମୃତ୍ୟୁର ନିରପେକ୍ଷ ଯାଂଚ ହେବା ଉଚିତ ବୋଲି କହିଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏଥିପାଇଁ ରୁଷ ରାଷ୍ଟ୍ରପତି ପୁତିନଙ୍କୁ ସିଧାସଳଖ ଦାୟୀ କରିଛନ୍ତି । ତେବେ ଏ ନାଭଲନୀ କିଏ ? ଆସନ୍ତୁ ଜାଣିବା ତାଙ୍କ ସମ୍ପର୍କରେ..

୪ ଜୁନ ୧୯୭୬ରେ ତାଙ୍କର ଜନ୍ମ ହୋଇଥିଲା । ନଭଲନୀଙ୍କ ପିତା ମାତା ମଧ୍ୟ ସୋଭିଏଟ ଶାସନକୁ ବିରୋଧ କରିଥିଲେ । ଆଇନ ଛାତ୍ର ଭାବେ ପାଠ ଶେଷ କରିବା ପରେ ସେ ରିୟଲ ଇଷ୍ଟେଟରେ ଓକିଲ ଭାବେ କାର୍ଯ୍ୟ କରିଥିଲେ । ୨୦୦୦ରେ ସେ ରାଜନୈତିକ ଦଳ ୟାବ୍ଲୋକରେ ସାମିଲ ହୋଇଥିଲେ । ସେ ସମୟରେ ପୁତିନ ରୁଷ ରାଷ୍ଟ୍ରପତି ଥିଲେ । ଆରମ୍ଭରୁ ସେ ପୁତିନଙ୍କୁ ବିରୋଧ କରିବା ଆରମ୍ଭ କରିଥିଲେ ।

ମସ୍କୋ ନିର୍ମାଣ ପରିଯୋଜନା ନେଇ ଉଭୟ ମୁହାଁ ମୁହିଁ ହୋଇଥିଲେ । ସେ ଏକ ରେଡିଓ ଶୋ ଆରମ୍ଭ କରିବା ସହ ବ୍ଲଗର ଭାବେ କାର୍ଯ୍ୟ କରିଥିଲେ । ଏଥିରେ ପୁତିନଙ୍କ ସମର୍ଥକଙ୍କୁ ସମାଲୋଚନା କରାଯାଉଥିଲା । ୨୦୧୩ରେ ନାଭଲନୀ ମସ୍କୋ ମେୟର ପଦ ନିର୍ବାଚନ ଲଢ଼ିଥିଲେ । ତାଙ୍କୁ ୨୭ ପ୍ରତିଶତ ଭୋଟ ମିଳିଥିଲା । ସେ ୨୦୧୮ରେ ପୁତିନଙ୍କ ବିରୋଧରେ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବା ପାଇଁ ପ୍ରସ୍ତୁତ ହୋଇଥିଲେ । ତେବେ ଏକ ଅର୍ଥ ହେରଫେର ମାମଲାରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲା । ସେ ରାଷ୍ଟ୍ରପତି ଦୌଡରୁ ବାଦ ପଡିଥିଲେ । ଏହା ପରେ ପୁତିନଙ୍କ ବିରୋଧରେ ସେ ସାରା ଦେଶରେ ଅଭିଯାନ ଆରମ୍ଭ କରିଥିଲେ । ମାତ୍ର ମନି ଲଣ୍ଡ୍ରିଂ ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା ।

୨୦୨୦ରେ ସାଇବେରିୟା ଗସ୍ତ ଅବସରରେ ତାଙ୍କୁ ବିଷ ଦେଇ ମାରିବା ଉଦ୍ୟମ ହୋଇଥିଲା । ସେ ଏକ ୟୁଟ୍ୟୁବ ଚ୍ୟାନେଲରେ କହିଥିଲେ ଗୋଇନ୍ଦା ଅଧିକାରୀ ତାଙ୍କ ଅଣ୍ଡରୱେୟରରେ ବିଷ ଲଗାଇ ମାରିବା ଷଡଯନ୍ତ୍ର ରଚିଥିଲେ । ୨୦୨୧ରେ ମସ୍କୋ ଫେରିବା ପରେ ତାଙ୍କୁ ପୁନର୍ବାର ଗିରଫ କରାଯାଇଥିଲା । ତାଙ୍କୁ ୨ ବର୍ଷ ଜେଲଦଣ୍ଡ ମିଳିଥିଲା । କଠୋର ଯନ୍ତ୍ରଣା ଦିଆଯାଉଥିବା ନେଇ କୁଖ୍ୟାତ ଜେଲରେ ତାଙ୍କୁ ରଖା ଯାଇଥିଲା । ଜେଲରେ  ସେ ଅନଶନ କରିଥିଲେ ।

୨୦୨୩ରେ ଉଗ୍ରବାଦ ସମର୍ଥନ କରୁଥିବା ନେଇ ତାଙ୍କୁ ୧୯ ବର୍ଷର ଅତିରିକ୍ତ ଜେଲଦଣ୍ଡ ପ୍ରଦାନ କରାଯାଇଥିଲା । ଏହି ଜେଲରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା । ଗତ ବର୍ଷ ଡିସେମ୍ବରରେ ହଠାତ ତାଙ୍କ ଖୋଜ ଖବର ମିଳି ନ ଥିଲା । ପରେ ଜଣାପଡିଲା ତାଙ୍କୁ ଆର୍କାଟିକ ଜେଲକୁ ସ୍ଥାନାନ୍ତରିତ କରାଯାଇଛି । ଚଳିତ ବର୍ଷ ୧୫ ଫେବୃୟାରୀରେ ତାଙ୍କୁ କୋର୍ଟରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା । ଏବେ ଜେଲରେ ବୁଲୁଥିବା ବେଳେ ସେ ବେହୋଶ ହୋଇ ପଡିଯିବା ପରେ ମୃତ୍ୟୁବରଣ କରିଥିଲେ ବୋଲି ଜେଲ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି । ସମସ୍ତ ଅଭିଯୋଗକୁ ଖଣ୍ଡନ କରୁଥିଲେ ମଧ୍ୟ ପୁତିନଙ୍କୁ ପ୍ରତି ସନ୍ଦେହ ରହୁଛି ।

Leave A Reply

Your email address will not be published.