Latest Odisha News

BREAKING NEWS

ମୃତ୍ୟୁ ପୂର୍ବରୁ ଛାତ୍ରଙ୍କ ହ୍ୱାଟସଆପ୍ ଚାଟ୍, ରାଗିଂ ଅଭିଯୋଗକୁ କେମିତି ଅସ୍ୱୀକାର କରିବେ କଲେକ କର୍ତ୍ତୃପକ୍ଷ ?

ବଲାଙ୍ଗୀର: ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରେ ୧୦ ଦିନ ହେବ ଏମବିବିଏସ ପ୍ରଥମ ବର୍ଷରେ ନାମଲେଖାଇଥିବା ଛାତ୍ର ନିଶାନ୍ତ କୁମାରଙ୍କ ମୃତ୍ୟୁ ପଛରେ ରାଗିଂ ଅଭିଯୋଗ ! ଡିନ୍ ଡାକ୍ତର ସବିତା ମହାପାତ୍ର ରାଗିଂ ଅଭିଯୋଗକୁ ମୂଳରୁ ଖାରଜ କରୁଛନ୍ତି। ଏପରି ସ୍ଥିତିରେ ପୁଲିସ ମୃତ୍ୟୁ ଘଟଣାର ପ୍ରକୃତ ଖିଅ ଅଣ୍ଡାଳିବ ତ ? ନା କଲେଜର ଭାବମୂର୍ତ୍ତିକୁ ବଞ୍ଚାଇବାକୁ ଯାଇ ବାହାର ରାଜ୍ୟର ମେଧାବୀ ଛାତ୍ରର ମୃତ୍ୟୁ ଘଟଣାକୁ ଚାପି ଦେବ ତାହା ଏବେ ପ୍ରଶ୍ନ ଘରେରେ ।

ବିନା କୋଚିଂରେ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ନିଜ ଭବିଷ୍ୟତ ଗଢିବା ପାଇଁ ଘରଠୁ ୧୫୦୦ କିଲୋମିଟର ଦୂରରେ ଥିବା ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜର ନାମ ଲେଖାଇଥିଲେ ନିଶାନ୍ତ। ଏବେ ଆଡମିଶନ ହେବାର ୧୦ ଦିନ ପରେ ତାଙ୍କ ମୃତ ଦେହକୁ ନିଜର ପୈତୃକ ଘର ହରିଆଣାର କର୍ଣ୍ଣାଲ ସହରରେ ଥିବା ଘରକୁ ନେଇ ଯାଉଛନ୍ତି ପରିବାର ଲୋକେ ।

ମୃତକଙ୍କ ମା’ର ଆଖିରୁ ଲୁହ ଶୁଖୁନି, ବାପା ସବୁ ଦେଖି ଗୁମୁରି ହୋଇ କାନ୍ଦୁଛନ୍ତି, ସମ୍ପର୍କୀୟ ମଧ୍ୟ ସବୁ ଦେଖି ହତବାକ । ଏହାରି ଭିତରେ ସାମ୍ନାକୁ ଆସିଛି ମୃତ ନିଶାନ୍ତଙ୍କ ମୃତ୍ୟୁ ପୂର୍ବରୁ ସେ ତାଙ୍କ ପରିବାର ଏବଂ ସାଙ୍ଗଙ୍କ ସହ କରିଥିବା କିଛି ହ୍ୱାଟସଆପ ଚାଟିଂ। ଯେଉଁଥିରେ ସେ ଲେଖିଛନ୍ତି କିଭଳି ରାଗିଂର ଶିକାର ହୋଇଥିଲେ। ନିଜ ସାଙ୍ଗକୁ ସେ ମେସେଜ କରି ଏହା ଜଣାଇଥିଲେ । ଘରକୁ ମଧ୍ୟ ଫୋନ କରି ଜଣାଇଥିଲେ । ଯାହା ପରିବାର ଲୋକେ ମଧ୍ୟ ଗତକାଲି ମେଡିକାଲ କଲେଜରେ ପହଁଛି ମିଡିଆକୁ କହିଥିଲେ। ତେବେ କାଳେ ଆକ୍ରୋଶ ରଖି ସିନିଅରମାନେ ଅଧିକ ହଇରାଣ କରିବେ ସେଥିପାଇଁ ସେ ଲିଖିତ ଅଭିଯୋଗ କରିନଥିଲେ ବୋଲି ହ୍ୱାଟସଆପ ଚାଟିଂରୁ ଜଣାପଡିଛି।

ନିଶାନ୍ତଙ୍କ ଚାଟିଂ ଅନୁଯାୟୀ ବଲାଙ୍ଗିର ମେଡିକାଲ କଲେଜର ଭଲିବଲ କୋର୍ଟରେ ଜୁନିଅରମାନଙ୍କୁ ଖେଳିବାର ସୁଯୋଗ ମିଳୁନଥିଲା । ବରଂ ସେମାନଙ୍କୁ ଠିଆ ହୋଇ ଖେଳ ଦେଖିବାକୁ ବାଧ୍ୟ କରାଯାଉଥିଲା । ପାର୍କକୁ ମଧ୍ୟ ସେମାନେ ଯାଇ ପାରୁନଥିଲେ । ଏପରି କରି ସିନିଅର ଛାତ୍ରଛାତ୍ରୀଙ୍କୁ ଖୁସି କରାଇବାକୁ କୁହାଯାଉଥିଲା। ସେହିପରି ମୃତ୍ୟୁ ପୂର୍ବରୁ ନିଶାନ୍ତ ପରିବାର ଲୋକଙ୍କୁ ଫୋନ କରି ଜଣାଇଥିଲେ କି ସେ ରାଗିଂ ପାଇଁ ମାନସିକ ଦୁଶ୍ଚିନ୍ତାରେ ରହିଛନ୍ତି।

କିନ୍ତୁ ଜଣେ ନୂଆ କରି କଲେଜରେ ଆଡମିଶନ ହୋଇଛନ୍ତି ତାଙ୍କୁ କିଏ ଏପରି ରାଗିଂ କଲା ଏବଂ କି ନିର୍ଯାତନା ଦେଲା ? ଘରଠୁ ଦୂରରେ ଥିବାରୁ ଏହି କିଶୋର ଛାତ୍ର ଅଧିକ ଭାବପ୍ରବଣ ଥିଲେ କି ? ନା ନିଶାନ୍ତ କେବଳ ମାନସିକ ନିର୍ଯାତନା ସହିନପାରି ଏପରି ଚରମ ପଦକ୍ଷେପ ନେଲେ ତାହା ମଧ୍ୟ ପ୍ରଶ୍ନ ଘେରରେ ।

ଅପରପକ୍ଷରେ ଏହି ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବାବେଳେ ନିଶାନ୍ତଙ୍କ ବାପା ଥାନାରେ ଏତଲା ଦେଇଛନ୍ତି । କ୍ୟାମ୍ପସକୁ ରାଗିଂ ଫ୍ରି କରାଯିବା ସହ ନିଶାନ୍ତଙ୍କୁ କେଉଁ କେଉଁ ଛାତ୍ରମାନେ ରାଗିଂ କରୁଥିଲେ ତାହାର ତଦନ୍ତ କରି ଦଣ୍ଡ ଦେବାକୁ ରାଗିଂ ଫ୍ରି କ୍ୟାମ୍ପସ ଅଭିଯାନର ଆବାହକ ତେଜେଶ୍ୱର ପରିଡ଼ା ଦାବି କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଦୁଇ ଦିନ ତଳେ କଲେଜ ହଷ୍ଟେଲର ୩୧୨ ନମ୍ବରରେ ରହୁଥିବା ଏହି ମେଧାବୀ ଛାତ୍ର ହଷ୍ଟେଲ ଛାତରୁ ଡେଇଁ ପ୍ରାଣ ହରାଇଛନ୍ତି। ଏହାପରେ ସ୍ଥାନୀୟ ପୁଲିସ ଆସି ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଡିନ୍ ଡାକ୍ତର ସବିତା ମହାପାତ୍ର ରାଗିଂ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ମୃତକଙ୍କ ପରିବାର ଲୋକେ କିନ୍ତୁ ରାଗିଂ ଅଭିଯୋଗ ଆଣିଛନ୍ତି। ଏହାରି ଭିତରେ ପୁଲିସ ମୃତକଙ୍କ ମୋବାଇଲ, ଲାପଟପ ଆଦିକୁ ଜବତ କରି ତଦନ୍ତ କରୁଛି।

Leave A Reply

Your email address will not be published.