Latest Odisha News

BREAKING NEWS

ଭାରତୀୟ ମହିଳା ଲିଗରେ ସାମିଲ୍ ସାଲିଆ ସାହିର ସୁଲେଖା

ନିଜ ଅଭାବ ଅସୁବିଧାକୁ ଆଡେଇ ସୁଲେଖା ଜାତୀୟ ଦଳରେ ସାମିଲ ହେବାକୁ ସ୍ୱପ୍ନ ଦେଖିଛନ୍ତି

ଭୁବନେଶ୍ୱର: କଥାରେ ଅଛି ଦୃଢ ଇଛାଶକ୍ତି ଆଗରେ ସମସ୍ତ ବାଧାବନ୍ଧନ ହାର ମାନେ । ସ୍ୱପ୍ନ ପୂରଣ କରିବା ଲାଗି ବଡଲୋକ ର ମୋହର କିମ୍ବା ଅମାପ ଧନର ଆବଶ୍ୟକତା ନାହିଁ । ବରଂ ଦୃଢ ସଂକଳ୍ପ ଓ କଠିନ ପରିଶ୍ରମ ବଳରେ ଯଦି ଜଣେ ଚାହେଁ ତେବେ ସେ ବିଶ୍ୱବିଜୟୀ ହୋଇପାରେ । ଏହି ଧାରାରେ ଚର୍ଚ୍ଚାକୁ ଆସିଛନ୍ତି ଭୁବନେଶ୍ୱର ସାଲିଆ ସାହିର ସୁଲେଖା କହର । ଯିଏ କି ଭାରତୀୟ ମହିଳା ଲିଗରେ ଖେଳି ରାଜ୍ୟ, ଜିଲ୍ଲା ତଥା ନିଜ ଅଂଚଳ ବାସିନ୍ଦାଙ୍କୁ ଗୌରବାନ୍ୱିତ କରାଇଛନ୍ତି ।

ଝୁମ୍ପୁଡି ଘରେ ରହୁଥିବା ସୁଲେଖା ପିଲାଟି ଦିନୁ ନିଜ ବାପାଙ୍କୁ ହରାଇଥିଲେ । ସେବେଠାରୁ ନିଜ ଝିଅକୁ ବହୁ କଷ୍ଟରେ ପାଳି ଆସିଛନ୍ତି ମାଆ ମିନା ତିର୍କୀ । ୨୦୦୭ରେ ଜନ୍ମିତ ସୁଲେଖା ଏବେ ୧୫ ବର୍ଷ ବୟସରେ ପାଦ ଦେଇଛନ୍ତି । ସୁଲେଖାଙ୍କ ବାପା ଶାନ୍ତନୁ କହର ଜଣେ ଦିନ ମଜୁରିଆ ଥିଲାବେଳେ କଷ୍ଟେମଷ୍ଟେ ତାଙ୍କ ପରିବାର ଚଳିଯାଉଥିଲା । ହେଲେ ଶାନ୍ତନୁଙ୍କ ଅକାଳ ବିୟୋଗ କିନ୍ତୁ ମିନାଙ୍କ ସାହସକୁ ଭାଙ୍ଗିପାରିନଥିଲା ।

ଝିଅ ପେଟର ଭୋକ ମାରିବାକୁ ମିନା ସକାଳୁ ସଂଜ ଯାଏଁ କାମ କରୁଥିଲେ । ଅନ୍ୟପଟେ ସୁଲେଖା ବି ଦିନ ତମାମ ସାହି ସାଥୀଙ୍କ ସହ ଖେଳକୁଦରେ ମାତିଥିଲେ । ଧିରେଧିରେ ଏହି ଖେଳ ନିଶା ଫୁଟବଲ ଆଡକୁ ସୁଲେଖାଙ୍କୁ ବାଟ କଢାଇଥିଲା । ତେବେ ପୁଟବଲ ପ୍ରତି ଝିଅର ଆକର୍ଷଣକୁ ମିନା କେବେ ହେଲେ ବାରଣ କରିଥିଲେ । ବରଂ ଝିଅର ଆଗ୍ରହକୁ ସେ ଉତ୍ସାହ ଦୃଷ୍ଟିରେ ଦେଖିଆସିଥିଲେ ।

ସମୟକ୍ରମେ ସୁଲେଖାଙ୍କ ମାଆ ଦ୍ୱିତୀୟ ବିବାହ କଲେ । ସାହି ପଡିଶାଙ୍କ ଅନୁମାନକୁ ଭୁଲ ପ୍ରମାଣିତ କରି ସୁଲେଖାଙ୍କ ଦ୍ୱିତୀୟ ବାପା ତାଙ୍କୁ ନିଜ ଝିଅ ଭଳି ସ୍ନେହ କଲେ । ସ୍ନେହ ମମତାର ଛାଇ ତଳେ ସୁଲେଖା ସ୍କୁଲ ଯିବା ସହ ସାଲିଆ ସାହି ପଡିଆରେ ନିୟମିତ ଖେଳ ଜାରି ରଖିଥିଲେ । ଦିନେ ବସ୍ତି ପିଲାଙ୍କୁ ନେଇ ଏକ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସେହି ସମୟରେ କୋଚ୍ ଜୟଦେବ ମହାପାତ୍ର ହିଁ ପ୍ରଥମେ ସୁଲେଖାଙ୍କ ପ୍ରତିଭାକୁ ଚିହ୍ନଟ କରିଥିଲେ ।

ସେବେଠୁ ସୁଲେଖା ପ୍ରଶିକ୍ଷଣ ଜାରି ରଖିଥିଲାବେଳେ ବର୍ତ୍ତମାନ ସେ ଆଇଆରସି ଭିଲେଜ ସରକାରୀ ସ୍କୁଲରେ ଅଧ୍ୟୟନରତ । ନିଜ ଅଭାବ ଅସୁବିଧାକୁ ଆଡେଇ ସୁଲେଖା ଜାତୀୟ ଦଳରେ ସାମିଲ ହେବାକୁ ସ୍ୱପ୍ନ ଦେଖିଛନ୍ତି । ଚଳିତମାସ ଗତ ୧୫ ତାରିଖରୁ ଭୁବନେଶ୍ୱରଠାରୁ ଆରମ୍ଭ ହୋଇଛି ଭାରତୀୟ ମହିଳା ଲିଗ୍ । ଏଥିରେ ଛତିଶଗଡ ଏକାଡେମୀ ଫାଇନାଲ୍ ରାଉଣ୍ଡକୁ ଉନ୍ନିତ ହୋଇଥିଲାବେଳେ ଏଥିରେ ସୁଲେଖା ମଧ୍ୟ ସାମିଲ ହୋଇ ଦମଦାର ଖେଳ ପ୍ରଦର୍ଶନ କରିଥିଲେ ।

Leave A Reply

Your email address will not be published.