ନୂଆଦିଲ୍ଲୀ: ଗାଦିରୁ ବଶର ଅଲ୍ ଅସଦ ହଟିବା ପରେ ପୁଣି ଅଶାନ୍ତ ହୋଇଛି ସିରିଆ । ଗୁରୁବାରଠାରୁ ଦେଶରେ ହିଂସା ବ୍ୟାପିଥିବା ବେଳେ ଏପର୍ଯ୍ୟନ୍ତ ହଜାରେରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ହିଂସାରେ ସିରିଆରେ କ୍ଷମତାକୁ ଆସିଥିବା ନୂଆ ସରକାର ଓ ଅସଦଙ୍କ ଆଲାଓ୍ବିଟ ସମର୍ଥକ ମୁହାଁମୁହିଁ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ବହୁ ସଂଖ୍ୟାରେ ଆଲାଓ୍ବିଟ ସଂପ୍ରଦାୟର ଲୋକ ରହିଛନ୍ତି । ପ୍ରଥମେ ସୁରକ୍ଷା ବାହିନୀ ଉପରେ ଆକ୍ରମଣ ପରେ ଜବାବି ହମଲାରେ ସେମାନଙ୍କ ମୃତ୍ୟୁ ହୋଇଥିବା ସିରିଆନ୍ ଅବଜରଭେଟରୀ ଫର ହ୍ୟୁମାନ ରାଇଟସ ପକ୍ଷରୁ କୁହାଯାଇଛି ।
କେମିତି ଆରମ୍ଭ ହେଲା ହିଂସା?
ସିରିଆରୁ ବଶର ଅଲ୍ ଅସଦ ହଟିବା ପରେ ସେଠାରେ ଅନ୍ତରୀଣ ସରକାର ଗଠନ କରାଯାଇଛି । ଅହମ୍ମଦ ଅଲ ଶାରା ଦେଶର ଅନ୍ତରୀଣ ରାଷ୍ଟ୍ରପତି ରହିଛନ୍ତି । ଗତ ଗୁରୁବାର ଦେଶର ଉପକୂଳ ଅଞ୍ଚଳରେ ସେନା ଉପରେ ପୂର୍ବତନ ଅସଦ ସରକାରଙ୍କ ସମର୍ଥକ ଆକ୍ରମଣ କରିଥିଲେ । ଆଲାଓ୍ବିଟ ବହୁଳ ଅଞ୍ଚଳରେ ଅନ୍ତରୀଣ ସରକାର ସେନା ମୁତୟନ କରିଥିଲେ । ତେବେ ଏହାପରେ ସୁରକ୍ଷାବଳ ସମର୍ଥନରେ ଲୋକ ବାହାରିଥିଲେ । ଫଳରେ ଏହା ସାଂପ୍ରଦାୟିକ ଦଙ୍ଗାର ରୂପ ନେଇଥିଲା । ଶୁକ୍ରବାର ଆଲାଓ୍ବିଟ ବହୁଳ ଅଞ୍ଚଳରେ ହିଂସା ଘଟଣାରେ ଅନେକ ପ୍ରାଣ ହରାଇଥିଲେ । ଏଥିରେ ପ୍ରାୟ ହଜାରେରୁ ଅଧିକ ଲୋକ ପ୍ରାଣ ହରାଇଥିବା ବ୍ରିଟିଶ ମାନବାଧିକାର ସଂଗଠନ ପକ୍ଷରୁ କୁହାଯାଇଥିଲା ।
ଆଲାଓ୍ବିଟ କେଉଁମାନେ?
ସିରିଆରେ ସୁନ୍ନି ମୁସଲିମଙ୍କ ପରେ ଦ୍ବିତୀୟ ଅଧିକ ଜନସଂଖ୍ୟା ରହିଛି ଆଲାଓ୍ବିଟ ସଂପ୍ରଦାୟର । ଆଲାଓ୍ବିଟ ମୁସଲିମ ନିଜକୁ ସିୟା ଇସଲାମର ଅଂଶ ମାନନ୍ତି । ପୂର୍ବତନ ରାଷ୍ଟ୍ରପତି ଅସହ ମଧ୍ୟ ନିଜେ ଆଲାଓ୍ବିଟ ସଂପ୍ରଦାୟର ଥିଲେ । ସେଥିପାଇଁ ସେ କ୍ଷମତାରେ ଥିବା ବେଳେ ବହୁ ସଂଖ୍ୟାରେ ଆଲାଓ୍ବିଟଙ୍କୁ ସେନାରେ ଭର୍ତ୍ତି କରିଥିଲେ । ଅସଦ କ୍ଷମତାଚ୍ୟୁତ ହୋଇଥିଲେ ବି ଆସଓ୍ବିଟ ସଂପ୍ରଦାୟର ଏବେବି ତାଙ୍କ ପାଇଁ ବିଶ୍ବସ୍ତ । ୨୦୧୧ରେ ଅସଦ ଶାସନ ବିରୋଧରେ ସିରିଆରେ ବିରୋଧ ପ୍ରଦର୍ଶନ କରାଯାଇଥିବା ବେଳେ ଆଲାଓ୍ବିଟ ମୁସଲିମଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା । ଫଳରେ ସିରିଆ ଗୃହଯୁଦ୍ଧ ସାଂପ୍ରଦାୟିକ ସଂଘର୍ଷର ରୂପ ନେଇଥିଲା ।
କାହିଁକି ସୁରକ୍ଷିତ ଭାବୁନାହାନ୍ତି ଆଲାଓ୍ବିଟ?
ଅନ୍ତରୀଣ ରାଷ୍ଟ୍ରପତି ଶାରା ପୂର୍ବରୁ ଅସଦଙ୍କ ବିରୋଧରେ ଲଢୁଥିବା ସବୁଠୁ ଶକ୍ତିଶାଳୀ ସୁନ୍ନି ମୁସଲିମଙ୍କ ନେତୃତ୍ବ ନେଇଥିଲେ । ଶାରାଙ୍କ ନୁସରା ଫ୍ରଣ୍ଟ ସଂଗଠନ ଆତଙ୍କବାଦୀ ସଂଗଠନ ଅଲକାଏଦାର ଅଂଶ ଥିଲା । ତେବେ ୨୦୧୬ରେ ନୁସରା ଫ୍ରଣ୍ଟ ଅଲକାଏଦା ସହ ସଂପର୍କ ତୁଟାଇଥିଲା। ଶାରା ରାଷ୍ଟ୍ରପତି ହେବା ପରେ ସିରିଆର ସବୁ ସଂପ୍ରଦାୟର ଲୋକଙ୍କୁ ନେଇ ଚାଲିବାକୁ ପ୍ରତିଶ୍ରୁତି ଦେଇଥିଲେ । ତେବେ ସେ କୁର୍ଦ୍ଦ, ଖ୍ରୀଷ୍ଟିଆନ ଭଳି ବିଭିନ୍ନ ସଂପ୍ରଦାୟ ସହ ଆଲୋଚନା କରିଥିଲେ ଆଲାଓ୍ବିଟ ସଂପ୍ରଦାୟର ନେତାଙ୍କୁ ଭେଟିନାହାନ୍ତି । ତେଣୁ ଅସାଦଙ୍କ ଖାସ ଥିବା ଆଲାଓ୍ବିଟ୍ ସଂପ୍ରଦାୟ ଶାରାଙ୍କ ଶାସନରେ ନିଜକୁ ସୁରକ୍ଷିତ ଭାବୁନାହାନ୍ତି ।
ସିରିଆକୁ ଅଶାନ୍ତ କରି ବିଭାଜନ କରିବାକୁ ଦେଶରେ ବାକିଥିବା ଅସଦଙ୍କ ସମର୍ଥକଙ୍କୁ ଦେଶ ବାହାରୁ ସମର୍ଥନ ମିଳୁଥିବା ଶାରା କହିଛନ୍ତି । ସେ ହିଂସା ନେଇ ଯାଞ୍ଚ ପାଇଁ କମିଟି ଗଠନ କରାଯିବ । ଏହାସହ କମିଟିର ରିପୋର୍ଟକୁ ସାର୍ବଜନୀନ କରାଯିବ ବୋଲି ସେ କହିଛନ୍ତି । ଯେକେହି ବି ହିଂସା ଭିଆଇଥିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହାସହ ଦେଶରେ ଶାନ୍ତି ବଜାୟ ରଖିବାକୁ ଶାରା ଆହ୍ବାନ ଦେଇଛନ୍ତି ।
Comments are closed.