ନୂଆଦିଲ୍ଲୀ: ସରଗରମ ହେବାରେ ଲାଗିଛି ଲୋକସଭା ସିଟର ପରିସୀମନ ପ୍ରସଙ୍ଗ । ଦକ୍ଷିଣରୁ ଆରମ୍ଭ ହୋଇଥିବା ସ୍ବର ସପକ୍ଷରେ ସମର୍ଥନ ଯୋଗାଡ଼ ପାଇଁ ବିଭିନ୍ନ ଅଣଏନଡିଏ ଦଳ ମୁଖ୍ୟଙ୍କୁ ଭେଟୁଛନ୍ତି ଡିଏମକେ ନେତା । ପରିସୀମନ ପ୍ରକ୍ରିୟାକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ବିରୋଧକୁ ଜୋରଦାର କରିବାକୁ ଡିଏମକେ ରଣନୀତି କରୁଛି । ଆଉ ସେଥିପାଇଁ ଇଣ୍ଡିଆ ମେଣ୍ଟର ସହଯୋଗୀ ତଥା ଏନଡିଏ ସହ ହାତ ମିଳାଇନଥିବା ଦଳର ସମର୍ଥନ ଲୋଡୁଛି ଦଳ । ଏହି କ୍ରମରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିବା ସହ ଜଏଣ୍ଟ ଆକ୍ସନ କମିଟି ବୈଠକରେ ସାମିଲ ହେବାକୁ ନିମନ୍ତ୍ରଣ କରିଛନ୍ତି ଡିଏମକେ ନେତା ଟିଆରବି ରାଜା ଓ ଦୟାନିଧି ମାରନ । ନବୀନ ମଧ୍ୟ ବୈଠକରେ ସାମିଲ ହେବାକୁ ହଁ କହିଛନ୍ତି ।
ଡିଏମକେ ବୈଠକ, ଯୋଗଦେବେ ନବୀନ
ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ଡିଏମକେ ନେତା । ପରିସୀମନ ପ୍ରସଙ୍ଗରେ ସ୍ବତନ୍ତ୍ର ଆଲୋଚନା ପାଇଁ ଚେନ୍ନାଇରେ ଜଏଣ୍ଟ ଆକ୍ସନ କମିଟି ବୈଠକ ଡାକିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ । ବୈଠକରେ ସାମିଲ ହେବାକୁ ନବୀନ ପଟ୍ଟନାୟକ କହିଥିବା ଜଣାପଡିଛି। ଏହାପୂର୍ବରୁ ସୀମା ପୁନଃନିର୍ଦ୍ଧାରଣ ଓ ଓଡିଶା ଉପରେ ଏହାର ପ୍ରଭାବ ନେଇ ଭୁବନେଶ୍ବରରେ ଏକ ବୈଠକ ବସିପାରେ ବୋଲି କୁହାଯାଉଛି । ଆଲୋଚନା ପରେ ପ୍ରସଙ୍ଗରେ ବିଜେଡିର ଆଭିମୁଖ୍ୟ କଣ ରହିବ, ସେନେଇ ନିଷ୍ପତ୍ତି ନିଆଯାଇପାରେ ।
ଏନଡିଏକୁ ବିରୋଧ କରିବ କି ବିଜେଡି?
ଡିଏମକେ ବୈଠକରେ ସାମିଲ ହେବାକୁ କହିଛନ୍ତି ନବୀନ, ତେବେ ପ୍ରଶ୍ନ ଉଠୁଛି, ଏନଡିଏକୁ ବିରୋଧ କରିବେ କି? କାରଣ ୨୦୦୯ ପରଠୁ ବିଜେଡି ଉଭୟ ଏନଡିଏ ଓ ୟୁପିଏଠାରୁ ସମଦୂରତା ରକ୍ଷା କରିଆସିଛି । ତେବେ ଗତ ୧୦ବର୍ଷ ଧରି କେନ୍ଦ୍ରରେ ବିଜେପି ନେତୃତ୍ବାଧୀନ ଏନଡିଏ ସରକାରକୁ ସେମିତି ବିରୋଧ କରିନି ବିଜେଡି । ଓଡିଶାରେ କ୍ଷମତାରେ ରହିଥିଲେ ବି ଖୋଲାଖୋଲି ବିଜେପିକୁ ବିରୋଧ କରିନାହାନ୍ତି ନବୀନ ପଟ୍ଟନାୟକ । ଓଲଟା ଆବଶ୍ୟକସ୍ଥଳେ ସାହାଯ୍ୟ କରିଛନ୍ତି । ସଂସଦରେ ବିଲ୍ ପାରିତ କରିବା ସମର୍ଥନରେ ହେଉ କି ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ବିରୋଧରେ ବିଜେଡି, ବିଜେପି ସହ ଠିଆ ହୋଇଛି । ଏପରିକି ବିଜେପିର ଅଶ୍ବିନୀ ବୈଷ୍ଣବଙ୍କୁ ବି ବିଜେଡି ସମର୍ଥନ ଦେଇ ରାଜ୍ୟସଭା ପଠାଇଥିଲା। ତେଣୁ ପରିସୀମନ ପ୍ରସଙ୍ଗରେ ବିଜେଡିର ଆଭିମୁଖ୍ୟ କଣ ରହିବ, ସେନେଇ ଆକଳନ କରିବା କଷ୍ଟ ।
ଗର୍ଜିବ ନା ଚୁପ୍ ରହିବ ବିଜେଡି?
ରାଜ୍ୟରେ ବିରୋଧୀ ଓ ଶାସକ ଦଳ ଭାବେ ବିଭିନ୍ନ ପ୍ରସଙ୍ଗରେ ବିଜେଡି ଓ ବିଜେପି ମୁହାଁମୁହିଁ ହେଉଛନ୍ତି । ତେବେ ନିର୍ବାଚନ ହାରିବା ପରଠୁ କେନ୍ଦ୍ରକୁ ଏପର୍ଯ୍ୟନ୍ତ ସେଭଳି ଶାଣିତ ଆକ୍ରମଣ କରିନି ବିଜେଡି । ଦ୍ବିତୀୟରେ ଜାତୀୟ ଗଣମାଧ୍ୟମ ତଥ୍ୟ ଅନୁସାରେ, ୨୦ଲକ୍ଷ ଜନସଂଖ୍ୟାରେ ଗୋଟିଏ ଲୋକସଭା ସିଟ୍ ହିସାବ ଦେଖିଲେ ଓଡିଶା ସିଟ୍ ୨୪କୁ ବଢିପାରେ । ଏବେ ରାଜ୍ୟର ୨୧ଟି ଲୋକସଭା ସିଟ୍ ଥିବା ବେଳେ ଭବିଷ୍ୟତରେ ୩ଟି ବଢିପାରେ । ଦକ୍ଷିଣରେ ସମାନ କିମ୍ବା କମ୍ ସିଟ ନେଇ ଦଳ ଚିନ୍ତାରେ ଥିବା ବେଳେ ଓଡିଶାରେ ୩ଟି ସିଟ୍ ଅଧିକ ପାଇପାରେ। ତେବେ ଜନସଂଖ୍ୟା ଆଧାରରେ ପରିସୀମନ ହେଲେ ଓଡିଶା ସମେତ ୭ଟି ରାଜ୍ୟ ଉପରେ ଏହାର ପ୍ରଭାବ ପଡିବ ବୋଲି ଡିଏମକେ ନେତା ଦୟାନିଧି ମାରନ କହିଛନ୍ତି ।
ଦେଶରେ ଲୋକସଭା ଓ ବିଧାନସଭା କ୍ଷେତ୍ରର ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟାକୁ ପରିସୀମନ କୁହାଯାଏ । ଜନସଂଖ୍ୟା ଆଧାରରେ ସବୁ କ୍ଷେତ୍ରକୁ ନିରପେକ୍ଷ ନେତୃତ୍ବ ଦେବା ପରିସୀମନର ଲକ୍ଷ୍ୟ । ତେବେ ଜନସଂଖ୍ୟା ଆଧାରରେ ପ୍ରତିନିଧିତ୍ବ ହେଲେ ଦକ୍ଷିଣ ଭାରତୀୟ ରାଜ୍ୟ କ୍ଷତି ସହିବା ଆଶଙ୍କା ରହିଛି । ଫଳରେ କେନ୍ଦ୍ରରେ ଦକ୍ଷିଣ ଭାରତର ପ୍ରତିନିଧିତ୍ବ ସାଙ୍ଗକୁ ଗୁରୁତ୍ବ ବି କମିପାରେ । ଓଡିଶା ସହ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, କେରଳ, ତେଲଙ୍ଗାନା, ପଶ୍ଚିମବଙ୍ଗ ଓ ପଞ୍ଜାବକୁ ଯାଇ ପରିସୀମନ ବିରୋଧରେ ସମର୍ଥନ ପାଇଁ ଆଲୋଚନା କରୁଛନ୍ତି ଡିଏମକେ ନେତା । ତେବେ ପ୍ରସଙ୍ଗରେ ବିରୋଧୀ ଇଣ୍ଡିଆ ମେଣ୍ଟ ଡିଏମକେକୁ କେତେ ସହଯୋଗ କରିବ, ସେନେଇ ଦ୍ବନ୍ଦ୍ବ ରହିଛି ।
Comments are closed.