Latest Odisha News

କାହିଁକି ଭୁଲ ରାସ୍ତା ଦେଖାଏ ଗୁଗୁଲ ମ୍ୟାପ୍, ଜାଣନ୍ତୁ କାରଣ…

ଭୁବନେଶ୍ଵର: ଭାରତରେ ଗୁଗୁଲମ୍ୟାପ୍ ଆସିବା ପରେ ଲୋକଙ୍କୁ କୌଣସି ଜାଗାକୁ ଯିବାପାଇଁ ଆଉ ସେତେଟା ଅସୁବିଧା ହେଉନାହିଁ । ମୋବାଇଲରେ ଯେଉଁ ସ୍ଥାନକୁ ଯିବେ ତାର ନାଁ ଓ ଲୋକେସନ୍ ଦେଇଦେଲେ ଗୁଗୁଲମ୍ୟାପ୍ ଆପଣଙ୍କୁ ବାଟ କଢେଇନେଉଛି । ମୋଟାମୋଟି ଭାବେ କହିବାକୁ ଗଲେ ଏବେ ଲୋକଙ୍କ ପାଇଁ ଅନ୍ଧର ଲଉଡ଼ି ସାଜିଛି ଗୁଗୁଲ୍ ମ୍ୟାପ୍ । ପୂର୍ବରୁ କେଉଁ ସ୍ଥାନକୁ ଗଲେ ଆଖପାଖରେ ଥିବା ଲୋକଙ୍କୁ ପଚାରିଦେଲେ ସେମାନେ ବାଟ କହିଦିଅନ୍ତି । ସେଥି ମଧ୍ୟରୁ କିଛି ଜଣ ରାସ୍ତା ଠିକ କୁହନ୍ତି କେହି କେହି ଭୁଲ ରାସ୍ତା କହି ଲୋକଙ୍କୁ ଠକନ୍ତି । ଫଳରେ ବିଭିନ୍ନ ସମସ୍ୟାରେ ପଡିଥାନ୍ତି ବାଟୋଇ ।

ଏବେ କିନ୍ତୁ ବାଟବଣା ହେବାର ଆଉ ଭୟ ନାହିଁ । ଦିନ ହେଉ କି ରାତି ଗୁଗୁଲ୍ ମ୍ୟାପ ସବୁବେଳେ ସବୁ ପରିସ୍ଥିତିରେ ଆପଣଙ୍କ ସହ ରହିଛି । କିନ୍ତୁ ଏହି ଡିଜିଟାଲ୍ ମ୍ୟାପ୍ ଉପରେ ଆଖି ବନ୍ଦ କରି ଭରସା କରିବା ବି ବେଳେବେଳେ ଭାରି ପଡୁଛି । ବେଳେବେଳେ ଅନ୍ଧର ଲଉଡି ସାଜିଥିବା ଏହି ଗୁଗୁଲ ମ୍ୟାପ୍ ବାଟୋଇକୁ ବିଭ୍ରାନ୍ତ କରୁଛି । ଗୋଟେ ସ୍ଥାନ ମାରିଲେ ସେ ଅନ୍ୟ ସ୍ଥାନରେ ପହଞ୍ଚେଇ ଦେଉଛି । ପରିସ୍ଥିତି ଏପରି ହେଉଛି କିଛି ଲୋକ ମୃତ୍ୟୁ ମୁହଁରେ ମଧ୍ୟ ପଡୁଛନ୍ତି ।

ବାସ୍ତବରେ ଗୁଗୁଲ ମ୍ୟାପ୍ ପାଖରେ ଉପଲବ୍ଧ ଥିବା ତଥ୍ୟ ପୁରୁଣା ହୋଇପାରେ କିମ୍ବା ଜିପିଏସ୍ ଅଥବା ଇଣ୍ଟରନେଟ ସହ ଜଡ଼ିତ ଯାନ୍ତ୍ରିକ ସମସ୍ୟା କାରଣରୁ ଏଭଳି ସମସ୍ୟା ଉପୁଜିଥାଏ। ଏପରି ଘଟଣା ଅନେକ ଥର ଘଟିଛି ଯେତେବେଳେ ଗୁଗୁଲ୍ ମ୍ୟାପ୍ ଲୋକଙ୍କୁ ଭୁଲ ରାସ୍ତାରେ ନେଇଯାଇଛି। ଏତିକି ନୁହେଁ ଏହା ପଛର କାରଣ ଅନ୍ୟ କିଛି ବି ହୋଇପାରେ । ଆସନ୍ତୁ ଜାଣିବା ସେହି କାରଣ ବିଷୟରେ…

ଗୁଗୁଲ୍ ମ୍ୟାପରେ ଯଦି କୌଣସି ସ୍ଥାନର ତଥ୍ୟ ଭୁଲ କିମ୍ବା ଅସମ୍ପୂର୍ଣ୍ଣ ଭାବେ ଦିଅନ୍ତି ତେବେ ଏହା ଆପଣଙ୍କୁ ଭୁଲ ସ୍ଥାନ ଦେଖାଇବା ସହ ଭୁଲ ସ୍ଥାନରେ ପହଞ୍ଚାଇଦେବ ।

  • ଯେତେବେଳେ ଆପଣଙ୍କ ଫୋନର ଜିପିଏସ ସିଗନାଲ ଦୁର୍ବଳ ଥାଏ ତେବେ ଲୋକେସନ ଠିକ୍ ଦେଖାଏନାହିଁ । ସାଧାରଣତଃ ଘନ ଜଙ୍ଗଲ, ପାହାଡିଆ ଅଞ୍ଚଳ କିମ୍ବା ଖରାପ ପାଗରେ ଏହି ସମସ୍ୟା ଦେଖାଯାଏ |
  • ବେଳେବେଳେ ଲୋକମାନେ ଗୁଗୁଲ୍ ମ୍ୟାପ ଅନୁସାରେ ନ ଯାଇ ଅଲଗା ରାସ୍ତାରେ ଯାଆନ୍ତି । ଯାହା ଦେମାନଙ୍କୁ ଦ୍ଵନ୍ଦରେ ପକାଇଥାଏ ।
  • ଯଦି କୌଣସି ନୂତନ ରାସ୍ତା ତିଆରି ହୋଇଥାଏ କିମ୍ବା କୌଣସି ରାସ୍ତା ବନ୍ଦ ଥାଏ, ସେଭଳି ପରିସ୍ଥିତିରେ ଗୁଗୁଲ ମ୍ୟାପ ଯଦି ଅପଡେଟ୍ ନଥାଏ ତେବେ ସେ ଆପଣଙ୍କୁ ପୁରୁଣା ମାର୍ଗ ବିଷୟରେ ସୂଚନା ପ୍ରଦାନ କରିଥାଏ ।

ଏଥିରୁ କିପରି ରହିବେ ସୁରକ୍ଷିତ

  • ଏକ ସ୍ଥାନକୁ ଯିବା ପୂର୍ବରୁ ଏହାର ନାମ ଏବଂ ଠିକଣାକୁ ଭଲଭାବେ ଯାଞ୍ଚ କରନ୍ତୁ ।
  • ମ୍ୟାପକୁ ସାଟେଲାଇଟ ଭ୍ୟୁରେ ବଦଳାଇ ଦେଖନ୍ତୁ ଯେ ଲୋକେସନ ଠିକ ଅଛି କି ନାହିଁ ।
  • ଯାତ୍ରା କରିବା ପୂର୍ବରୁ, ସେହି ଅଞ୍ଚଳର ଅଫଲାଇନ୍ ମାନଚିତ୍ର ଡାଉନଲୋଡ୍ କରନ୍ତୁ ଯାହା ଦ୍ଵାରା ଆପଣଙ୍କ ଇଣ୍ଟରନେଟ୍ ନଥିଲେ ମଧ୍ୟ ସଠିକ୍ ମାର୍ଗ ପାଇପାରିବେ ।

Comments are closed.