ଭୁବନେଶ୍ବର: ହରମୋନଗୁଡ଼ିକ ଆମ ଶରୀରରେ ଉତ୍ପାଦିତ କେମିକାଲ ବାର୍ତ୍ତାବାହକ । ଯାହା ରକ୍ତପ୍ରବାହ ମାଧ୍ୟମରେ ସମଗ୍ର ଶରୀରକୁ ବାର୍ତ୍ତା ବହନ କରେ। ଏମାନେ ଆମର ମୁଡ, ଏନର୍ଜି, ମେଟାବୋଲିଜିମ୍, ନିଦ୍ରା, ଭୋକ, ମାସିକ ଋତୁସ୍ରାବ, ପ୍ରଜନନ ସ୍ୱାସ୍ଥ୍ୟ ଏବଂ ବୃଦ୍ଧିକୁ ନିୟନ୍ତ୍ରଣ କରନ୍ତି। ଯେତେବେଳେ କୌଣସି କାରଣରୁ ଶରୀରରେ ହରମୋନର ସ୍ତର ଅତ୍ୟଧିକ ବଢିଯାଏ କିମ୍ବା କମ୍ ହୋଇଯାଏ, ତାହାକୁ ହରମୋନ ଅସନ୍ତୁଳନ (hormone imbalance) କୁହାଯାଏ। ଏହାର ପ୍ରଭାବ ଧୀରେ ଧୀରେ ଦେଖାଯାଏ ଏବଂ ଲୋକମାନେ ପ୍ରାୟତଃ ଏହାକୁ ସାଧାରଣ ଥକ୍କାପଣ କିମ୍ବା ଷ୍ଟ୍ରେସ ବୋଲି ଭାବି ଅଣଦେଖା କରନ୍ତି।
କିନ୍ତୁ ଯଦି ସମୟ ମଧ୍ୟରେ ଯତ୍ନ ନନିଆଯାଏ, ତେବେ ଏହା ଓଜନ ବୃଦ୍ଧି, ଅନିୟମିତ ମାସିକ ଋତୁସ୍ରାବ, ଚର୍ମ ସମସ୍ୟା ଏବଂ ମାନସିକ ପରିବର୍ତ୍ତନ ମଧ୍ୟ ଆଣିପାରେ।
ବିଭିନ୍ନ କାରଣରୁ ହରମୋନ୍ ଅସନ୍ତୁଳନ ହୋଇପାରେ। ସବୁଠାରୁ ସାଧାରଣ କାରଣ ହେଉଛି ଜୀବନଶୈଳୀରେ ପରିବର୍ତ୍ତନ। ଖରାପ ଖାଦ୍ୟ, ନିଦ୍ରାର ଅଭାବ ଏବଂ ନିରନ୍ତର ଚାପ ହରମୋନକୁ ଅସନ୍ତୁଳନ କରିଥାଏ । କିଛି କ୍ଷେତ୍ରରେ ଜେନେଟିକ୍ କାରଣ, ଔଷଧର ଅତ୍ୟଧିକ ବ୍ୟବହାର, ଅତ୍ୟଧିକ କ୍ୟାଫିନ୍ କିମ୍ବା ମଦ୍ୟପାନ ଏବଂ ଅନିୟମିତ ଦିନଚର୍ଯ୍ୟା ମଧ୍ୟ ରମୋନ୍ ଅସନ୍ତୁଳନ ପାଇଁ ଦାୟୀ। ଶରୀରର ସନ୍ତୁଳନ ଫେରିପାଇବା ପାଇଁ ସମୟ ମଧ୍ୟରେ ଏହି କାରଣଗୁଡ଼ିକ ପ୍ରତି ଧ୍ୟାନ ଦେବା ଗୁରୁତ୍ୱପୂର୍ଣ୍ଣ।
ହରମୋନ ପରିବର୍ତ୍ତନ ହେଲେ ବିଭିନ୍ନ ଲକ୍ଷଣ ଦେଖାଯାଏ । ସବୁଠାରୁ ସାଧାରଣ ଲକ୍ଷଣ ହେଉଛି ଥକ୍କାପଣ। ହଠାତ୍ ଓଜନ ବୃଦ୍ଧି କିମ୍ବା ହ୍ରାସ ମଧ୍ୟ ଏକ ଲକ୍ଷଣ ହୋଇପାରେ। ମହିଳାଙ୍କ ଅନିୟମିତ ମାସିକ ଋତୁସ୍ରାବ, ମୁହଁରେ ବ୍ରଣ ବଢ଼ିବା, କେଶ ଝଡ଼ିବା କିମ୍ବା ଶରୀରରେ ଅନାବଶ୍ୟକ କେଶ ବୃଦ୍ଧି ହେବା ହରମୋନ ଅସନ୍ତୁଳନର ସାଧାରଣ ପ୍ରଭାବ।
ମୁଡ୍ ପରିବର୍ତ୍ତନ, ଚିଡ଼ିଚିଡ଼ା ହେବା, ଚିନ୍ତା ଏବଂ ହତାଶ ଅନୁଭବ ମଧ୍ୟ ହରମୋନ ସହିତ ଜଡିତ ହୋଇପାରେ। ଅନିଦ୍ରା କିମ୍ବା ଅତ୍ୟଧିକ ନିଦ୍ରା, ଭୋକରେ ହଠାତ୍ ପରିବର୍ତ୍ତନ, ପାଚନ ସମସ୍ୟା, ମୁହଁ ଫୁଲିବା, ବାରମ୍ବାର ମୁଣ୍ଡବିନ୍ଧା ହରମୋନ ଅସନ୍ତୁଳନର ମଧ୍ୟ ଲକ୍ଷଣ। ଯଦି ଏହି ଲକ୍ଷଣଗୁଡ଼ିକ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିଥାଏ, ତେବେ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଜରୁରୀ ।
ସନ୍ତୁଳିତ ଖାଦ୍ୟ, ପର୍ଯ୍ୟାପ୍ତ ନିଦ, ନିୟମିତ ବ୍ୟାୟାମ ଏବଂ ଚାପ ହ୍ରାସ କରିବା ଅଭ୍ୟାସ ହରମୋନ ସନ୍ତୁଳନକୁ ଉନ୍ନତ କରିପାରିବ। ଏହା ସହିତ ଚିନି ଖାଇବା ହ୍ରାସ କରନ୍ତୁ, ପ୍ରଚୁର ପାଣି ପିଅନ୍ତୁ ଏବଂ ଏକ ସୁସ୍ଥ ଦିନଚର୍ଯ୍ୟା ଗ୍ରହଣ କରନ୍ତୁ।
Comments are closed.