ପ୍ରୟାଗରାଜ: କୁମ୍ଭ ମେଳାର ଆକର୍ଷଣ ପାଲଟିଛନ୍ତି ନାଗା ସାଧୁ । ସେମାନଙ୍କ ବେଶଭୂଷା ଏବଂ ସିଦ୍ଧିକୁ ନେଇ ଅନେକ ଚର୍ଚ୍ଚା ହୁଏ । ଏଥର ମହାକୁମ୍ଭ ପଡିଥିବା ବେଳେ ଅନେକ ମହିଳା ନାଗା ସାଧ୍ବୀଙ୍କ ଭିଡ ମଧ୍ୟ ଦେଖିବାକୁ ମିଳିଛି । ନିଜ ସାଂସରିକ ଜୀବନ ତ୍ୟାଗ କରି, ବିଭିନ୍ନ ଗୁରୁଙ୍କ ଶରଣରେ ଦୀକ୍ଷା ନେଉଛନ୍ତି ଅନେକ ମହିଳା । ଯୁବତୀଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ସାଧ୍ବୀ ଭାବେ ଦୀକ୍ଷା ଗ୍ରହଣ କରୁଛନ୍ତି । ଯାହାକୁ ନେଇ ମନରେ ଅନେକ ପ୍ରଶ୍ନ ସୃଷ୍ଟି ହୁଏ । ନାଗା ସାଧୁ ହେବା ପାଇଁ ଯେତେବେଳେ ଅନେକ କଠିନ ବାଟ ଦେଇ ଯିବାକୁ ପଡେ, ସେଠି ଜଣେ ନାଗା ସାଧ୍ବୀ ହେବା ପାଇଁ ବା କେତେ କଷ୍ଟ ସହିବାକୁ ନପଡୁଥିବ ।
ନାଗା ସାଧ୍ବୀଙ୍କ ପାଇଁ କଠିନ ପରୀକ୍ଷା
ଜଣେ ମହିଳା ନାଗା ସାଧ୍ବୀ ହେବା ସହଜ ନୁହେଁ । ଆଜି ଇଚ୍ଛା କଲେ, ଆଉ କାଲି ବୈରାଗ୍ୟ ଜୀବନ ଗ୍ରହଣ କରିନେଲେ, ସେପରି ନୁହେଁ । ଜଣେ ନାଗା ସାଧ୍ବୀ ହେବା ପାଇଁ ଜଣେ ମହିଳାଙ୍କୁ ୧୨ ରୁ ୧୫ ବର୍ଷର କଠିନ ବ୍ରହ୍ମଚର୍ଯ୍ୟ ପାଳନ କରିବାକୁ ପଡେ।ପ୍ରଥମେ ନିଜର ଘର ପରିବାର ଏବଂ ସାଂସାରିକ ଜୀବନକୁ ତ୍ୟାଗ କରିବାକୁ ପଡେ । ନିର୍ଦ୍ଦିଷ୍ଟ ଆଖାଡାର ଗୁରୁଙ୍କ ଠାରୁ ଦୀକ୍ଷା ନେବାକୁ ପଡେ । ହେଲେ ଏଥିରେ ମହିଳାଟିର ପରୀକ୍ଷା ନିଅନ୍ତି ଗୁରୁ । ଯାହା ପାଇଁ ୧୦ରୁ ୧୨ ବର୍ଷ ସମୟ ଲାଗିଯାଏ । ବାସ୍ତବରେ ମହିଳାଟିଏ ମୋହମାୟା ଛାଡି ବ୍ରହ୍ମଚର୍ଯ୍ୟା ପାଳନ କରିଛି କି ନାହିଁ, ସେନେଇ ଦୀକ୍ଷା ଦେଉଥିବା ଆଖାଡା ପକ୍ଷରୁ ଯାଞ୍ଚ କରାଯାଏ ।
ନିଜ ଶ୍ରାଦ୍ଧ ଦିଅନ୍ତି ନାଗା ସାଧ୍ବୀ
ନାଗା ସାଧ୍ବୀମାନେ ବୈରାଗୀ ଜୀବନକୁ ସଂପୂର୍ଣ୍ଣ ଗ୍ରହଣ କରିସାରିବା ପରେ, ତାଙ୍କୁ ଶିଷ୍ୟା ଭାବେ ଗ୍ରହଣ କରନ୍ତି ଗୁରୁ । ଆଉ ଦୀକ୍ଷା ଦେଇଥାନ୍ତି । ଏଥିରେ ସବୁଠୁ କାଠିକର ପାଠ ହେଉଛି, ମହିଳାଟି ଦୀକ୍ଷା ଗ୍ରହଣ କରିବା ପରେ ଏକ ପ୍ରକାର ନିଜର ପୂର୍ବ ପରିଚୟକୁ ଦାହ କରିଥାଏ । ପ୍ରଥମେ ମୁଣ୍ଡନ କରି, ନିଜ ପାଇଁ ନିଜ କେଶ ସମର୍ପଣ କରିଥାନ୍ତି । ଏହାପରେ ନିଜର ପିଣ୍ଡଦାନ ଦେଇଥାନ୍ତି । ସାଂସାରିକ ବସ୍ତ୍ର ତ୍ୟାଗ କରି, ଆଖାଡା ବସ୍ତ୍ର ପରିଧାନ କରିଥାନ୍ତି । ହାତରେ କମଣ୍ଡଳୁ ଏବଂ ଦଣ୍ଡା ଦିଆଯାଇଥାଏ । ଆଉ ଜୀବନ ସାରା ଗୋଟିଏ ବସ୍ତ୍ର ହିଁ ପରିଧାନ କରିଥାନ୍ତି । ଏମିତିକି ଗାଧୋଇବା ସମୟରେ ମଧ୍ୟ ସମାନ ବସ୍ତ୍ର ପରିଧାନ କରିଥାନ୍ତି ।
ଋତୁସ୍ରାବ ସମୟରେ କ’ଣ କରନ୍ତି ନାଗା ସାଧ୍ବୀ?
ମହିଳାମାନଙ୍କର ସବୁଠୁ ବଡ କଠିନ ସମୟ ହେଉଛି ମାସିକ ଧର୍ମ ବା ଋତୁସ୍ରାବ। ଏହି ସମୟରେ ମହିଳାଙ୍କୁ ଅନେକ କିଛି ବାରଣ ଥାଏ । ତେବେ ଏହି ସମୟରେ ମହିଳା ନାଗା ସାଧ୍ବୀମାନେ କିପରି ଜୀବନ ବଞ୍ଚନ୍ତି । ଏହି ସମୟରେ ସେ ଗଙ୍ଗା ସ୍ନାନ କରିଥାନ୍ତି କି ନାହିଁ ? ସେମାନଙ୍କ ପାଇଁ କ’ଣ ରହିଛି ନିୟମ ? ଏହାକୁ ନେଇ ନାଗା ସାଧ୍ବୀ କୁହନ୍ତି, ଋତୁସ୍ରାବ ସମୟରେ ସୋମନଙ୍କୁ ଗଙ୍ଗା ସ୍ନାନ ବାରଣ କରାଯାଏ। ସେମାନେ ନଜ କୁଟୀର ଭିତରେ ହିଁ ରହିଥାନ୍ତି । ପାଖରେ ଥିବା ଗଙ୍ଗା ଜଳକୁ ନିଜ ଉପରେ ଛିଞ୍ଚିଥାନ୍ତି । ସେହି ସମୟରେ ଏହାକୁ ହିଁ ତାଙ୍କର ଗଙ୍ଗା ସ୍ନାନ ବୋଲି ମଣାଯାଏ ।
ମହିଳା ନାଗା ସାଧୁ କିଏ?
୧୦ରୁ ୧୫ ବର୍ଷର ବ୍ରହ୍ମଚର୍ଯ୍ୟା ବ୍ରତ ପରେ ମହିଳାଟିଏ ନାଗା ସାଧ୍ବୀର ଆଖ୍ୟା ପାଇଥାଏ । ମହିଳା ନାଗା ସାଧୁଙ୍କୁ ମୁଖ୍ୟତଃ, ନାଗିନ୍, ଅବଧୁତନି ବା ମାଇ କୁହାଯାଏ। ନାଗା ସାଧୁମାନେ ସାଧରଣତଃ ନିବସ୍ତ୍ର ହୋଇଥିବା ବେଳେ ମହିଳା ନାଗା ସାଧୁମାନେ ବସ୍ତ୍ରଧାରୀ ହୋଇଥାନ୍ତି। ସବୁଠାରୁ ଅଧିକ ନାଗା ସାଧ୍ବୀ ଜୁନା ଆଖାଡାରେ ହିଁ ଅଛନ୍ତି । ମାଇ ଏବଂ ଅବଧୁତନି ନାଗା ସାଧ୍ବୀମାନଙ୍କୁ ସାଧାରଣତଃ ଭାବେ ମଠରେ ଶ୍ରୀମହନ୍ତ ପଦ ଦିଆଯାଇଥାଏ। ଏଥିପାଇଁ ବଛାଯାଇଥିବା ମହିଳାମାନଙ୍କୁ, ସାହି ସ୍ନାନ ସମୟରେ ପାଲିଙ୍କିରେ ଆଖାଡାର ଧ୍ବଜା, ଡଙ୍କା ଏବଂ ଦାନା ନେବା ପାଇଁ ଅନୁମତି ରହିଥାଏ ।
Comments are closed.