ନୂଆଦିଲ୍ଲୀ: ଭାରତରେ, ନାଗରିକ ପରିଚୟର ସବୁଠାରୁ ବଡ଼ ଦସ୍ତାବିଜ୍ ଭାବରେ ଆଧାର କାର୍ଡକୁ ପ୍ରଚଳନ କରାଯାଇଛି, କିନ୍ତୁ ଏବେ ଏକ ଆରଟିଆଇ ଉତ୍ତରରୁ ଜଣାପଡିଛି ଯେ ଗତ ୧୪ ବର୍ଷ ମଧ୍ୟରେ ମୃତ୍ୟୁ ଆଧାରରେ କେବଳ ୧.୧୫ କୋଟି ଆଧାର ନମ୍ବରକୁ ନିଷ୍କ୍ରିୟ କରିଛି । ଯାହା ଦେଶର ମୃତ୍ୟୁ ହାରକୁ ଦେଖିଲେ ଏହା ବହୁତ କମ୍ ଅଟେ । ମିଳିଥିବା ତଥ୍ୟ ମୁତାବକ ଗତ ୧୪ ବର୍ଷ ମଧ୍ୟରେ ୧୧.୭ କୋଟି ଲୋକଙ୍କର ମୃତ୍ୟୁ ହୋଇଛି ।
ଜାତିସଂଘ ଜନସଂଖ୍ୟା କୋଷ ଅନୁଯାୟୀ, ଏପ୍ରିଲ ୨୦୨୫ ସୁଦ୍ଧା ଭାରତର ମୋଟ ଜନସଂଖ୍ୟା ୧୪୬.୩୯ କୋଟି ଥିଲା ବେଳେ ଆଧାର କାର୍ଡ ଧାରକଙ୍କ ସଂଖ୍ୟା ୧୪୨.୩୯ କୋଟି ଥିଲା । ଏହି ତୁଳନାରେ, ଭାରତର ନାଗରିକ ପଞ୍ଜିକରଣ ପ୍ରଣାଳୀ (CRS) ଅନୁଯାୟୀ, ୨୦୦୭ ରୁ ୨୦୧୯ ପର୍ଯ୍ୟନ୍ତ ପ୍ରତିବର୍ଷ ହାରାହାରି ୮୩.୫ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଛି । ଏପରି ପରିସ୍ଥିତିରେ, ଗତ ୧୪ ବର୍ଷ ମଧ୍ୟରେ ୧୧.୬୯ କୋଟିରୁ ଅଧିକ ମୃତ୍ୟୁ ଘଟିଥିବ, କିନ୍ତୁ ୟୁଆଇଡିଏଆଇ କେବଳ ୧.୧୫ କୋଟି ଆଧାର ନମ୍ବରକୁ ବ୍ଲକ୍ କରିଛି । ଅର୍ଥାତ୍ ମୃତକଙ୍କ ତୁଳନାରେ ଏହା କେବଳ ୧୦ ପ୍ରତିଶତ ରୁ କମ୍ ଅଟେ ।
ତେବେ ସବୁଠାରୁ ବଡ଼ ଆଶ୍ଚର୍ଯ୍ୟର କଥା ହେଉଛି ଯେ, ମୃତ୍ୟୁ ଆଧାରରେ କେତେ ଆଧାରକାର୍ଡକୁ ଗତ ୫ ବର୍ଷରେ ନିଷ୍କ୍ରିୟ କରାଯାଇଛି ତା’ର ତଥ୍ୟ ୟୁଆଇଡିଏଆଇ ପାଖରେ ଉପଲବ୍ଧ ନାହିଁ । ୟୁଆଇଡିଏଆଇ କେବଳ ଏତିକି ତଥ୍ୟ ଦେବାରେ ସମର୍ଥ ହୋଇଛି କି, ୨୦୨୪ ଡିସେମ୍ବର ୩୧ ପର୍ଯ୍ୟନ୍ତ ମୃତ୍ୟୁ ଆଧାରରେ ୧.୧୫ କୋଟି ଲୋକଙ୍କର ଅଧାରକାର୍ଡ ଡିଲିଟ୍ କରାଯାଇଛି ।
ଯେତେବେଳେ ଭାରତର ରେଜିଷ୍ଟ୍ରାର ଜେନେରାଲ (RGI) ଜଣେ ମୃତ ବ୍ୟକ୍ତିଙ୍କ ତଥ୍ୟ ଆଧାର ନମ୍ବର ସହିତ ସେୟାର କରନ୍ତି, ସେତେବେଳେ ଏକ ପ୍ରକ୍ରିୟା ଅନୁସରଣ କରି ଆଧାର ନମ୍ବର ନିଷ୍କ୍ରିୟ ହୋଇଯାଏ । ଆରଟିଆଇ ତଥ୍ୟ ଅଧାରରେ ଏହା ସ୍ପଷ୍ଟ ହୋଇଛି କି, ୟୁଆଇଡିଏଆଇ ପାଖରେ ନା ଅଧାରକାର୍ଡ ନଥିବା ଲୋକଙ୍କର ତଥ୍ୟ ରହିଛି, ନା ମୃତ ଲୋକଙ୍କ ଅଧାରକାର୍ଡ ନିଷ୍କ୍ରିୟ କରିବାରେ ପ୍ରଭାବୀ ବ୍ୟବସ୍ଥା ରହିଛି । ଏହାଫଳରେ ତଥ୍ୟ ସଠିକତା ଉପରେ ପ୍ରଶ୍ନ ଉଠିଥିବା ବେଳେ ନୀତି ନିର୍ମାଣ, ଜନସଂଖ୍ୟା ପରିସଂଖ୍ୟାନରେ ଥିବା ତ୍ରୁଟିକୁ ଉଜାଗର କରିଛି ।
ଅଗଷ୍ଟ ୨୦୨୩ରେ ଜାରି ହୋଇଥିବା ଏକ ସର୍କୁଲାର ଅନୁଯାୟୀ, ମୃତ୍ୟୁ ପଞ୍ଜିକରଣ ତଥ୍ୟ ପ୍ରଥମେ ୟୁଆଇଡିଏଆଇ ଡାଟାବେସ୍ ସହିତ ମେଳ କରାଯାଏ । ତା’ପରେ ଦୁଇଟି ଜିନିଷ ଯାଞ୍ଚ କରାଯାଏ: (୧) ନାମରେ ୯୦% ସମାନତା ରହିବା ଉଚିତ, (୨) ଲିଙ୍ଗରେ ୧୦୦% ମେଳ ହେବା ଉଚିତ ।
Comments are closed.