Latest Odisha News

BREAKING NEWS

ଓଡିଶାରୁ କିଏ କେନ୍ଦ୍ରମନ୍ତ୍ରୀ ?

ଭୁବନେଶ୍ବର: ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଓଡିଶାରୁ କିଏ ? ଉଭୟ ବିଧାନସଭା ଓ ଲୋକସଭାରେ ଏଥର ବିଜେପିକୁ ମନଖୋଲି ଆଶୀର୍ବାଦ କରିଛନ୍ତି ଓଡିଶା ଭୋଟର । ପ୍ରଥମ ଥର ପାଇଁ ରାଜ୍ୟରେ ୨୦ଟି ଲୋକସଭା ଆସନ ଜିତିଛି ଦଳ । ତେଣୁ ମୋଦି ସରକାରଙ୍କ ତୃତୀୟ ପାଳିରେ ଓଡିଶାରୁ କିଏ କିଏ ପାଇପାରନ୍ତି ମନ୍ତ୍ରୀପଦ, ତାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । ଏଥର ଦଳର ଅଧିକ ସାଂସଦ ନିର୍ବାଚିତ ହୋଇଥିବା ବେଳେ ମନ୍ତ୍ରୀପଦ ପାଇଁ ରେସରେ ବି ଏକାଧିକ ନାଁ ରହିଛି ।

କେନ୍ଦ୍ରମନ୍ତ୍ରୀ ରେସରେ କିଏ କିଏ ?

କେନ୍ଦ୍ରରେ ପୂର୍ବରୁ ଗୁରୁତ୍ବପୂର୍ଣ୍ଣ ବିଭାଗ ସମ୍ଭାଳିଥିବା ଧର୍ମେନ୍ଦ୍ର ପ୍ରଧାନ, ଏଥର ବି ରେସରେ ରହିଛନ୍ତି । ଏଥର ସମ୍ବଲପୁର ଲୋକସଭାରୁ ସାଂସଦ ନିର୍ବାଚିତ ହୋଇଛନ୍ତି ଧର୍ମେନ୍ଦ୍ର । ପୂର୍ବରୁ ସେ ପେଟ୍ରୋଲିୟମ, ଶିକ୍ଷା ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗ ସମ୍ଭାଳିଥିଲେ। ତେବେ ରାଜ୍ୟରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ପଦ ପାଇଁ ମଧ୍ୟ ଧର୍ମେନ୍ଦ୍ରଙ୍କ ନାଁ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି । ସେ ଯଦି ରାଜ୍ୟରେ ମୁଖ୍ୟମନ୍ତ୍ରୀ ନହୁଅନ୍ତି ତାଙ୍କୁ କେନ୍ଦ୍ରରେ ବଡ ବିଭାଗ ସହ ମନ୍ତ୍ରୀପଦ ମିଳିପାରେ। ମୁଖ୍ୟମନ୍ତ୍ରୀ ହେଲେ ସମ୍ବଲପୁର ଛାଡି ବିଧାନସଭା ନିର୍ବାଚନ ଲଢିବେ ଧର୍ମେନ୍ଦ୍ର। ବିଜେଡିରୁ ବିଜେପିକୁ ଆସିବା ପରେ ପ୍ରଥମ ଥର ପାଇଁ କେନ୍ଦ୍ରାପଡାରୁ ବିଜୟୀ ହୋଇଛନ୍ତି ବୈଜୟନ୍ତ ପଣ୍ଡା । ଆସାମରେ ବିଜେପି କ୍ଷମତାକୁ ଆସିବା ପଛରେ ବୈଜୟନ୍ତଙ୍କ ଭୂମିକା ରହିଥିଲା। ଏଥର ବି ସେ ଉତ୍ତରପ୍ରଦେଶ ଦାୟିତ୍ବରେ ରହିଥିଲେ। ତେଣୁ ତାଙ୍କୁ ମନ୍ତ୍ରୀପଦ ଦେଇ ପୁରସ୍କୃତ କରିପାରେ ବିଜେପି । ତେବେ ଧର୍ମେନ୍ଦ୍ରଙ୍କ ସହ ବୈଜୟନ୍ତଙ୍କ ନାଁ ବି ମୁଖ୍ୟମନ୍ତ୍ରୀ ପଦ ପାଇଁ ଚର୍ଚ୍ଚାରେ ରହିଛି। ଉଭୟଙ୍କ ମଧ୍ୟରୁ ଜଣେ ମୁଖ୍ୟମନ୍ତ୍ରୀ ହେଲେ ଅନ୍ୟଜଣଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିପାରେ। ରାଜ୍ୟସଭା ସାଂସଦ ଅଶ୍ବିନୀ ବୈଷ୍ଣବଙ୍କୁ ମଧ୍ୟ ମନ୍ତ୍ରିମଣ୍ଡଳରେ ରିପିଟ୍ କରାଯାଇପାରେ । କଟକ ଲୋକସଭାରୁ ଜିତିଥିବା ଭର୍ତ୍ତୃହରି ମହତାବଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି । ମୋଦି ଓ ଅମିତ ଶାହାଙ୍କ ସହ ଘନିଷ୍ଠତା ସହ ସଂସଦୀୟ ବ୍ୟାପାରରେ ଭର୍ତ୍ତୃହରିଙ୍କ ଅଭିଜ୍ଞତାକୁ ଦୃଷ୍ଟିରେ ରଖି ତାଙ୍କୁ ବାଚସ୍ପତି ପଦ ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି ।

ଭୁବନେଶ୍ବରରୁ ଦ୍ବିତୀୟ ଥର ପାଇଁ ବିଜୟୀ ହୋଇଛନ୍ତି ଅପରାଜିତା ଷଡଙ୍ଗୀ । ନବୀନ ସରକାରକୁ ତୀବ୍ର ବିରୋଧ ସାଙ୍ଗକୁ ମହିଳା ସାଂସଦ ଭାବେ ଗତଥର ଲୋକସଭାରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ମୁଖର ରହିଥିଲେ ଅପରାଜିତା। ମୋଦିଙ୍କ ସହ ତାଙ୍କର ଭଲ ସଂପର୍କ ରହିଥିବା ବେଳେ ଏଥର ଅପରାଜିତାଙ୍କୁ ମନ୍ତ୍ରୀପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ବଲାଙ୍ଗୀର ସାଂସଦ ସଂଗୀତା ସିଂହଦେଓ ମଧ୍ୟ କେନ୍ଦ୍ରମନ୍ତ୍ରୀ ପଦ ରେସରେ ରହିଛନ୍ତି । ସଂଗୀତା ମଧ୍ୟ ଗତଥର ବଲାଙ୍ଗୀରରୁ ସାଂସଦ ହୋଇଥିଲେ। ସ୍ମୃତି ଇରାନୀଙ୍କ ଭଳି ନେତ୍ରୀ ନିର୍ବାଚନ ହାରିଥିବାରୁ ଓଡିଶାରୁ ମହିଳା ସାଂସଦଙ୍କୁ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିପାରେ। ସେହିପରି ପୁରୀରୁ ସାଂସଦ ହୋଇଥିବା ସମ୍ବିତ ପାତ୍ର ମଧ୍ୟ କେନ୍ଦ୍ରମନ୍ତ୍ରୀ ରେସରେ ରହିଛନ୍ତି । ଗତଥର ଅଳ୍ପକେ ହାରିଥିଲେ ସମ୍ବିତ । ହେଲେ ଏଥର ପୁରୀ ଜିତିବା ପାଇଁ ଜାନ୍ ଲଗାଇଥିଲେ । ତାଙ୍କ ପାଇଁ ମୋଦି ରୋଡ୍ ଶୋ ବି କରିଥିଲେ । ସମ୍ବିତ ପାତ୍ର ଜାତୀୟ ଗଣମାଧ୍ୟମରେ ଚିହ୍ନା ଚେହେରା । ସେହିପରି ରାଜ୍ୟରୁ ଆଦିବାସୀ ଚେହେରା ଭାବେ ଲୋକସଭାରେ ପ୍ରତିନିଧିତ୍ବ କରିବେ ଜୁଏଲ୍ ଓରାମ, ଅନନ୍ତ ନାଏକ ଓ ନବଚରଣ ମାଝୀ । ଜୁଏଲ ଓରାମ ଆଗରୁ ବି କେନ୍ଦ୍ରରେ ମନ୍ତ୍ରୀପଦ ସମ୍ଭାଳିଛନ୍ତି । ଅନନ୍ତ ନାଏକ ବି ଜାତୀୟ ଜନଜାତି କମିଶନ ସଦସ୍ୟ ରହିଥିଲେ । ନବଚରଣ ମାଝୀ ପ୍ରଥମ ଥର ପାଇଁ ମୟୂରଭଞ୍ଜରୁ ସଂସଦକୁ ଯାଉଛନ୍ତି । ତେଣୁ ଏମାନଙ୍କ ମଧ୍ୟରୁ ବି ଜଣେ କେନ୍ଦ୍ରରେ ମନ୍ତ୍ରୀ ହୋଇପାରନ୍ତି ।

ପୂର୍ବରୁ ୨୦୧୪ରେ କେବଳ ଜୁଏଲ ଓରାମ ରାଜ୍ୟରୁ ଏକମାତ୍ର ବିଜେପି ସାଂସଦ ହୋଇ ମନ୍ତ୍ରୀ ହୋଇଥିଲେ। ତାଙ୍କ ସହ ଧର୍ମେନ୍ଦ୍ର ପ୍ରଧାନ ବି ମନ୍ତ୍ରୀପଦ ପାଇଥିଲେ । ୨୦୧୯ରେ ପ୍ରଥମ ପର୍ଯ୍ୟାୟରେ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀ ଓ ପରେ ବିଶ୍ବେଶ୍ବର ଟୁଡୁ କେନ୍ଦ୍ରମନ୍ତ୍ରୀ ହୋଇଥିଲେ। ଗତଥର ୮ଜଣ ସାଂସଦ ନିର୍ବାଚିତ ହୋଇଥିବା ବେଳେ ୨ଜଣ କେନ୍ଦ୍ରମନ୍ତ୍ରୀ ହୋଇଥିଲେ । ଏଥର ଓଡିଶା ବିଜେପିକୁ ୨୦ ସାଂସଦ ଦେଇଛି । ତେଣୁ କେତେ ମନ୍ତ୍ରୀପଦ ମିଳିବ ତାଉପରେ ନଜର ରହିଛି।

Leave A Reply

Your email address will not be published.