Latest Odisha News

BREAKING NEWS

ଓଡ଼ିଆ ସଂସ୍କୃତିରେ ଦୀପାବଳୀ…

ଭୁବନେଶ୍ୱର: ଓଡ଼ିଶାର ସାଂସ୍କୃତିକ ପରମ୍ପରା, ପ୍ରାଚୀନ ମୂଲ୍ୟବୋଧକୁ ରିଦ୍ଧିମନ୍ତ କରେ ଏହି ଦୀପାବଳି ପର୍ବ । ଏହି ଦୀପର ଆଲୋକ ଅନ୍ଧକାରକୁ ଦୂର କରି ନୂତନ ଉନ୍ମାଦନା ସୃଷ୍ଟି କରିଥାଏ ସମାଜରେ ।

ପବିତ୍ର କାର୍ତ୍ତିକ ମାସ ଅମାବାସ୍ୟା ଦିନ ଦୀପାବଳି ପର୍ବ ପାଳିତ ହୋଇଥାଏ । ଏହି ଦିବସରେ ପିତୃପୁରୁଷଙ୍କୁ ଦୀପଦାନ କରାଯାଇଥାଏ । ଦାଣ୍ଡରେ, ଘର ବାରି ଚଉଁରା ମୂଳେ ଦୀପ ପ୍ରଜ୍ବଳନ କରାଯାଉଥିବାରୁ ଏହା ଦୀପାବଳି ଅମାବାସ୍ୟା ନାମରେ ନାମିତ । ପିତୃପୁରୁଷଙ୍କୁ ଆଖୁ ଖଣ୍ଡ ଆଗରେ ସାଳିତା ବାନ୍ଧି ବା କାଉଁରୀ କାଠ ଜାଳି ଆଲୋକ ଦେଖାଉ ଥିବାରୁ ଏହାକୁ ଅନେକ ‘ଡାଙ୍ଗ ଦେଖା’ ଅମାବାସ୍ୟା କହିଥାନ୍ତି ।

ଏହି ଅମବାସ୍ୟାର ପବିତ୍ରତା ଖୁବ ମହାନ । ଏହିଦିନ ଛଅ ପୁରୁଷଙ୍କୁ ଆବାହନ କରି ପିଣ୍ଡଦାନ କରିବାର ବିଧି ରହିଛି । ପିତୃପୁରୁଷଙ୍କୁ ଚଉଁରା ମୂଳେ ଭାଇ , ବନ୍ଧୁ, କୁଟୁମ୍ବଙ୍କ ଗହଣରେ ଉପରକୁ ଆଲୋକ ଦେଖାଇ କହିଥାନ୍ତି – “ଅଗ୍ନି ଦଗଧାଶ୍ଚ ଯେ ଜୀବା, ଯେପ୍ୟ ଦଗଧାଃ କୂଳେ ମମ, ତେ ସର୍ବେ ପଥି ଗଛନ୍ତୁ, ଜ୍ବାଳାୟ ଅନଳୟା ସହ, ପିତୃଲୋକମ୍ ପରିତ୍ୟଜ୍ୟ ଆଗତ ଯେ ମହାଳୟେ, ଉଜ୍ଜ୍ୱଳ ଜ୍ୟୋତିଷାଂ ରତ୍ମଂ ପ୍ରପଶ୍ୟନ୍ତୁ ବ୍ରଜନ୍ତୁତେ ।

ଅର୍ଥାତ; ହେ ପିତୃଲୋକେ ଆଶ୍ୱିନମାସ ମହାଳୟାରେ ଆଗମନ କରିଥିଲେ, ଦିବ୍ୟ ଆଲୋକରେ ଆଜିର ଏହି ପବିତ୍ର ଦିବସରେ ପିତୃଲୋକକୁ ପୁନର୍ବାର ଗମନ କରନ୍ତୁ ।

ପୂର୍ବପୁରୁଷଙ୍କୁ ସ୍ନେହ ,ଶ୍ରଦ୍ଧା ସ୍ୱରୂପ ଏହି ଦିବସରେ ଆଲୋକବର୍ତ୍ତିକା ଧରି ଡାକନ୍ତି- ” ଡ଼ ବଡୁଆ ହୋ, ଅନ୍ଧାରରେ ଆସି ଆଲୁଅରେ ଯାଅ । ଗଙ୍ଗା ଯାଅ, ଗୟା ଯାଅ, ଶ୍ରୀକ୍ଷେତ୍ର ମହାପ୍ରସାଦ ଖାଇ ବାଇଶି ପାହାଚରେ ଗଡ଼ଗଡଇ ଥାଅ ।” ଦୀପବଳୀରେ ବଡବଡୁଆଙ୍କୁ ଡକା ଯାଉଥିବାରୁ କିଛି ଅଞ୍ଚଳରେ ଏହା ‘ବଡବଡୁଆ ଅମାବାସ୍ୟା’ ଭାବେ ପରିଚିତ ।

ଆନନ୍ଦ ଆଲୋକର ପର୍ବ ଦୀପାବଳି । ସମଗ୍ର ଭାରତ ବର୍ଷରେ ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ଏହି ଉତ୍ସବକୁ ‘ଆଲୋକ ଆଗମନ ଦିବସ’ ଭାବେ ମହାସମାରୋହରେ ପାଳନ କରିଥାନ୍ତି । ଦୀପ+ଆବଳି = ଦୀପାବଳି । ଦୀପ ସମୂହକୁ ଆମେ ଦୀପାବଳି କହିଥାଉ । ଆଲୋକ ଅନ୍ଧାରକୁ ଦୁରୀଭୂତ କରିଥାଏ। ଏହା ପ୍ରାଚୁର୍ଯ୍ୟର ପ୍ରତୀକ ।

Leave A Reply

Your email address will not be published.