Latest Odisha News

ଧନୀଙ୍କ ପାଇଁ ଟ୍ରମ୍ପଙ୍କ ‘ଗୋଲ୍ଡ କାର୍ଡ’; ୪୩ କୋଟିରେ ମିଳିଯିବ ନାଗରିକତା

ୱାଶିଂଟନ: ଗୋଟେପଟେ ଅନୁପ୍ରବେଶକାରୀଙ୍କୁ ଖୋଜି ଖୋଜି ଦେଶରୁ ବାହାର କରୁଛି ଆମେରିକା। ଅନ୍ୟପଟେ ଧନୀଙ୍କୁ ଆମେରିକାରେ ରହିବାକୁ ନିମନ୍ତ୍ରଣ କରୁଛି। ଆସନ୍ତା କିଛି ସପ୍ତାହ ମଧ୍ୟରେ ଗୋଲ୍ଡ କାର୍ଡ ବିକ୍ରି ନେଇ ହୋଇପାରେ ଘୋଷଣା। ଗ୍ରୀନ କାର୍ଡଠାରୁ ଅଧିକ ଆଡଭାନ୍ସ ଗୋଲଡ କାର୍ଡ ଦ୍ବାରା ଧନୀ ବ୍ୟବସାୟୀଙ୍କ ଆମେରିକାରେ ରହିବା ପାଇଁ ବାଟ ଖୋଲିବ। ବିଶେଷ କରି ଋଷୀୟ ବ୍ୟବସାୟୀ ଏଥିରେ ଅଧିକ ଲାଭବାନ ହେବେ ବୋଲି କୁହାଯାଉଛି।

ଗୋଲ୍ଡ କାର୍ଡ କଣ ?

ଧନୀ ଲୋକଙ୍କ ପାଇଁ ଗୋଲ୍ଡ କାର୍ଡ ଲଞ୍ଚ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ। ଏହାର ଦାମ୍ ରହିଛି ୫ ମିଲିୟନ ଡଲାର (୪୩ କୋଟି ଟଙ୍କା) । ଗୋଲ୍ଡ କାର୍ଡ ହେଉଛି ଗ୍ରୀନ କାର୍ଡର ପ୍ରିମିୟମ ରୂପ। ଏଥିରେ ଅଧିକ ସୁବିଧା ମିଳିବ। ଆମେରିକାରେ ସ୍ଥାୟୀ ନାଗରିକତା କାର୍ଡ ହେଉଛି ଗ୍ରୀନ୍ କାର୍ଡ। ଏହାକୁ ପାଇବାକୁ ଭାରତ ସମେତ ବିଶ୍ବର ବିଭିନ୍ନ ଦେଶର ଲୋକ ଉଦ୍ୟମ କରନ୍ତି। ଗ୍ରୀନ୍ କାର୍ଡ ପାଇଁ ଅଲଗା ଅର୍ଥ ଦେବାକୁ ପଡେନି, ତେବେ କିଛି ସର୍ତ୍ତ ରହିଛି। ତେବେ ଗୋଲ୍ଡ କାର୍ଡ ପାଇଁ ବେଶ୍ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡିବ। ତେବେ ଗୋଲ୍ଡ କାର୍ଡ କୁହାଯାଉଥିଲେ ବି ଏହା ସିଟିଜେନସିପ୍ ବାଏ ଇନଭେଷ୍ଟମେଣ୍ଟ ବା ସିବିଆଇ ବୋଲି କୁହାଯାଉଛି।

ସିଟିଜେନସିପ୍ ବାଏ ଇନଭେଷ୍ଟମେଣ୍ଟ କଣ ?

ବିଶ୍ବରେ ଏମିତି ଅନେକ ବ୍ୟବସାୟୀ ଅଛନ୍ତି, ଯେଉଁମାନେ ବିଦେଶରେ ରହିବାକୁ ଚାହାନ୍ତି। ଗତ ୪ ଦଶକ ମଧ୍ୟରେ ଅନେକ ଦେଶ ସିବିଆଇ ଆରମ୍ଭ କରିଛନ୍ତି। ବିଶେଷ କରି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଦେଶ ଏହାକୁ ଲାଗୁ କରିବାରେ ଆଗରେ ରହିଛନ୍ତି। ଟ୍ୟାକ୍ସ ହେଭେନ୍ କୁହାଯାଉଥିବା ଏସବୁ ଦେଶରେ ଆୟ ଉପରେ ନାଗରିକଙ୍କୁ ଟ୍ୟାକ୍ସ ଦେବାକୁ ପଡେନି। ତେଣୁ ଏସବୁ ଦେଶର ନାଗରିକତା ନେବାକୁ ଚାହାଁନ୍ତି ଧନୀ ବ୍ୟବସାୟୀ। ଏହି ତାଲିକାରେ ଡୋମିନିକା, ସେଣ୍ଟ ଲୁସିଆ, ସେଣ୍ଟ କିଟସ ଆଣ୍ଡ ନେବିସ, ଗ୍ରେନାଡା, ଏଣ୍ଟିଗୁଆ ଭଳି ଦେଶ ରହିଛି।

ଋଷ ବ୍ୟବସାୟୀଙ୍କ ଉପରେ ନଜର

ଟ୍ରମ୍ପଙ୍କ ଘୋଷଣା ପରେ ଆମେରିକାରେ ଋଷୀୟ ନିବେଶ ବଢିପାରେ ବୋଲି କୁହାଯାଉଛି। ଲମ୍ବା ସମୟ ଧରି ଋଷ ଉପରେ ଆମେରିକା ଲଗାଇଥିବା କଟକଣା କମ୍ କିମ୍ବା ସଂପୂର୍ଣ୍ଣ ଉଠାଇବା ନେଇ ସଙ୍କେତ ମିଳୁଛି। ୨୦୨୪ରେ ବିଶ୍ବରେ ଧନୀ ତାଲିକାରେ ଋଷ ୫ ନମ୍ବରରେ ରହିଥିଲା। ତେଣୁ ଆମେରିକା ବଜାର ଏହାର ଫାଇଦା ନେବାକୁ ଚାହୁଁଛି। ଟ୍ରମ୍ପ ଦ୍ବିତୀୟ ଥର କ୍ଷମତାକୁ ଆସିବା ପରେ ଜନ୍ମ ଆଧାରରେ ନାଗରିକତା ଶେଷ କରିବାକୁ ଘୋଷଣା କରିଛନ୍ତି। ତେବେ ଗୋଲ୍ଡ କାର୍ଡ ଦ୍ବାରା ଧନୀଙ୍କୁ ଆମେରିକା ଆସିବାକୁ ନିମନ୍ତ୍ରଣ ଦେଇଛନ୍ତି।

ଅଧିକ ଅର୍ଥ ବଦଳରେ ନାଗରିକତା ଦ୍ବାରା ଅନେକ ସମସ୍ୟା ବି ଉପୁଜିପାରେ। ଆତଙ୍କବାଦୀ କିମ୍ବା କୌଣସି ଦେଶର ଅର୍ଥ ଲୁଟ୍ କରି ବ୍ୟକ୍ତିବିଶେଷ ଆମେରିକା ଆସିବାକୁ ବାଟ ଖୋଲିପାରେ। କଳାଧନ ଲୁଚାଇବା ତଥା ଅନ୍ୟ କୌଣସି ଅପରାଧରୁ ରକ୍ଷା ପାଇବାକୁ ଲୋକ ନିବେଶ କରିପାରନ୍ତି। ଏନେଇ ପୂର୍ବରୁ ଅନ୍ତର୍ଜାତୀୟ ସଂସ୍ଥା ଫାଇନାନ୍ସିଆଲ ଆକ୍ସନ ଟାସ୍କଫୋର୍ସ ଆଶଙ୍କା କରିଥିଲା। ଅନେକ ସମୟରେ ବିଦେଶ ନିବେଶ ବାହାନାରେ ଦେଶବିରୋଧୀ ଶକ୍ତି ଅନୁପ୍ରବେଶ କରିପାରନ୍ତି। ଯାହା ଦେଶର ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିପାରେ।

Comments are closed.