Latest Odisha News

BREAKING NEWS

ସୋନପୁରରେ ସରକାରୀ ହଷ୍ଟେଲ ନିର୍ମାଣ: ଏଚଏସସିଏଲର ଦୁଇ ଅଧିକାରୀ ଗିରଫ ଜାଣନ୍ତୁ ମୂଳ କାରଣ କ’ଣ?

ସୋନପୁର/ଭୁବନେଶ୍ୱର: ସୋନପୁର ଜିଲ୍ଲାରେ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ପାଇଁ ନିମ୍ନମାନର ହଷ୍ଟେଲ ନିର୍ମାଣରେ ସମ୍ପୃକ୍ତି ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଟିମ୍ ହିନ୍ଦୁସ୍ତାନ ଷ୍ଟିଲ ଓ୍ୱାର୍କସ କନଷ୍ଟ୍ରକସନ ଲିମିଟେଡର ଦୁଇ ଜଣ ଅଧିକାରୀଙ୍କୁ ଗିରଫ କରିଛି। ଭୁବନେଶ୍ଵର ନୟାପଲ୍ଲୀ ସ୍ଥିତ ଏନ୍୧/୧୫୭ରେ ଚଢାଉ କରି ଭିଜିଲାନ୍ସ ଟିମ୍ ଗିରଫ କରିଛି।

ଗିରଫ ଅଧିକାରୀମାନେ ହେଲେ ବରିଷ୍ଠ ସାଇଟ୍ ଇଞ୍ଜିନିୟର ସୌରଭ ଦେ ଓ ସାଇଟ୍ ଇଞ୍ଜିନିୟର ସପ୍ତରସୀ ଗୋସ୍ବାମୀ। ଆଜି ସେମାନଙ୍କୁ ବଲାଙ୍ଗୀର ଭିଜିଲାନ୍ସ କୋର୍ଟରେ ହାଜର କରାଯିବା ପରେ ରିମାଣ୍ଡରେ ନେବା ପାଇଁ ଆବେଦନ କରାଯାଇଛି।

ଭିଜିଲାନ୍ସ ତଦନ୍ତରୁ ଜଣାପଡ଼ିଛି ଯେ ସୋନପୁର ଜିଲ୍ଲାରେ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ପାଇଁ ୨ କୋଟି ୭୧ ଲକ୍ଷ ଟଙ୍କା ବ୍ୟୟରେ ୪ଟି ହଷ୍ଟେଲ ନିର୍ମାଣ ପାଇଁ ଏଚ୍ଏଚଏସସିଏଲ୍ ‘ଏ’ ଶ୍ରେଣୀ ଠିକାଦାର ବିଜୟ କୁମାର ଅଗ୍ରଓ୍ବାଲ ଓ ତାଙ୍କ ପୁଅ ଦୀପକ କୁମାର ଅଗ୍ରଓ୍ବାଲଙ୍କ ସହ ଚୁକ୍ତି କରିଥିଲା। କିନ୍ତୁ ଏଚଏସସିଏଲ ଅଧିକାରୀମାନେ ଠିକ୍ ଭାବେ କାମ ତଦାରଖ କରିବାରେ ବିଫଳ ହେବା ସହ ଠିକାଦାରଙ୍କୁ ନିମ୍ନମାନର କାମ କରିବାକୁ ଅନୁମତି ଦେଇଥିଲେ।

ସେହିପରି ହଷ୍ଟେଲ ନିର୍ମାଣ ପାଇଁ ଏଚଏସସିଏଲର କୌଣସି ଅନୁମୋଦିତ ଡିଜାଇନ ଓ ଡ୍ରଇଂ ନଥିଲା। କୋଠା ଗୁଡିକର ଫାଉଣ୍ଡେସନ ଆବଶ୍ୟକତା ଜାଣିବା ପାଇଁ କୌଣସି ମାଟି ପରୀକ୍ଷା କରାଯାଇନଥିଲା।

ପୂର୍ବରୁ ଏହି ମାମଲାରେ ‘ଏ’ ଶ୍ରେଣୀ ଠିକାଦାର ବିଜୟ କୁମାର ଅଗ୍ରଓ୍ୱାଲ ଓ ତାଙ୍କ ପୁଅ ଦୀପକ ଅଗ୍ରଓ୍ୱାଲଙ୍କୁ ଗିରଫ କରାଯାଇଥିଲା।
ତଦନ୍ତ ବେଳେ ଜଣାପଡ଼ିଛି ଯେ, ଏସି ଆଣ୍ଡ ଏସଟି ଉନ୍ନୟନ ବିଭାଗ ୪୩.୯୪ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଏଚଏସସିଏଲ ସହିତ ଚୁକ୍ତି କରିଥିଲା।

ଯେଉଁଥିରେ ପ୍ରକଳ୍ପଗୁଡ଼ିକ ମଧ୍ୟରେ କେବିକେ ଜିଲ୍ଲାରେ ଏସସି/ଏସଟି ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ ନିର୍ମାଣ ବ୍ୟବସ୍ଥା ଥିଲା। ଏଥିରେ ରାୟଗଡା ଜିଲ୍ଲାର ୨୬ଟି ଏସଟି ହଷ୍ଟେଲ, ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲାର ୧୨ଟି ଏବଂ ଗୌରମୁଣ୍ଡା, ରାସ୍କା ଓ ବିଜେଦୋରର ୩ଟି ଉନ୍ନୀତ ଉଚ୍ଚ ବିଦ୍ୟାଳୟ କୋଠା ସାମିଲ ଥିଲା।

ପ୍ରତିବଦଳରେ ଏଚଏସସିଏଲ ପ୍ରକଳ୍ପଗୁଡ଼ିକ ପାଇଁ ଅନେକ ଟେଣ୍ଡର କରିଥିଲା। ସେଥିମଧ୍ୟରୁ ୮ କୋଟି ୧୨ ଲକ୍ଷ ୩୦ ହଜାର ୮୭୭ ଟଙ୍କାର ଚୁକ୍ତି ମୂଲ୍ୟର ୧୨ଟି ହଷ୍ଟେଲ କୋଠା ନିର୍ମାଣ ପାଇଁ ସେମାନେ ବିଜୟ ଅଗ୍ରଓ୍ୱାଲ ଓ ଦୀପକ ଅଗ୍ରଓ୍ୱାଲଙ୍କ ସହ ଚୁକ୍ତି କରିଥିଲେ।
ଏଥିରେ ସୋନପୁର ଜିଲ୍ଲାରେ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ପାଇଁ ୪ଟି ହଷ୍ଟେଲ କୋଠା, ଯାହାର ଚୁକ୍ତି ମୂଲ୍ୟ ୨,୭୧,୨୪,୨୦୭ ଟଙ୍କା ରହିଛି।

ଭିଜିଲାନ୍ସ ପକ୍ଷରୁ ଏଚଏସସିଏଲ୍ ଅଧିକାରୀ ଓ ଠିକାଦାରଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ ୨୦୧୮ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଯାହାର ତଦନ୍ତ ଜାରି ରହିଛି।

Leave A Reply

Your email address will not be published.