Latest Odisha News

ମୂରଲୀଧରନଙ୍କ ବାୟୋପିକ ୮୦୦ର ଟ୍ରେଲର ଲଂଚ କରିବେ ସଚିନ ତେନ୍ଦୁଲକର

ମାଡ୍ରାସ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ସେପ୍ଟମ୍ବର ୫ରେ ଶ୍ରୀଲଙ୍କାର ମହାନ କ୍ରିକେଟର ମୁଥୟା ମୂରଲୀଧରନଙ୍କ ବାୟୋପିକର ଟ୍ରେଲର ଲଂଚ କରିବେ । ଏହି ଫିଲ୍ମର ନାମ ୮୦୦ ରଖାଯାଇଛି । ମୁରଲୀଙ୍କ ଭୂମିକା ମଧୂର ମିତଲ କରୁଛନ୍ତି । ସେ ଓସ୍କାର ବିଜେତା ଫିଲ୍ମ ସ୍ଲମଡଗ ମିଲେନିୟରରେ ସଲିମ ମଲିକଙ୍କ ଭୂମିକା କରିଥିଲେ । ଏମଏସ ଶ୍ରୀପତି ଏହାର କାହାଣୀ ଲେଖିବା ସହ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ଫିଲ୍ମଟି ତେଲୁଗୁ, ତାମିଲ ଓ ହିନ୍ଦୀ ଭାଷାରେ ରିଲିଜ ହେବ । ପୂର୍ବରୁ ସାଉଥର ଲୋକପ୍ରିୟ କଳାକାର ବିଜୟ ସେତୁପତି ଏହି ଭୂମିକା କରିବା ପାଇଁ ଚୂଡାନ୍ତ ହୋଇଥିଲା । ତେବେ ଏହି ଫିଲ୍ମ ନ କରିବା ପାଇଁ ତାଙ୍କୁ ଧମକ ଆସିଥିଲା । ଏପରିକି ତାଙ୍କ ଝିଅଙ୍କୁ ଦୁଷ୍କର୍ମ କରିବା ନେଇ ଧମକ ଦିଆଯାଇଥିଲା । ମୂରଲୀଙ୍କ ଅନୁରୋଧ କ୍ରମେ ବିଜୟ ଏହି ଫିଲ୍ମରୁ ଓହରି ଯାଇଥିଲେ ।

ମୂରଲୀଙ୍କ ପରିବାର ଭାରତୀୟ ଅଟନ୍ତି । ସେ ତାଙ୍କ କ୍ୟାରିୟରରେ ୧୩୩ ଟେଷ୍ଟ, ୩୫୦ ଏକଦିବସୀୟ ଓ ୧୨ ଟି୨୦ ମ୍ୟାଚ ଖେଳିଛନ୍ତି । ସେ ଟେଷ୍ଟ କ୍ରିକେଟରେ ୮୦୦ ୱିକେଟ ନେଇଥିବାରୁ ଫିଲ୍ମର ନାମ ୮୦୦ ରଖାଯାଇଛି । ୨୦୦୯ ଶ୍ରୀଲଙ୍କା ଗୃହଯୁଦ୍ଧ ସମୟରେ ସେ ରାଷ୍ଟ୍ରପତି ମହିନ୍ଦା ରାଜପାକ୍ଷେଙ୍କୁ ସମର୍ଥନ କରିଥିଲେ । ପିଲାମାନଙ୍କ ନିଖୋଜ ହେବା ନେଇ ତାମିଲ ମହିଳା ଧାରଣାରେ ବସିଥିବା ବେଳେ ମୂରଲୀ ଏହାକୁ ନାଟକ ବୋଲି କହିଥିଲେ । ତାମିଲ ଭାଷାଭାଷୀଙ୍କ ଅନୁସାରେ ସେ ଆମ ସହିତ ବିଶ୍ୱାସଘାତକତା କରିଛନ୍ତି ।

Leave A Reply

Your email address will not be published.