Latest Odisha News

ଏବେ ମାଓବାଦୀଙ୍କ ଟାର୍ଗେଟରେ ଓଡ଼ିଶାର ସେତୁ: ଇଣ୍ଟେଲିଜେନ୍ସ ବ୍ୟୁରୋ

ଭୁବନେଶ୍ୱର: ଦକ୍ଷିଣ ଓଡ଼ିଶା ଉପାନ୍ତ ଅଞ୍ଚଳରେ ଥିବା ସେତୁ ଗୁଡ଼ିକୁ ବିସ୍ଫୋରଣ କରି ଉଡ଼ାଇ ଦେବା ନେଇ ସିପିଆଇ (ମାଓବାଦୀ) ନକ୍ସଲଙ୍କ ପକ୍ଷରୁ ମସୁଧା ଚାଲିଥିବାର ସତର୍କ ସୂଚନା ଦେଇଛନ୍ତି ଇଣ୍ଟେଲିଜେନ୍ସ ବ୍ୟୁରୋ(ଆଇବି) ।

ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି)ର ସଦ୍ୟତମ ସତର୍କ ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲାସ୍ଥିତ ସପ୍ତଧାରା ସେତୁକୁ ଉଡ଼ାଇ ଦେବାକୁ କ୍ୟାଡ଼ରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମାଓବାଦୀ ନେତା ଏନ. କେଶବ ରାଓ । ଏହାବ୍ୟତୀତ, କୋରାପୁଟ ଜିଲ୍ଲାର ଉପାନ୍ତ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମଜିଏସୱାଇ) ଅନ୍ତର୍ଗତ ନିର୍ମାଣାଧିନ ରାସ୍ତା କାର୍ଯ୍ୟରେ ନିୟୋଜିତ ହୋଇଥିବା ସୁରକ୍ଷାକର୍ମୀଙ୍କ ଯାନବାହନକୁ ଆକ୍ରମଣ କରିବାକୁ ସେ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

ସପ୍ତଧାରା ସେତୁ ବ୍ୟତୀତ, ଓଡ଼ିଶାର ଅନ୍ୟ କୌଣସି ସେତୁ ସମ୍ପର୍କରେ ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) ସୂଚନା ଦେଇନାହାନ୍ତି ।

ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) ସୂତ୍ରରୁ ଆହୁରି ମଧ୍ୟ ସୂଚନା ମିଳିଛି ଯେ, ସିପିଆଇ (ମାଓବାଦୀ) ନେତା ଏନ. କେଶବ ରାଓ ସମ୍ପାଦକ ଭାବେ ନିଯୁକ୍ତ ହେବା ପରେ ମାଲକାନଗିରି ଜିଲ୍ଲା ସୀମାନ୍ତବର୍ତ୍ତୀ ଛତିଶଗଡ଼ର ବିିଭିନ୍ନ ଅଞ୍ଚଳରେ ନକ୍ସଲପନ୍ଥୀଙ୍କ ଦ୍ୱାରା ଉଚ୍ଚ କ୍ଷମତା ସମ୍ପନ୍ନ ବିସ୍ଫୋରଣ ଘଟଣା ଘଟିଛି ।

ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) ପକ୍ଷରୁ ଏପରି ସତର୍କ ସୂଚନା ମିଳିବା ପରେ କେନ୍ଦ୍ର ସରକାର ବିଏସଏଫ ଏବଂ ସିଆରପିଏଫକୁ ସତର୍କ ରହି ମାଓବାଦୀଙ୍କ ଏପରି ଉଦ୍ୟମକୁ ପଣ୍ଡ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.