Latest Odisha News

BREAKING NEWS

ଶୁଆ ଶିକାର କରି ୟୁଟ୍ୟୁବରେ ଭିଡିଓ ଅପଲୋଡ୍ କରୁଛି ଶିକାରୀ, ନିଘୋଡ଼ ନିଦରେ ଶୋଇଛି ବନ ବିଭାଗ

ଭୁବନେଶ୍ୱର: ଜଙ୍ଗଲରୁ ବେଆଇନ ଭାବରେ ଶୁଆ ଶୀକାର କରୁଛି ଶିକାରୀ । ଗଛ କୋରଡ଼ରୁ ଛୁଆଙ୍କୁ ଧରି ତାର ଭିଜିଓ ୟୁଟ୍ୟୁବରେ ଅପଲୋଡ୍ କରୁଛନ୍ତି । ସୋସିଆଲ୍ ମିଡିଆରେ ଏହି ଭିଡିଓ ଭାଇରାଲ୍ ହେଉଛି । କିନ୍ତୁ ନିଘୋଡ଼ ନିଦରେ ଶୋଇଛି ବନ ବିଭାଗ । କାର୍ଯ୍ୟାନୁଷ୍ଠାନ ନାହିଁ । କନ୍ଧମାଳ ଜିଲ୍ଲାର ଏହି ଘଟଣାକୁ ନେଇ ଏବେ ଚର୍ଚ୍ଚା ।

ୟୁଟ୍ୟୁବ ରେ ଅପଲୋଡ଼ ହୋଇଥିବା ଏକ ଭିଡ଼ିଓରେ ଜଣେ ଯୁବକ ଜଙ୍ଗଲରେ ଏକ ଗଛ ଉପରେ ଚଢ଼ି କୋରଡ ଭିତରୁ ଛୋଟ ଶୁଆମାନଙ୍କୁ ଗାମୁଛାରେ ବାନ୍ଧି ତଳକୁ ଓହ୍ଲେଇଉଛନ୍ତି । ୩ଟି ଆଲେକଜାଣ୍ଡ୍ରିନ୍ ପାରାକିଟ୍ ବା ନାହାକା ଶୁଆକୁ ତଳେ ଛାଡୁଛନ୍ତି । ସେମାନଙ୍କର ଡେଣାରେ ସମ୍ପୁର୍ଣ୍ଣ ପର ଲାଗି ନଥିବାରୁ ଉଡି ନପାରି ତଳେ ଚାଲୁଛନ୍ତି ।
ୟୁବ୍ୟୁବରେ ଏହି ଭିଡିଓକୁ ୫ ଲକ୍ଷରୁ ଅଧିକ ଲୋକ ଦେଖିଲେଣି । କିନ୍ତୁ ବନ ବିଭାଗ କି କ୍ରାଇମବ୍ରାଞ୍ଚ ବା ୱାଇଲ୍ଡ ଲାଇଫ୍ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋ ନିଘୋଡ଼ ନିଦରେ ଶୋଇଛି । କାହାର ଏଥିପ୍ରତି ନିଘା ନାହିଁ । ବିଭାଗୀୟ ଅଧିକାରୀଙ୍କ ଆଖିରେ ଏହି ଦୃଶ୍ୟ ପଡୁନି କେମେତି କେଜଣି ?

ଭିଡ଼ିଓକୁ ଡାଉନଲୋଡ଼ କରି ଇ-ମେଲ ଯୋଗେ ରାଜ୍ୟର ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକଙ୍କୁ ପଠାଇ ଅଭିଯୋଗ କରିଛନ୍ତି ଖୋର୍ଦ୍ଧା ଜିଲ୍ଲାର ଅବୈତନିକ ବନ୍ୟ ପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ । ପ୍ରମାଣ ସ୍ୱରୂପ ୨ଟି ଭିଡ଼ିଓର ୟୁଆରଏଲ ଥାଇ ସ୍କ୍ରିନସଟ୍ ମଧ୍ୟ ଶୁଭେନ୍ଦୁ ଦେଇଛନ୍ତି ।
ଅଭିଯୋଗର ଏକ ନକଲ ୱାଇଲ୍ଡ ଲାଇଫ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋର ଅତିରିକ୍ତ ନିର୍ଦ୍ଦେଶକ ତିଲୋତ୍ତମା ବର୍ମାଙ୍କୁ ମଧ୍ୟ ଦେଇଛନ୍ତି । ଅନ୍ୟ ଏକ ଭିଡିଓରେ ୮ଟି ଆଲେକଜାଣ୍ଡ୍ରିନ୍ ଶୁଆ ଛୁଆଙ୍କୁ ଏକ ଗିନାରେ ଭାତ ଖାଉଥିବାର ଦେଖିବାକୁ ମିଳୁଛି ।

ନିକଟକରେ କଟକରେ ଗୋଟିଏ ପୋଷା ଶୁଆ କୋକୋକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା । ବନ ବିଭାଗ ଟିମ୍ ତାକୁ ଉଦ୍ଧାର କରି ଜଙ୍ଗଲରେ ଛାଡିଦେଲେ । କିନ୍ତୁ ବେଧଡକ ଶୁଆ ଶିକାର କରି ଭିଡିଓ ସୋସିଆଲ୍ ମିଡିଆରେ ପୋଷ୍ଟ କରୁଥିବା ଲୋକଙ୍କ ବିରୋଧରେ କେବେ ଓ କି କାର୍ଯ୍ୟାନୁଷ୍ଠାନ ହେବ ?  ଏଭଳି ବେଆଇନ୍ କାମ କରୁଥିବା ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଶୁଭେନ୍ଦୁ ମଲ୍ଲିକ ।

Comments are closed, but trackbacks and pingbacks are open.