କୋଲକାତା: କୋଲକାତାର ହରିନାରାୟଣପୁରରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ୩୮ ବର୍ଷୀୟ ଜଣେ ବ୍ୟକ୍ତି ନିଜ ୧୭ ବର୍ଷର ପତ୍ନୀଙ୍କୁ ଇନଷ୍ଟାଗ୍ରାମରେ ରିଲ୍ ଭିଡିଓ ପାଇଁ ତାଙ୍କୁ ହତ୍ୟା କରିଛନ୍ତି। ପରକୀୟା ପ୍ରୀତି ସନ୍ଦେହରେ ପତ୍ନୀ ଅପର୍ଣ୍ଣାଙ୍କ ଗଳା କାଟି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ଅଭିଯୁକ୍ତ ପରିମଲ ବୈଦ୍ୟ ପେଶାରେ ଜଣେ ବଢେଇ। ତାଙ୍କର ଦୁଇ ପିଲା ରହିଛନ୍ତି। ପୁଅ ସପ୍ତମ ଶ୍ରେଣୀରେ ପାଠ ପଢୁଥିବା ବେଳେ ଝିଅ ନର୍ସରୀ ପଢୁଛି।
ପୁଲିସ ସୂଚନା ମୁତାବକ, କିଛି ଦିନ ହେବ ଦୁହିଁଙ୍କ ସମ୍ପର୍କରେ ତିକ୍ତତା ଦେଖାଦେଇଥିଲା। ମୁଖ୍ୟତଃ ଇନଷ୍ଟାରେ ରିଲ୍ ପାଇଁ ଏବଂ ଅପର୍ଣ୍ଣା ସୋସିଆଲ୍ ମିଡିଆରେ ଅଧିକ ସକ୍ରିୟ ରହୁଥିବା ଦେଖି ଦୁହିଁଙ୍କ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଥିଲା। ପରିମଲଙ୍କ ମନରେ ଅସନ୍ତୋଷ ବଢ଼ିଚାଲିଥିଲା କାରଣ ତାଙ୍କ ପତ୍ନୀ ନୂଆ ନୂଆ ବନ୍ଧୁତା ସ୍ଥାପନ କରୁଥିଲେ ଇନଷ୍ଟାରେ।
ଜଣେ ଫାଇନାନ୍ସ କଂପାନୀର କର୍ମଚାରୀଙ୍କ ସହ ଅପର୍ଣ୍ଣାଙ୍କ ସଂପର୍କ ବଢୁଥିବା ଦେଖି ପରିମଲ ପରକୀୟା ପ୍ରୀତି ସନ୍ଦେହ କରୁଥିଲେ। ତେବେ ଘରେ କେହି ନଥିବା ବେଳେ ଅଭିଯୁକ୍ତ ଜଣଙ୍କ ନିଜ ସ୍ତ୍ରୀ ବିରୋଧରେ ଚରମ ନିଷ୍ପତ୍ତି ନେଇଛନ୍ତି। ସେ ତାଙ୍କ ସ୍ତ୍ରୀଙ୍କ ଗଳା କାଟି ଦେଇଥିବା ଜଣାପଡିଛି। ପରେ ଘଟଣାସ୍ଥଳରେ ଅପର୍ଣ୍ଣାଙ୍କର ମୃତ୍ୟୁ ଘଟିଛି।
ଯେତେବେଳେ ପୁଅ ଟିଉସନରୁ ଘରକୁ ଫେରି ରକ୍ତ ଜୁଡୁବୁଡୁ ଅବସ୍ଥାରେ ମା’ଙ୍କୁ ତଳେ ପଡିଥିବା ଦେଖିବାକୁ ପାଇଥିଲା ସେତେବେଳେ ଏହି ଲୋମହର୍ଷଣକାରୀ ଘଟଣା ସମ୍ପର୍କରେ ପଡ଼ୋଶୀମାନେ ଜାଣିଥିଲେ। ଏହାପରେ ପୁଲିସକୁ ଖବର ଦେବା ପରେ ପୁଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା।
ପୁଲିସ ପ୍ରକାଶ କରିଛି ଯେ ଅପର୍ଣ୍ଣା ପୂର୍ବରୁ ଲଗାତାର ବୈବାହିକ ସମସ୍ୟା ଯୋଗୁଁ ନିଜ ବାପାମାଆଙ୍କ ଘରେ ରହୁଥିଲେ। ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର ଜବତ ହେବା ସହ ପରିମଲଙ୍କୁ ଖୋଜାଖୋଜି ଚାଲିଥିବା ବେଳେ ପୁଲିସ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।
Comments are closed.