Latest Odisha News

BREAKING NEWS

ସ୍ତ୍ରୀଙ୍କ ମୋବାଇଲ ନିଶା: ସ୍ୱାମୀ ପଛେ ଯାଉ, ସ୍ମାର୍ଟଫୋନ ମୋର ଥାଉ

ଗାଜିଆବାଦ: ସ୍ୱାମୀ ପଛେ ନଥାନ୍ତୁ, ମୋବାଇଲ ମୋର ଥାଉ । ପରିବାର ପରାମର୍ଶ କେନ୍ଦ୍ରରେ ମୋବାଇଲ ପାଇଁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଚାଲିଥିବା ଝଗଡ଼ାକୁ ନେଇ ଫ୍ୟାମିଲି କାଉନସିଲର ଝାଳନାଳ ହେଲେ । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏକଦମ ସତ । ଉତ୍ତରପ୍ରଦେଶର ଗାଜିଆବାଦରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ମୁତାବକ ପରିବାର ପରାମର୍ଶ କେନ୍ଦ୍ରକୁ ଏକ ମାମଲା ଆସିଥିଲା । ଯେଉଁଥିରେ ସ୍ୱାମୀ ଜଣକ ଅଭିଯୋଗ କରିଥିଲେ ଯେ ସେମାନଙ୍କ ମଧ୍ୟରେ ମନୋମାଳିନ୍ୟ ହେବା ପଛରେ ମୋବାଇଲ ହିଁ ଦାୟୀ । ପତ୍ନୀ ସବୁବେଳେ ମୋବାଇଲରେ ବ୍ୟସ୍ତ ରହୁଥିବାବେଳେ ନିଜର ଘର ଲୋକ ଯେପରିକି ଭଉଣୀ, ଭିଣୋଇଙ୍କୁ ଭିଡିଓ କଲ କରୁଥିଲେ ।

ଘରକାମ ଛାଡ଼ନ୍ତୁ, ନିଜ କାମ ମଧ୍ୟ କରୁନଥିଲେ । ଏଥିରେ ବ୍ୟତିବ୍ୟସ୍ତ ହୋଇ ସ୍ୱାମୀ ଜଣକ କହିଥିଲେ ଯେ ସ୍ମାର୍ଟଫୋନ ନେଇଯିବେ ଆଉ ଏକ କିପ୍ୟାଡ଼ ଫୋନ ଦେବେ । ଯେଉଁଥିରେ କେବଳ କଥାବାର୍ତ୍ତା ହୋଇହେବ କିନ୍ତୁ ଭିଡିଓ କଲ ସମ୍ଭବ ହେବ ନାହିଁ । ଏହା ଶୁଣିବା ପରେ ପତ୍ନୀ ଜଣକ ରାଗିକି ନିଜ ବାପଘରକୁ ଚାଲିଯାଇଥିଲେ । ଏହାପରେ ପରିବାର ପରାମର୍ଶ କେନ୍ଦ୍ର ପକ୍ଷରୁ ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ଡାକି ବୁଝାଯାଇଥିଲା । କେନ୍ଦ୍ରର ମୁଖ୍ୟ ନେହା ଚୌହାନ କହିଛନ୍ତି ଯେ ମହିଳାଙ୍କୁ ବହୁତ ବୁଝାଗଲା । କିନ୍ତୁ ସ୍ମାର୍ଟଫୋନ ଜିଦରେ ସେ ଅଡ଼ିବସିଥିଲେ । ମହିଳାଙ୍କ ଭାଇ ମଧ୍ୟ ତାଙ୍କୁ ବୁଝାଇଥିଲେ କିନ୍ତୁ ସେ ମାନିବାକୁ ପ୍ରସ୍ତୁତ ନଥିଲେ । ସ୍ୱାମୀଙ୍କ ସହ ରହିବେନି ପଛେ କିନ୍ତୁ ସ୍ମାର୍ଟଫୋନ ଦେବେ ନାହିଁ ବୋଲି ଜିଦ କରିଥିଲେ । ଏହାପରେ ଉଭୟଙ୍କୁ ସେମାନଙ୍କ ଘରକୁ ପଠାଯାଇଥିଲା । ଆଉ ପୁଣି ଆସିବାକୁ କୁହାଯାଇଥିଲା ।

Leave A Reply

Your email address will not be published.