Latest Odisha News

BREAKING NEWS

ଲଢ଼ିଲେ ଧୋନି, ଜିତାଇ ପାରିଲେନି: ୭ ରନରେ ହାଇଦ୍ରାବାଦଠୁ ହାରିଲା ଚେନ୍ନାଇ

ଦୁବାଇ: ଆଇପିଏଲରେ ଜାରି ରହିଛି ଚେନ୍ନାଇ ସୁପରକିଙ୍ଗସର ପରାଜୟ ଧାରା । ପ୍ରଥମ ବିଜୟ ପରେ ଗୋଟିଏ ପରେ ଗୋଟିଏ ମ୍ୟାଚ ହାରି ଚାଲିଛି ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପରକିଙ୍ଗସ୍ । ସନରାଇଜର୍ସ ହାଇଦ୍ରାବାଦଠାରୁ ୭ ରନରେ ହାରିଛି ଚେନ୍ନାଇ ।

ଧୋନି ଅପରାଜିତ ୪୭ ରନ୍ ହାସଲ କରିଛନ୍ତି । କିନ୍ତୁ ମ୍ୟାଚ ବଞ୍ଚାଇ ପାରିଲେନି । ମ୍ୟାଚ୍ ରୋମାଞ୍ଚକର ହୋଇଥିଲା । ଗୋଟିଏ ପଟେ ଧୋନି କ୍ରିଜରେ ଠିଆ ହୋଇଥିବା ବେଳେ ଅନ୍ୟପଟେ ଓ୍ୱିକେଟ ଖସାଇ ଚାଲଥିଲେ ହାଇଦ୍ରାବାଦ ବୋଲର । ୧୬୫ ରନ୍ ବିଜୟ ଲକ୍ଷ୍ୟଠାରୁ ନିର୍ଦ୍ଧାରିତ ଓଭରରେ ୭ ରନ ପଛରେ ରହିଯାଇଥିଲା ଚେନ୍ନାଇ ।

ରବୀନ୍ଦ୍ର ଜାଡେଜାଙ୍କୁ ସାଥି କରି ଧୋନି ଭାଗିଦାରୀ ଇନିଂସ ଖେଳିଥିଲେ ବି ମ୍ୟାଚ ବଞ୍ଚାଇବାକୁ ସଫଳ ହୋଇ ନଥିଲା । ଜାଡେଜା ସର୍ବାଧିକ ୫୦ ରନ୍ କରିଥିବା ବେଳେ ଧୋନି ୪୭ ରନ୍, ଡୁ ପ୍ଲେସିସ୍ ୨୨, ସାମ୍ କୁରେନ ୧୫ ରନ୍ କରିଥିଲେ । ମ୍ୟାଚ୍ ଶେଷ ବେଳକୁ ଦଳ ୫ ଓ୍ୱିକେଟ ହରାଇ ୧୫୭ରେ ରନ୍ କରିପାରିଥିଲା ଧୋନିଙ୍କ ଟିମ୍ ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ସନରାଇଜର୍ସ ହାଇଦ୍ରାବାଦ । ନିର୍ଦ୍ଧାରିତ ଓଭରରେ ୫ ଓ୍ୱିକେଟ ହରାଇ ୧୬୪ ରନ୍ କରିଥଲା । ଦଳ ପକ୍ଷରୁ ପ୍ରୀୟମ୍ ଗର୍ଗ ସର୍ବାଧିକ ୫୧ ରନ୍, ଅଭିଷେକ ଶର୍ମା ୩୧ ଓ ମନୀଷ ପାଣ୍ଡେ ୨୯ ରନ୍ ସଂଗ୍ରହ କରିଥିଲେ ।

ସନରାଇଜର୍ସ ହାଇଦ୍ରାବାଦ ୪ଟି ମ୍ୟାଚରୁ ୨ଟି ବିଜୟ ହାସଲ କରିଥିବା ବେଳେ ଦୁଇଟି ହାରିଛି । ପଏଣ୍ଟ ତାଲିକାର ୪ ନମ୍ବର ସ୍ଥାନରେ ରହିଛି । ସେହିପରି ଚେନ୍ନାଇ ସୁପରକିଙ୍ଗସ୍ ୪ଟି ମ୍ୟାଚରୁ ଗୋଟିଏ ବିଜୟ ଓ ତିନିଟି ପରାଜୟ ସହ ପଏଣ୍ଟ ତାଲିକାର ଶେଷ ସ୍ଥାନରେ ରହିଛି ।

Leave A Reply

Your email address will not be published.