ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହରିକ ଏ ଇନସାଫ ଦଳର ଅଧ୍ୟକ୍ଷ ଇମ୍ରାନ୍ ଖାନ୍ ପରୋକ୍ଷରେ ଦେଶର ସୁପ୍ରିମକୋର୍ଟ ଏବଂ ସେନାକୁ ଟାର୍ଗେଟ କରିଛନ୍ତି । ସଂସଦରେ ଅନାସ୍ଥା ପ୍ରସ୍ତାବ ପାଇଁ ଭୋଟ୍ ପଡିବାର କିଛି ସମୟ ପୂର୍ବରୁ ଅର୍ଥାତ ରାତି ଅଧରେ ସୁପ୍ରିମକୋର୍ଟ କାହିଁକି ଖୋଲାଗଲା ବୋଲି ପଚାରିଛନ୍ତି । ଦେଶରେ ପ୍ରଥମ ଥର ପାଇଁ ରାତି ଅଧରେ ସୁପ୍ରିମକୋର୍ଟ ଖୋଲାଯାଇଥିବାରୁ ସେ ପ୍ରଶ୍ନ କରିଛନ୍ତି। କ୍ଷମତା ଯିବା ପରେ ପ୍ରଥମ ଥର ପାଇଁ ପେଶାଓ୍ୱାରରେ ରାଲି କରି ଏପରି କିଛି କହିଛନ୍ତି ଇମ୍ରାନ ଖାନ୍।
ଏପ୍ରିଲ ୯ରେ ପାକିସ୍ତାନର ନ୍ୟାଶନାଲ ଆସେମ୍ବଲିରେ ଅନାସ୍ଥା ପ୍ରସ୍ତାବ ପାଇଁ ଭୋଟ୍ ପଡିଥିଲା । ଏହା ପୂର୍ବରୁ କିନ୍ତୁ ସୁପ୍ରିମକୋର୍ଟ ରାତି ଅଧିରେ ଖୋଲିଥିଲା। ଯାହାକୁ ନେଇ ଇମ୍ରାନ୍ ବିଚାରପତିଙ୍କୁ ପରୋକ୍ଷରେ ସମାଲୋଚନା କରିଛନ୍ତି।
ପେଶାଓ୍ୱାରରେ ରାଲିକୁ ସମ୍ବୋଧନ କରି ଇମ୍ରାନ କହିଛନ୍ତି, ଦୀର୍ଘ ୪୫ ବର୍ଷ ଧରି ପାକିସ୍ତାନ ତାକୁ ଜାଣିଛି । କ୍ରିକେଟରୁ ସେ ରାଜନୀତିକୁ ଆସିଛନ୍ତି । କ୍ରିକେଟ ଖେଳିବା ବେଳେ ତାଙ୍କ ଉପରେ କୌଣସି ମ୍ୟାଚ ଫିକ୍ସଂର ଅଭିଯୋଗ ମଧ୍ୟ ଆସିନି । ସେ ଏଯାବତ କୌଣସି ଆଇନକୁ ଉଲ୍ଲଂଘନ କରିନାହାନ୍ତି । କିନ୍ତୁ ସେ ଏପରି କଣ ଭୁଲ କରିଥିଲେ ଯେଉଁଥିପାଇଁ ରାତି ଅଧରେ ସୁପ୍ରିମକୋର୍ଟ ଖୋଲିବାକୁ ପଡିଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି।
ଇମ୍ରାନ ଖାନ୍ ଆଉ ଥରେ କହିଛନ୍ତି, ତାଙ୍କ ସରକାରକୁ ଭାଙ୍ଗିବା ପଛରେ ବିଦେଶୀ ଶକ୍ତିର ହାତ ରହିଛି । ପାକିସ୍ତାନବାସୀ କେବେ ହେଲେ ଗୋଟିଏ ଆମଦାନୀ ସରକାରକୁ ଗ୍ରହଣ କରିବେ ନାହିଁ । ପୂର୍ବରୁ ୧୯୭୦ରେ ମଧ୍ୟ ବିଦେଶୀ ଶକ୍ତି ପାଇଁ ଜୁଲଫିକାର ଅଲ୍ଲୀ ଭୁଟ୍ଟୋ ପାକିସ୍ତାନର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । କିନ୍ତୁ ତାହା ୧୯୭୦ ଥିଲା । ଏବେ କିନ୍ତୁ ପାକିସ୍ତାନବାସୀ ଏହାକୁ ଗ୍ରହଣ କରିବେ ନାହିଁ । ସେ ଯେତେବେଳେ ସରକାରରେ ଥିଲେ କାହା ପ୍ରତି ବିପଦ ନଥିଲେ ଏବେ କିନ୍ତୁ କ୍ଷମତା ଯିବା ପରେ ସେ ଆହୁରି ଖତରନାକ ହୋଇଯିବେ ବୋଲି କହିଛନ୍ତି।
ସେହିପରି ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ଇମ୍ରାନ ଟାର୍ଗେଟ କରିଛନ୍ତି । ସେ ଜଣେ ଦୂର୍ନୀତି ଖୋର ବ୍ୟକ୍ତି । ଯାହାଙ୍କ ନାଁରେ ୪୦ ହଜାର କୋଟି ଟଙ୍କାର ଦୂର୍ନୀତି ଅବିଯୋଗ ରହିଛି । ଏବେ ଏହି ମାମଲା କୋର୍ଟରେ ବିଚାରାଧୀନ ରହିଛି । ପୂର୍ବରୁ ଯେଉଁ ସବୁ ପ୍ରଧାନମନ୍ତ୍ରୀଙ୍କ ପଦ ଯାଇଛି ସେତେବେଳେ ପାକିସ୍ତାନବାସୀ ଉତ୍ସବ ମନାଇଛନ୍ତି । କିନ୍ତୁ ପ୍ରଥମ ଥର ପାଇଁ ସେ ପ୍ରଧାନମନ୍ତ୍ରୀ ପଦରୁ ହଟିବା ପରେ ଲୋକମାନେ ରାସ୍ତାକୁ ଆସି ନୂଆ ସରକାର ବିରୋଧରେ ବିରୋଧ ପ୍ରଦର୍ଶନ କରିଛନ୍ତି ବୋଲି ଇମ୍ରାନ କହିଛନ୍ତି।
Comments are closed.