Latest Odisha News

ପିଲାଙ୍କୁ ପାଠ ପଢ଼ାଇ ମଧ୍ୟାହ୍ନ ଭୋଜନ ଖାଇଲେ IAS କୀର୍ତ୍ତି ଭାସନ୍

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ତଥା ଆଇଏଏସ୍‌ ଅଧିକାରୀ ୱି.କୀର୍ତ୍ତି ଭାସନ କବିସୂର୍ଯ୍ୟନଗର ବ୍ଲକ ଗସ୍ତରେ ଯାଇଥିଲେ । ଏହି ଅବସରରେ ସେ କବିସୂର୍ଯ୍ୟନଗରସ୍ଥିତ ମର୍ଦ୍ଧରାଜ ହାଇସ୍କୁଲ ପରିଦର୍ଶନ କରିଥିଲେ । 5T ରୂପାନ୍ତରଣରେ ଏହି ବିଦ୍ୟାଳୟ ସାମିଲ୍ ହୋଇଛି । ବିଦ୍ୟାଳୟର ଉନ୍ନତିକରଣ ସହ ଅତ୍ୟାଧୁନିକ ପାଠପଢ଼ା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପରିଦର୍ଶନ ସମୟରେ IAS ଭାସନ କେତେକ ଶ୍ରେଣୀ କକ୍ଷକୁ ଯାଇ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ସହ କଥା ହୋଇଥିଲେ । ପରେ ଛାତ୍ରଛାତ୍ରୀଙ୍କ ସହ ଏକାଠି ମଧ୍ୟାହ୍ନ ଭୋଜନ ଖାଇଥିଲେ ।

ନିଜେ ଖାଇବା ସହ କବିସୂର୍ଯ୍ୟନଗର ବ୍ଲକ ଏବଂ କବିସୂର୍ଯ୍ୟନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧିକାରୀଙ୍କୁ ଖାଇବାକୁ କହିଥିଲେ । ମଧ୍ୟାହ୍ନ ଭୋଜନର ଗୁଣବତ୍ତା ପରୀକ୍ଷା କରିଥିଲେ । ବିଦ୍ୟାଳୟ ପରିଚାଳନାକୁ ଦେଖି ସେ ଖୁସି ବ୍ୟକ୍ତ କରିବା ସହ ରୋଷେୟାଙ୍କୁ ଖାଦ୍ୟ ପ୍ରସ୍ତୁତି ଉପରେ ବିଭିନ୍ନ ପ୍ରକାର ପରାମର୍ଶ ଦେଇଥିଲେ । ଏହି ଗସ୍ତ ସମୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାସୁଦେବ ନାୟକ, ଅତିରିକ୍ତ ବିଡିଓ ନାରାୟଣ ବେହେରା, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ ପାଢ଼ୀ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋବିନ୍ଦ ପ୍ରସାଦ ରଥ ସହ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ । ଏହା ପୂର୍ବରୁ ପ୍ରକଳ୍ପ ନିର୍ଦ୍ଦେଶକ ଭାସନ ବ୍ଲକ କାର୍ଯ୍ୟାଳୟରେ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଥିଲେ ।

Leave A Reply

Your email address will not be published.