ନୂଆଦିଲ୍ଲୀ: ଆଇସିଆଇସିଆଇ ବ୍ୟାଙ୍କ ଦୁର୍ନୀତିରେ ଗିରଫ ହୋଇଥିବା ବ୍ୟାଙ୍କର ପୂ୍ର୍ବତନ ସିଇଓ ଚନ୍ଦା କୋଚର ଓ ତାଙ୍କ ସ୍ୱାମୀ ଦୀପକ କୋଚରଙ୍କୁ ମିଳିଲା ଆଶ୍ୱସ୍ତି । ବମ୍ବେ ହାଇକୋର୍ଟ ଏକ ରାୟରେ ଉଭୟଙ୍କ ଗିରଫଦାରୀ ବେଆଇନ ବୋଲି କହିଛନ୍ତି । ଉଭୟଙ୍କ ଗିରଫଦାରିକୁ ଚାଲେଞ୍ଜ କରି ଆଗତ ଏକ ଯାଚିକାର ଶୁଣାଣି କରିଥିଲେ ବମ୍ବେ ହାଇକୋର୍ଟ । ଶୁଣାଣିରେ କୋର୍ଟ ଉଭୟଙ୍କୁ ଖଲାସ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାବ୍ୟତୀତ ଗିରଫଦାରୀ ଆଇନ ଅନୁଯାୟୀ ହୋଇନାହିଁ ବୋଲି ମଧ୍ୟ କୋର୍ଟ ତାଙ୍କ ରାୟରେ କହିଛନ୍ତି ।
କୋଚର ଦମ୍ପତି ସେମାନଙ୍କର ଗିରଫଦାରୀ ବେଆଇନ ବୋଲି କହି କୋର୍ଟରେ ଯୁକ୍ତି ବାଢିଥିଲେ । ସେମାନେ କହିଥିଲେ, ଧାରା ୧୭୪ ଅୁନଯାୟୀ, ଦୁର୍ନିତି ଅଭିଯୋଗର ତଦନ୍ତ ପାଇଁ ଆଇନଗତ ମଞ୍ଜୁରୀ ଆବଶ୍ୟକ । କିନ୍ତୁ ସେମାନଙ୍କୁ ସେହି ମଞ୍ଜୁରି ମିଳିନାହିଁ । ଏହା ଉପରେ ବିଚାର କରି ବମ୍ବେ ହାଇକୋର୍ଟ ଏହି ଗିରଫଦାରୀ ବେଆଇନ ବୋଲି କହିଛନ୍ତି। କୋର୍ଟଙ୍କ ଏହି ରାୟ ପରେ ଉଭୟଙ୍କର ମୁକିଳିବା ରାସ୍ତା ପ୍ରାୟ ସଫା ହୋଇଯାଇଛି ।
ଏହା ପୂର୍ବରୁ ଶୁକ୍ରବାର ବିଚାରପତି ରେବତୀ ମୋହିତ ଡେରେ ଏବଂ ବିଚାରପତି ପୃଥ୍ୱୀରାଜ ଚହ୍ୱାଣଙ୍କ ପୀଠ ଏହି ଯାଚିକାର ରାୟ ସଂରକ୍ଷିତ କରି ରଖିଥିଲେ । ସୂଚନାଥାଉ, ଭିଡିଓକୋନ ଗ୍ରୁପକୁ ଋଣ ଦେବାରେ ଦୁର୍ନୀତି ଅଭିଯାଗ ନେଇ ଡିସେମ୍ବର ୨୩ ତାରିଖରେ ସିବିଆଇ ଉଭୟଙ୍କୁ ଜେରା ପାଇଁ ଡକାଇଥିଲା । ପରେ ଉଭୟଙ୍କୁ ଗିରଫ କରିଥିଲା । ଏହା ପରେ ଡିସେମ୍ବର ୨୬ରେ ଭିଡିଓକନ ଗ୍ରୁପ ଫାଉଣ୍ଡର ବେନୁଗୋପାଳ ଧୁତଙ୍କୁ ମଧ୍ୟ ଗିରଫ କରିଥିଲା ।
Comments are closed.