ଭୁବନେଶ୍ବର : ଖଣିଜ ସମ୍ପଦରେ ପରିପୂର୍ଣ୍ଣ କେନ୍ଦୁଝର ଜିଲ୍ଲାକୁ ରାଜ୍ୟର ସବୁଠାରୁ ଧନୀ ଜିଲ୍ଲାରେ ଗୋଟିଏ ବୋଲି କୁହାଯାଇପାରେ। ଏହି ଖଣିଜ ସମ୍ପଦରେ ପରିପୂର୍ଣ୍ଣ ଜିଲ୍ଲା ସାରା ଓଡ଼ିଶାର ଅର୍ଥନୀତିକୁ ସମ୍ଭାଳିଛି କହିଲେ ଭୁଲ ହେବ ନାହିଁ। କିନ୍ତୁ ଦୂର୍ଭାଗ୍ୟର କଥା ହେଉଛି ଯୁଗ ଯୁଗ ଧରି ଏହି ଜିଲ୍ଲାରେ ବସବାସ କରୁଥିବା ଆଦିବାସୀମାନେ ଏସବୁ ବିକାଶଠାରୁ ଅନେକ ଦୂରରେ ରହିଆସିଛନ୍ତି। ଏପରିକି ସ୍ଵାସ୍ଥ୍ୟସେବା କ୍ଷେତ୍ରରେ ଏମାନେ ଏବେ ବି ପଛୁଆ। ଏବେ ବି ମ୍ୟାଲେରିଆରେ ଆକ୍ରାନ୍ତ ହୋଇ ଜରୁରୀ ଚିକିତ୍ସାସେବା ଅଭାବରୁ ଅନେକ ଆଦିବାସୀ ଅକାଳରେ ଆଖି ବୁଜିଦିଅନ୍ତି। ଏହି ଆଦିବାସୀମାନଙ୍କ ଲାଗି ଦେବଦୂତ ସାଜିଛନ୍ତି ଜଣେ ଆଶା କର୍ମୀ ସରସ୍ଵତୀ ପରିଡ଼ା।
କେନ୍ଦୁଝର ଜିଲ୍ଲାର ଆଦିମ ଅଧିବାସୀ ଜୁଆଙ୍ଗ ବହୁଳ ବ୍ଲକ ହରିଚନ୍ଦନପୁର ବ୍ଲକର ଖଜୁରୀବାଣୀ, ଖଣ୍ଡୁମରା ଓ ବରପଦା ଗ୍ରାମ ବଣ ପାହାଡ ଘେରା। ଏସବୁ ଦୂର୍ଗମ ଗାଁରେ ମ୍ୟାଲେରିଆ ଜ୍ଵର ଏକ ନିତିଦିନିଆ ଘଟଣା। ଦିନ ଥିଲା ମ୍ୟାଲରିଆରେ ପଡି ଏ ଗାଁଗୁଡିକରେ ଅନେକ ଲୋକ ମୃତ୍ୟୁବରଣ କରୁଥିଲେ। କିନ୍ତୁ ଆଶା ଦିଦି ସରସ୍ଵତୀଙ୍କ ନିଷ୍ଠାପର ସେବା ଆଗରେ ଏବେ ମ୍ୟାଲେରିଆ ହାର ମାନିବାକୁ ବସିଛି। ୨୦୧୫ ରେ ଏହି ତିନୋଟି ଗାଁର ମୋଟ ଲୋକସଂଖ୍ୟା ୧୨୦୦ ମଧ୍ୟରୁ ପ୍ରାୟ ଅଧା ଅର୍ଥାତ ୫୯୪ ଜଣ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥିଲେ। ପୁଣି ଏମାନଙ୍କ ମଧ୍ୟରୁ ୩୬୮ ଜଣ ମ୍ୟାଲେରିଆ ପଜିଟିଭ୍। ଏତେ ସଂଖ୍ୟାକ ରୋଗୀଙ୍କ ଶୁଶ୍ରୁଷା କରିବା କିଛି ଛୋଟ କଥା ନଥିଲା। କିନ୍ତୁ ହାର ମାନି ନଥିଲେ ସରସ୍ଵତୀ। ଦିନରାତି ଅକ୍ଲାନ୍ତ ପରିଶ୍ରମ କରି ସେ ରୋଗୀମାନଙ୍କର ସେବା କରିବା ସହ ଗୁରୁତର ଲୋକଙ୍କୁ ଡାକ୍ତରଖାନା ପହଞ୍ଚାଉଥିଲେ ବେଳେବେଳେ ସରକାରଙ୍କ ଦ୍ବାରା ଦିଆଯାଇଥିବା କ୍ଲୋରୋକ୍ଵିନ ବଟିକା ସରିଗଲେ ନିଜ ହାତରୁ ପଇସା ଖର୍ଚ୍ଚ କରି ସେ ଲୋକମାନଙ୍କୁ ମ୍ୟାଲେରିଆ ଔଷଧ ପ୍ରଦାନ କରୁଥିଲେ। ତାଙ୍କର ଏହି ନିଷ୍ଠାପର ଉଦ୍ୟମ ଯୋଗୁଁ ହିଁ ଏତେ ସଂଖ୍ୟାକ ରୋଗୀଙ୍କ ମଧ୍ୟରୁ ଜଣେ ହେଲେ ମଧ୍ୟ ମୃତ୍ୟୁବରଣ କରିନଥିଲେ। ରୋଗୀଟିଏ ଭଲ ହୋଇଗଲେ ହିଁ ତାଙ୍କ ପରିଶ୍ରମର ଫଳ ମିଳିଯାଏ ବୋଲି ସେ ମନେକରନ୍ତି।
ତାଙ୍କର ଏହି ସେବା ପାଇଁ ତାଙ୍କୁ ୨୭ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା। କେବଳ ମ୍ୟାଲେରିଆ ନୁହେଁ ସେ ଜୁଆଙ୍ଗ ଆଦିବାସୀଙ୍କ ସାମଗ୍ରୀକ ବିକାଶ ଦିଗରେ ମଧ୍ୟ କାର୍ଯ୍ୟ କରିଚାଲିଛନ୍ତି ସରସ୍ଵତୀ। ଆଦିବାସୀ ପିଲାଙ୍କୁ ପାଠ ପଢିବା ଲାଗି ଉତ୍ସାହିତ କରିବା, ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର, ବ୍ୟାଙ୍କ ଖାତା ଖୋଲିବା ଦିଗରେ ମଧ୍ୟରେ ସେ ଉଦ୍ୟମ ଅବ୍ୟହତ ରଖିଛନ୍ତି। ତେବେ ଶିକ୍ଷା କ୍ଷେତ୍ରରେ ପଛୁଆ ଥିବା ଆଦିବାସୀମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସଚେତନ କରିବା ହିଁ ସବୁଠାରୁ ଜରୁରୀ କଥା ବୋଲି ସେ କହନ୍ତି। ଲୋକେ ସଚେତନ ହେଲେ ଏସବୁ ପଛୁଆପଣ ଧୀରେ ଧୀରେ ଦୂରେଇ ଯିବ ବୋଲି ସେ କହିଛନ୍ତି। ଓଡ଼ିଶାର ଜଣେ ଆଶା କର୍ମୀ ଯମୁନାମଣିଙ୍କ ପ୍ରସଂଶା ଖୋଦ ପ୍ରଧାନମନ୍ତ୍ରୀ କରିବା ପରେ ସେ ସାରା ଦେଶରେ ପରିଚିତ ହୋଇଯାଇଛନ୍ତି। କିନ୍ତୁ ଆମ ରାଜ୍ୟରେ ଏପରି ଅନେକ ଯମୁନାମଣି ଅଛନ୍ତି ଯେଉଁ ମାନେ ଲୋକଲୋଚନରୁ ଦୂରରେ ରହି ଲୋକମାନଙ୍କ ସେବା କରିଆସୁଛନ୍ତି।
Comments are closed.