ନୂଆଦିଲ୍ଲୀ:ମଣିପୁର ରାଜ୍ୟର ସୁରକ୍ଷା ପରିସ୍ଥିତି ସମ୍ପର୍କରେ ଗୃହମନ୍ତ୍ରୀ ଅମିତ ଶାହ ମଣିପୁର ରାଜ୍ୟପାଳ ଏ.କେ. ଭଲ୍ଲା(Ajay Kumar Bhalla) ଏବଂ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ନୂଆଦିଲ୍ଲୀରେ ଏକ ସମୀକ୍ଷା ବୈଠକ କରିବାର କିଛି ଦିନ ପରେ ଅଶାନ୍ତ ମଣିପୁରରେ ଆଉ ଏକ ଉଗ୍ରବାଦୀ ଆକ୍ରମଣ ଘଟିଛି। ସୋମବାର ଭୋର ସମୟରେ ମଣିପୁରର ବିଷ୍ଣୁପୁର ଜିଲ୍ଲାରେ ତିନୋଟି ପୃଥକ IED (ଇମ୍ପ୍ରୋଭାଇଜଡ୍ ଏକ୍ସପ୍ଲୋସିଭ୍ ଡିଭାଇସ୍) ବିସ୍ଫୋରଣ ହୋଇଥିଲା।ଏହି ଅଞ୍ଚଳଟି ଚୁରାଚାନ୍ଦପୁର ଜିଲ୍ଲାକୁ ଲାଗି ରହିଛି । ଗୃହ ମନ୍ତ୍ରଣାଳୟ ଦ୍ୱାରା ପ୍ରାପ୍ତ ସୂଚନା ଅନୁଯାୟୀ, ଏହି ଆକ୍ରମଣରେ ଦୁଇ ଜଣ ଆହତ ହୋଇଛନ୍ତି ।
ଆହତମାନେ ହେଲେ ଇନ୍ଦୁବାଳା ଦେବୀ (୩୭) ଏବଂ ସୋଇବାମ ସାନଟୌଂବା (୫୧)।
ଏହା ଉଲ୍ଲେଖନୀୟ ଯେ ଶୁକ୍ରବାର ଦିନ ଗୃହମନ୍ତ୍ରୀ ଶାହ ରାଜ୍ୟପାଳ ଅଜୟ ଭଲ୍ଲା, ମଣିପୁର ସରକାରଙ୍କ ପରାମର୍ଶଦାତା କୁଲଦୀପ ସିଂହ, ମୁଖ୍ୟ ସଚିବ ପି.କେ. ଗୋୟଲ ଏବଂ ପୋଲିସ ମହାନିର୍ଦ୍ଦେଶକ ରାଜୀବ ସିଂହଙ୍କ ସହିତ ମଣିପୁରର ସୁରକ୍ଷା ପରିସ୍ଥିତି ସମୀକ୍ଷା କରିଥିଲେ।
ସୂଚନାନୁସାରେ ଫୋଗାକଚାଓ ପୋଲିସ ଷ୍ଟେସନ ଅଧୀନରେ ଥିବା ସାଇଥନ-ନଗାନୁକୋନ ଅଞ୍ଚଳର ଏକ ପରିତ୍ୟକ୍ତ ଘରେ ବିସ୍ଫୋରଣ ଘଟିଥିଲା। ରିପୋର୍ଟ ଅନୁସାରେ, ପ୍ରଥମ ଦୁଇଟି ବିସ୍ଫୋରଣ ସକାଳ ୫:୪୦ ରୁ ୫:୫୫ ମଧ୍ୟରେ ହୋଇଥିଲା, ତୃତୀୟ ବିସ୍ଫୋରଣ ପ୍ରାୟ ସକାଳ ୮:୩୦ରେ ହୋଇଥିଲା। ପ୍ରଥମ ବିସ୍ଫୋରଣ ଶୁଣି ଘଟଣାସ୍ଥଳକୁ ଦୌଡ଼ି ଆସିଥିବା ଦୁଇ ଜଣ ସ୍ଥାନୀୟ ବାସିନ୍ଦା ଦ୍ୱିତୀୟ ବିସ୍ଫୋରଣରେ ଆହତ ହୋଇଥିଲେ।
ଏହି ଅଞ୍ଚଳ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (CRPF) ର ସୁରକ୍ଷା ବଳୟ ଅଧୀନରେ ଆସିଥାଏ। ଘଟଣା ପରେ ତୁରନ୍ତ ସୁରକ୍ଷା ବାହିନୀ ଘଟଣାସ୍ଥଳରେ ପହଞ୍ଚି ସନ୍ଧାନ ଅଭିଯାନ ଆରମ୍ଭ କରିଥିଲେ।
ଅଧିକାରୀମାନେ କହିଛନ୍ତି ଯେ ଆଇଇଡିକୁ ଜାଣିଶୁଣି ଏକ ପରିତ୍ୟକ୍ତ ଘରେ ରଖାଯାଇଥିଲା। ପ୍ରଥମ ବିସ୍ଫୋରଣ ପରେ, ଯେତେବେଳେ ଲୋକମାନେ ପରିସ୍ଥିତି ଆକଳନ କରିବା ପାଇଁ ଘର ନିକଟକୁ ଗଲେ, ଦ୍ୱିତୀୟ ବିସ୍ଫୋରଣ ଘଟିଥିଲା। ସୁରକ୍ଷା ଏଜେନ୍ସିଗୁଡ଼ିକ ମତରେ ଏହି ଆକ୍ରମଣର ଉଦ୍ଦେଶ୍ୟ ଅଞ୍ଚଳରେ ଅଶାନ୍ତି ଏବଂ ଭୟର ବାତାବରଣ ସୃଷ୍ଟି କରିବା ଥିଲା।
ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି, ପ୍ରଭାବିତ ଅଞ୍ଚଳରେ ଅତିରିକ୍ତ ସୁରକ୍ଷା ବାହିନୀ ମୁତୟନ କରାଯାଇଛି। ବିସ୍ଫୋରଣ ପଛରେ ଥିବା ଅପରାଧୀଙ୍କୁ ଚିହ୍ନଟ କରିବା ପାଇଁ ପୋଲିସ ଏବଂ ସିଆରପିଏଫ ଦଳ କାମ କରୁଛନ୍ତି।