Latest Odisha News

BREAKING NEWS

ସାବାଡ୍ ହେବେ ଅମାନିଆ: ବେପରୁଆ ଗାଡ଼ି ଚାଳକଙ୍କୁ ଜଗିବ ଆଇଇଏମଏସ

ପୁରୀ: ସାବାଡ୍ ହେବେ ଅମାନିଆ । ବେପରୁଆ ଗାଡ଼ି ଚାଳକଙ୍କୁ ନିୟନ୍ତ୍ରଣ କରିବାକୁ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ପବିତ୍ର ଘୋଷଯାତ୍ରା ଅବସରରେ ଇଣ୍ଟେଲିଜେଣ୍ଟ ଏନଫୋର୍ସମେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ ବା ଆଇଇଏମଏସ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ବାଣିଜ୍ୟ ଓ ପରିବହନ ତଥା ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଏହି ବ୍ୟବସ୍ଥା ଦୁର୍ଘଟଣା ହ୍ରାସ ଦିଗରେ ବିଶେଷ ସହାୟକ ହେବ ।

ମୋଟର ଯାନ ଆଇନରେ ୨୦୨୧ ମସିହାରେ ପରିବର୍ତ୍ତନ ଆଣି ମୋଟର ଯାନ ଆଇନ ଉଲ୍ଲଙ୍ଘନ କରୁଥିବା ଯାନ ବିରୁଦ୍ଧରେ ଅତ୍ୟାଧୁନିକ ବିଜ୍ଞାନ ପଦ୍ଧତିରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ନିମନ୍ତେ ବ୍ୟବସ୍ଥା କରିଥିଲେ କେନ୍ଦ୍ର ସରକାର । ଆଇଇଏମଏସ ବା ଇଣ୍ଟେଲିଜେଣ୍ଟ ଏନଫୋର୍ସମେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ ହେଉଛି ଏ ଦିଗରେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ । ଦ୍ରୁତଗତିରେ ଯାନ ଚଳାଇବା, ବିନା ହେଲମେଟରେ ଯାନ ଚଳାଇବା, ବିପରୀତ ଦିଗରେ ଯାନ ଚଳାଇବା, ବେପରୁଆ ଯାନ ଚଳାଇବା ଇତ୍ୟାଦି ଦୁର୍ଘଟଣାର ମୁଖ୍ୟ କାରଣ ଅଟେ ।

ଏହି ବ୍ୟବସ୍ଥା ଦ୍ୱାରା ଅତ୍ୟାଧୁନିକ କ୍ୟାମେରା, ରାଡାର ଏବଂ ଅନ୍ୟାନ୍ୟ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ କରାଯାଇ ସ୍ୱୟଂଚାଳିତ ଜ୍ଞାନକୌଶଳରେ ମୋଟର ଯାନ ଆଇନର ଉଲ୍ଲଙ୍ଘନକାରୀମାନଙ୍କୁ ଚିହ୍ନଟ କରାଯିବ ଏବଂ ସେମାନଙ୍କ ବିରୋଧରେ ତ୍ୱରିତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ରାଜପଥ ଏବଂ ଜାତୀୟ ରାଜପଥର ୫୪୮ କିଲୋମିଟର ଦୂରତାକୁ ଆଇଇଏମଏସରେ ଅନ୍ତର୍ଭୁକ୍ତ କରାଯାଇଛି । ଏଥି ପାଇଁ ଆଗାମୀ ପାଞ୍ଚ ବର୍ଷରେ ୮୮ କୋଟି ଟଙ୍କାର ବ୍ୟୟ ଅଟକଳ ରଖାଯାଇଅଛି । ଆଇଇଏମଏସ ବ୍ୟବସ୍ଥାରେ ଅତ୍ୟାଧୁନିକ ଜ୍ଞାନକୌଶଳ ଜରିଆରେ ସଡ଼କରେ ସମସ୍ତ ଗାଡ଼ିର ଗତିବିଧି ଉପରେ ନଜର ରଖିହେବ । ଯାହା ନିୟମ ଉଲ୍ଲଙ୍ଘନ କରୁଥିବା ଚାଳକମାନଙ୍କୁ ନିୟନ୍ତ୍ରଣ କରିବା ଦିଗରେ ସହାୟତା ପ୍ରଦାନ କରିବ ।

Comments are closed.