ପୁରୀ: ସାରା ବିଶ୍ୱରେ ଏବେ କୋରୋନା ଭାଇରସ୍ ତାର କାୟା ବିସ୍ତାର କରୁଛି । ରାଜ୍ୟ ସରକାର ମଧ୍ୟ ଏହାକୁ ବିପର୍ଯ୍ୟୟ ଘୋଷଣା କରିଛନ୍ତି । ଏ ନେଇ ଲୋକଙ୍କୁ ବିଭିନ୍ନ ବାଟରେ ସଚେତନ କରାଯାଉଛି ।
ଏହି କ୍ରମରେ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ସୋସିଆଲ୍ ମିଡ଼ିଆରେ ଶନିବାର ସନ୍ଧ୍ୟାରେ ଏକ ଭିଡ଼ିଓ ବାର୍ତା ଜରିଆରେ ଲୋକମାନଙ୍କୁ ଭୟଭୀତ ନ ହୋଇ ସତର୍କ ରହିବା ପାଇଁ କହିଛନ୍ତି । କରୋନା ସଂକ୍ରମଣ ବିପଦ ଦୃଷ୍ଟିରୁ ନିହାତି ଜରୁରୀ ନ ଥିଲେ ପର୍ଯ୍ୟଟକ ଓ ବାହାର ଲୋକ ଅନ୍ତତଃ କିଛିଦିନ ପାଇଁ ପୁରୀକୁ ଆସନ୍ତୁ ନାହିଁ ବୋଲି ସେ ଅନୁରୋଧ କରିଛନ୍ତି । ଏଥି ସହିତ ସର୍ଦ୍ଦି, କାଶ, ଥଣ୍ଡା ଥିଲେ ସହର ଭିତରେ ପ୍ରବେଶ ନକରିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ସତର୍କତା ସ୍ୱରୂପ ପୁରୀକୁ ଆସୁଥିବା ସମସ୍ତ ଟୁରିଷ୍ଟ ବସଗୁଡିକୁ ମଧ୍ୟ ବନ୍ଦ କରାଯାଇଥିବା ସେ ସୂଚନା ଦେଇଛନ୍ତି ।
ପୁରୀ ବାସିନ୍ଦା ମଧ୍ୟ ନିହାତି ଆବଶ୍ୟକ ନଥିଲେ ଘରୁ ନ ବାହାରିବାକୁ ପରାମର୍ଶ ଦେବା ସହିତ କିଛି ଦିନ ପାଇଁ ପ୍ରଶାସନକୁ ଏଦିଗରେ ସହଯୋଗ କରିବା ପାଇଁ ସେ ଅନୁରୋଧ କରିଛନ୍ତି । ଲୋକମାନେ ନିଜେ କରୋନା ଭୁତାଣୁ ସଂକ୍ରମଣ ନେଇ ସଚେତନ ହେବା ସହ ଅନ୍ୟମାନଙ୍କୁ ସଚେତନ କରିବା ଉପରେ ବଲୱନ୍ତ ସିଂ ଗୁରୁତ୍ୱ ଦେଇଛନ୍ତି ।
ସୋସିଆଲ ମିଡିଆରେ କରୋନା ଭୁତାଣୁ ନେଇ ହେଉଥିବା ଗୁଜବ ଉପରେ ବିଶ୍ୱାସ ନକରି ଯଦି ନିିକଟରେ କେହି କରୋନା ଆକ୍ରାନ୍ତ ପୁରୀକୁ ଆସିଥିବା ଜାଣିଲେ ପ୍ରଶାସନକୁ ସୂଚନା ଦେବାକୁ ସେ ଅନୂରୋଧ କରିଛନ୍ତି ।
Comments are closed.