Latest Odisha News

EXCLUSIVE: ମୋଦୀଙ୍କ ନେତୃତ୍ୱାଧୀନ ଭାରତ ସରକାର ସହ ପଙ୍ଗା, ‘ଓଆଇସି’କୁ ପଡ଼ିବ ମହଙ୍ଗା !

ଭୁବନେଶ୍ୱର: ନିଲମ୍ବିତ ବିଜେପି ନେତ୍ରୀ ନୁପୂର ଶର୍ମାଙ୍କ ବିବାଦୀୟ ବୟାନକୁ ନେଇ ଇସଲାମିକ ଦେଶ ଭାରତ ବିରୋଧରେ ମେଳି କରିଛନ୍ତି। ଆଉ ଭାରତ ସରକାର ନୁପୂରଙ୍କ ମନ୍ତବ୍ୟ ପାଇଁ କ୍ଷମା ମାଗନ୍ତୁ ବୋଲି ଦାବି କରୁଛନ୍ତି। ‘ଅର୍ଗାନାଇଜେସ୍‌ ଅଫ୍‌ ଇସ୍‌ଲାମିକ୍‌ କୋଅପରେସନ୍‌’ର (ଓଆଇସି) ଜେନେରାଲ୍‌ ସେକ୍ରେଟେରିଏଟ୍‌ ଭାରତକୁ କ୍ଷମା ମାଗିବାକୁ ଦାବି କରିବା ପରେ ତୀବ୍ର ସମାଲୋଚନା କରିଛି ବୈଦେଶିକ ମନ୍ତ୍ରାଳୟ । ଭାରତ କହିଛି ଜଣେ ବ୍ୟକ୍ତିର ମତ କେବେ ଭାରତର ଆଭିମୁଖ୍ୟ ନୁହେଁ । ଆଭ୍ୟନ୍ତୀରଣ ବିବାଦରେ ବାହାର ଦେଶ ମୁଣ୍ଡ ପୁରାଇବା ଠିକ୍ ହେବନି। ଭାରତ ସରକାର ସବୁ ଧର୍ମକୁ ସର୍ବୋଚ୍ଚ ସମ୍ମାନ ଦିଅନ୍ତି। ସମ୍ପୃକ୍ତ ସଙ୍ଗଠନମାନେ ଉକ୍ତ ବ୍ୟକ୍ତିମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିସାରିଲେଣି।

ଏହାପରେ ବିଭିନ୍ନ ରିପୋର୍ଟ ପ୍ରକାଶ ପାଇଛି ଯେଉଁଥିରେ କୁହାଯାଇଛି ଭାରତର ମୋଦୀ ସରକାର ଇସଲାମିକ ଦେଶ ସହିତ ଭଲ ସମ୍ପର୍କ ଥିଲା। ହେଲେ ଏହି ପ୍ରସଙ୍ଗ ପାଇଁ ସମସ୍ତ ସମ୍ପର୍କ ବିଗିଡିପାରେ । ନିକଟରେ କୁଓ୍ୱେତର ଏକ ସପିଂ ମଲରେ ଭାରତୀୟ ସାମଗ୍ରୀ ଉପରେ ଢାଙ୍କି ଦେଇଥିଲେ ସପିଂ ମଲ କର୍ତ୍ତପକ୍ଷ । ସେହିପରି ଏଠାରେ ରହୁଥିବା ଭାରତୀୟଙ୍କ ଚାକିରି ପ୍ରତି ବିପଦ ଥିବା କଥା କୁହାଯାଉଛି। ଏହି ସବୁ ଦେଶ ସହ ଭାରତର ବାଣିଜ୍ୟିକ, ସାଂସ୍କୃତିକ ଏବଂ ଐତିହ୍ୟ ସମ୍ପର୍କ ରହିଛି। ଆଉ ଇନ୍ଧନ ପାଖରୁ ଆରମ୍ଭ କରି ଖାଇବା ତେଲ ପାଇଁ ଭାରତ ଇସଲାମିକ ଦେଶ ଉପରେ ନିର୍ଭରଶୀଳ। ଏପରି ସ୍ଥିତିରେ ଓଆଇସିରେ ଥିବା ୫୭ଟି ଦେଶ ଭାରତକୁ କ୍ଷମା ମାଗିବାକୁ ବାଧ୍ୟ କରୁଥିବା ଦେଖିବାକୁ ମିଳିଛି। କିନ୍ତୁ ଭାରତ ସରକାର ଏଯାବତ ଧାଡିକିଆ ବିବରଣୀ ଦେଇ ନିରବ ରହିଛନ୍ତି । ଆଉ ଏହାରି ଭିତରେ ଅଲକାଏଦା ଭଳି ଆତଙ୍କବାଦୀ ସଙ୍ଗଠନ ଭାରତରେ ଚାରୋଟି ରାଜ୍ୟରେ ଆତଙ୍କବାଦୀ ଆକ୍ରମଣ କରିବାକୁ ଯୋଜନା କରିଛି। ଏନେଇ ଏକ ଧମକପୂର୍ଣ୍ଣ ଚିଠି ମଧ୍ୟ ଜାରି କରିଛି। ଯାହାକୁ ନେଇ ଭାରତ ସରକାରର ମୁଣ୍ଡ ବିନ୍ଧା ଆରମ୍ଭ ହୋଇଛି।

ଏବେ ନଜର ପକାନ୍ତୁ କିଛି ବିରୋଧ କରୁଥିବା ଦେଶ କିପରି ଭାରତ ଉପରେ ନିର୍ଭର କରନ୍ତି।

କାତାରା

କାତାରରେ ପ୍ରାୟ ୬ ହଜାର ଛୋଟ ବଡ ଭାରତୀୟ କମ୍ପାନୀ ରହିଛି। ଏଥିରେ ପ୍ରାୟ ୩,୫୦୦ କୋଟି ଟଙ୍କାର ପୁଞ୍ଜିନିବେଶ ରହିଛି। ଏହି କମ୍ପାନୀ ଗୁଡ଼ିକର ଭିତ୍ତିଭୂମି, ଯୋଗାଯୋଗ, ଆଇଟି ଏବଂ ଏନର୍ଜି ବିଭାଗରେ ଭାରତୀୟ କାମ କରୁଛନ୍ତି। ୨୯ ଲକ୍ଷ ଜନସଂଖ୍ୟାରେ ପ୍ରାୟ ୭ ଲକ୍ଷ ଭାରତୀୟ ନାଗରିକ ରହିଛନ୍ତି। କାତାରରେ ସବୁଠାରୁ ବଡ଼ ପ୍ରବାସୀ ମଧ୍ୟରୁ ଭାରତୀୟ ସର୍ବାଧିକ । ମେଡିକାଲ, ଇଞ୍ଜିନିୟରିଂ, ଶିକ୍ଷା, ବ୍ୟାଙ୍କିଂ, ଫାଇନାନ୍ସ ଓ ଅନ୍ୟାନ୍ୟ କ୍ଷେତ୍ରରେ ଭାରତୀୟଙ୍କ ଉଲ୍ଲେଖନୀୟ ଅବଦାନ ରହିଛି। ଆସନ୍ତା ୨୦୨୨ ଫିଫା ବିଶ୍ୱକପରେ କାତାରରେ ଭିତ୍ତିଭୂମି ନିର୍ମାଣରେ ଭାରତୀୟ କମ୍ପାନୀମାନଙ୍କର ବଡ଼ ଭୂମିକା ରହିଛି। ଫିଫା ବିଶ୍ୱକପ୍ ପାଇଁ ଭାରତର ଏଲ ଆଣ୍ଡ ଟି ପକ୍ଷରୁ ଅହମ୍ମଦ ବିନ ଅଲ୍ଲୀ ଷ୍ଟାଡିୟମ ନିର୍ମାଣ କରାଯାଉଛି।

କୁଓ୍ୱେତ

୪୩ ଲକ୍ଷ ଜନସଂଖ୍ୟା ବିଶିଷ୍ଟ କୁଓ୍ୱେତରେ ପ୍ରାୟ ୧୦ ଲକ୍ଷ ଭାରତୀୟ ବସବାସ କରନ୍ତି। ଡାକ୍ତର, ନର୍ସ, ଇଞ୍ଜିନିୟର, ଚାଟାର୍ଡ ଆକାଉଣ୍ଟାଣ୍ଟ, ଟେକ୍ନିସିଆନ, ନିର୍ମାଣ ଶ୍ରମିକ ଭାବେ ପ୍ରାୟ ସାଢ଼େ ୫ ଲକ୍ଷ ଭାରତୀୟ କାମ କରୁଛନ୍ତି। ଏଠାରେ ବିଭିନ୍ନ ସରକାରୀ ଚାକିରିରେ ପ୍ରତ୍ୟକ୍ଷ ଭାବେ ନିଯୁକ୍ତି ପାଇଥିବା ଭାରତୀୟଙ୍କ ସଂଖ୍ୟା ପ୍ରାୟ ୨୮ ହଜାର ରହିଛି। କୁଓ୍ୱେତରେ ପ୍ରାୟ ୩ ଲକ୍ଷ ୫୦ ହଜାର ଭାରତୀୟ ଘରୋଇ କାମରେ ନିୟୋଜିତ ଅଛନ୍ତି। ଉଦାହରଣ ଡ୍ରାଇଭର, ରୋଷେୟା ଇତ୍ୟାଦି। ଭାରତୀୟ କମ୍ପାନୀମାନେ ଅର୍ଥ, ଭିତ୍ତିଭୂମି ଏବଂ ଆଇଟି ଭଳି କ୍ଷେତ୍ରରେ ବ୍ୟାପକ ପୁଞ୍ଜିନିବେଶ କରିଛନ୍ତି। ଭାରତ ସହାୟତାରେ କୁଓ୍ୱେତରେ ମେଡିକାଲ, ସଫ୍ଟଓ୍ୱୟାର ଏବଂ ମହାକାଶ ଭଳି କ୍ଷେତ୍ରରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି।

ସାଉଦି ଆରବ

ସାଉଦି ଆରବରେ ପ୍ରାୟ ୨ ବିଲିୟନ ଡଲାର (୧୫ ହଜାର କୋଟି ଟଙ୍କା)ର ନିବେଶ ସହିତ ପ୍ରାୟ ୭୪୫ ଭାରତୀୟ କମ୍ପାନୀ ରହିଛି। ଏହି କମ୍ପାନୀଗୁଡ଼ିକ ଭିତ୍ତିଭୂମି, ସଫ୍ଟଓ୍ୱୟାର, ଆର୍ଥିକ ସେବା ଆଦି କ୍ଷେତ୍ରରେ କାମ କରୁଛନ୍ତି। ସାଉଦି ଆରବରେ ୨.୨ ନିୟୁତ ଭାରତୀୟ ବସବାସ କରୁଛନ୍ତି। ଭାରତୀୟ ମାନେ ଏଠାରେ ଅଧିକ ପ୍ରବାସୀ। ସାଉଦି ଆରବର ବିକାଶରେ ସେମାନଙ୍କର ଅନେକ ଅବଦାନ ରହିଛି। ପ୍ରତିବର୍ଷ ଭାରତରୁ ହାରାହାରି ୨ ଲକ୍ଷ ହଜ୍ ଯାତ୍ରୀ ସାଉଦି ଆରବକୁ ଯାଉଛନ୍ତି।

ୟୁଏଇ

ୟୁଏଇରେ ୩.୪ ନିୟୁତ ଭାରତୀୟ ବସବାସ କରୁଛନ୍ତି। ଭାରତୀୟ କମ୍ପାନୀମାନେ ୟୁଏଇରେ ପ୍ରାୟ ୮୫ ବିଲିୟନ ଡଲାର ନିବେଶ କରିଛନ୍ତି। ୟୁଏଇରେ ଅନେକ ବଡ ବଡ ଭାରତୀୟ କମ୍ପାନୀର ପ୍ଲାଣ୍ଟ ରହିଛି। ସେମାନେ ସିମେଣ୍ଟ, ବିଲ୍ଡିଂ ମ୍ୟାଟେରିଆଲ୍, ଟେକ୍ସଟାଇଲ୍, ଇଞ୍ଜିନିୟରିଂ ପ୍ରଡକ୍ଟସ୍, ଇଲେକ୍ଟ୍ରୋନିକ୍ ପ୍ରଡକ୍ଟସ୍ ପ୍ରସ୍ତୁତ କରନ୍ତି।

ବାହାରିନ

୧୭ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ବାହାରିନରେ ୩ ଲକ୍ଷ ୫୦ ହଜାର ଭାରତୀୟ ବସବାସ କରନ୍ତି। ବାହାରିନରେ ପ୍ରାୟ ୩ ହଜାର ଛୋଟ ବଡ ଭାରତୀୟ କମ୍ପାନୀ ରହିଛି। ଭାରତୀୟ ବ୍ୟାଙ୍କର ୨୩ଟି ଶାଖା ରହିଛି। ବାହାରିନରେ ଭାରତୀୟ କମ୍ପାନୀର ପ୍ରାୟ ୨ ବିଲିୟନ ଡଲାର ନିବେଶ ରହିଛି। ଏହା ଆର୍ଥିକ କ୍ଷେତ୍ର, ରିଅଲ ଇଷ୍ଟେଟ୍ କ୍ଷେତ୍ର ଏବଂ ଆତିଥ୍ୟ କ୍ଷେତ୍ରରେ ରହିଛି।

ଓମାନ

ଓମାନରେ ପ୍ରାୟ ୪,୧୦୦ ଛୋଟ ବଡ଼ ଭାରତୀୟ କମ୍ପାନୀ କାମ କରୁଛନ୍ତି। ଏହି ପୁଞ୍ଜି ନିବେଶ ପ୍ରାୟ ୭ ବିଲିୟନ ଡଲାର ହେବ ବୋଲି ଆକଳନ କରାଯାଇଛି। ଇସ୍ପାତ, ସିମେଣ୍ଟ, ସାର, ବୟନଶିଳ୍ପ ଏବଂ ଅଟୋମୋବାଇଲ୍ କ୍ଷେତ୍ରରେ ଭାରତୀୟ କମ୍ପାନୀଗୁଡ଼ିକର ପୁଞ୍ଜିନିବେଶ ରହିଛି। ଓମାନର ଅଧିକାରୀମାନେ ଭାରତରୁ ବୈଷୟିକ ତାଲିମ ନେଉଛନ୍ତି। ଓମାନରେ ପ୍ରାୟ ୭ଲକ୍ଷ ୫୦ ହଜାର ଭାରତୀୟ ରହୁଛନ୍ତି।

ଖାଲି ଏତିକି ନୁହେଁ ଯେଉଁସବୁ ଦେଶମାନେ ଭାରତକୁ କ୍ଷମା ମାଗିବାକୁ ଦାବି କରୁଛନ୍ତି ୨୦୨୦-୨୧ ଆର୍ଥିକ ବର୍ଷିର ରିପୋର୍ଟ ଅନୁଯାୟୀ ଗହମ, ଚାଉଳ, ବାସୁମତି ଚାଉଳ, ଘିଅ, ମାଂସ, ଫଳ ଆଦି ଭାରତ ପାଖରୁ ଆମଦାନୀ କରନ୍ତି । କାରଣ ଭାରତର ଖାଦ୍ୟ ସାମଗ୍ରୀର ଦାମ କମ୍ ଗୁଣବତ୍ତା ଅଧିକ ରହିଥାଏ। ଇସଲାମିକ ଦେଶ ଗୁଡିକରେ ପାଣିର ଅଭାବ ରହିଥାଏ ତେଣୁ ଖାଦ୍ୟ ପାଖରୁ ଅନ୍ୟାନ୍ୟ କ୍ଷେତ୍ରରେ ଭାରତ ଉପରେ ନିର୍ଭର କରନ୍ତି।

କୋଭିଡ ବେଳେ ଇସଲାମିକ ଦେଶର ସେବାରେ ଭାରତ

କୋଭିଡ୍ ବେଳେ ସାରା ବିଶ୍ୱକୁ ଔଷଧ ପାଖରୁ ଆରମ୍ଭ କରି ଟିକା ପଠାଇ ଭାରତ ବିଶ୍ୱଗୁରୁ ହେବାର ଦକ୍ଷତା ରଖିଛି ବୋଲି ରାଜନୈତିକ ବିଶେଷଜ୍ଞ କୁହନ୍ତି। ଭାରତ କୋଭିଡ ବେଳେ ଯେଉଁସବୁ ଦେଶକୁ ସହଯୋଗ କରିଥିଲା ସେଥିମଧ୍ୟରେ ସୁପର ପାଓ୍ୱାର ଆମେରିକା ପାଖରୁ ଆରମ୍ଭ କରି ଇଟାଲୀ, ଜର୍ମାନୀ,  ଫ୍ରାନ୍ସ ସମେତ ଇସଲାମିକ ଦେଶ ରହିଛି।

  • ୧୫ ଜଣିଆ ଡାକ୍ତରୀ ଟିମ୍ ପଠାଇବାକୁ ଭାରତକୁ କୁଓ୍ୱେତ ଓ ୟୁଏଇ ଅନୁରୋଧ କରିଥିଲା।
  • କୁଓ୍ୱେତ ହେଉଛି ପ୍ରଥମ ଦେଶ ଯାହାର ପ୍ରଧାନମନ୍ତ୍ରୀ ଶେଖ୍ ସବାହ୍ ଅଲ୍ ଖଲିଫା ଅଲ୍ ହମାଦ ବ୍ୟକ୍ତିଗତ ଭାବେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଫୋନ୍ କରି ଏକ ଡାକ୍ତରୀ ଟିମ୍ କୁଓ୍ୱେତ ପଠାଇବାକୁ ଅନୁରୋଧ କରିଥିଲେ।
  • ବାହାରିନର ରାଜା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଫୋନ୍ କରି ହାଇଡ୍ରୋକ୍ସି-କ୍ଲୋରୋକୁଇନ୍ ପାଇଁ ଅନୁରୋଧ କରିଥିଲେ। ଯାହାକୁ ଭାରତ ତୁରନ୍ତ ଯୋଗାଇଥିଲା।
  • ଓମାନର ସୁଲତାନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଫୋନ୍ କରି ଡାକ୍ତରୀ ଉପକରଣ ଓ ବିଶେଷଜ୍ଞ ମାଗିଥିଲେ।
  • ଭାରତ ପକ୍ଷରୁ ୬ଟି ଉପସାଗରୀୟ ଦେଶ ବାହାରିନ, ଜୋର୍ଡାନ, ଓମାନ, କତାର, ସାଉଦି ଆରବ ଓ ୟୁଏଇକୁ ୪୫ ନିୟୁତ ଟାବଲେଟ୍ ଓ ୧୧ ନିୟୁତ ମେଟ୍ରିକ୍ ଟନ୍ ଔଷଧ ପଠାଯାଇଛି।
  • କୋଭିଡ ଆରମ୍ଭ ବେଳେ ପାରାସିଟାମଲ ଟାବଲେଟର ଚାହିଦା ଅଧିକ ଥିଲା। ପ୍ରଧାନମନ୍ତ୍ରୀ ମୋଦି କୁଏତ, ୟୁଏଇ, ଇରାକ ଓ ୟେମେନକୁ ୨୫ ନିୟୁତ ପାରାସିଟାମଲ ପଠାଇଥିଲେ।

Comments are closed.