Latest Odisha News

ଶଙ୍ଖ-ପଦ୍ମ ଏକାଠି ହେଲେ କାହା ଖାତାକୁ ଯିବ ପୁରୀ ଲୋକସଭା ଆସନ?

ଭୁବନେଶ୍ୱର: ସ୍ପଷ୍ଟ ହେଉନି ମେଂଟ ଗଣିତ। ଶଙ୍ଖ-ପଦ୍ମ ଏକାଠି ହେଲେ କାହା ଖାତାକୁ ଯିବ ପୁରୀ ସଂସଦୀୟ କ୍ଷେତ୍ର? ବିଜେପି ନା ବିଜେଡି, କିଏ ମଇଦାନକୁ ଓହ୍ଲାଇବ ସେନାପତି ? ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଶ୍ରେୟ ସହ ପୁରୀ ଗଡ ରକ୍ଷା କରିବାକୁ ବିଜେଡି ଚାହୁଁଛି, ତ ନିର୍ବାଚନର ଅନେକ ପୂର୍ବରୁ ଗ୍ରାଉଣ୍ଡରେ ସଂଗଠନ କାମ କରୁଛି ବିଜେପି । ମେଂଟ ହେଲେ ପୁରୀ ପାଇଁ ଆଶାୟୀ ରହିବେ ଉଭୟ ବିଜେଡି-ବିଜେପି।

ପୁରୀରୁ ଏବେ ସାଂସଦ ଅଛନ୍ତି ବିଜେଡିର ପିନାକୀ ମିଶ୍ର । ୨୦୧୯ରେ ବିଜେପି ହେଭିୱେଟ୍ ସମ୍ବିତ ପାତ୍ରଙ୍କୁ କ୍ଲୋଜ୍ ଫାଇଟରେ ମାତ୍ର ୧୨ହଜାରରୁ କମ୍ ଭୋଟରେ ହରାଇଥିଲେ ପିନାକୀ । କୁହାଯାଉଛି, ଏଥର ନିର୍ବାଚନ ଲଢିବାକୁ ଚାହୁଁନାହାନ୍ତି ପିନାକୀ । ଆଉ ସେଥିପାଇଁ ଗ୍ରାଉଣ୍ଡରେ ତାଙ୍କ ଦେଖା ବି ମିଳୁନି । ତେବେ ସମ୍ବିତ ପାତ୍ର ନିର୍ବାଚନ ମଣ୍ଡଳୀରେ ବେଶ୍ ଆକ୍ଟିଭ୍ । ଗାଁ ଗାଁରେ ଲୋକଙ୍କ ପାଖରେ ପହଂଚୁଛନ୍ତି । ମେଂଟ ଆଲୋଚନାର ଫାଇନାଲ୍ ରାଉଣ୍ଡ ଚାଲିଥିବା ବେଳେ ପିନାକୀ ନଲଢିଲେ ପୂର୍ବତନ ଆଇପିଏସ୍ ଅରୂପ ପଟ୍ଟନାୟକଙ୍କୁ ପୁରୀରୁ ପ୍ରାର୍ଥୀ କରିପାରେ ବିଜେଡି ।

ପ୍ରଶ୍ନ ଉଠୁଛି କାହିଁକି ପୁରୀ ପାଇଁ ଆଗ୍ରହୀ ବିଜେଡି ଓ ବିଜେପି ? ଏପର୍ଯ୍ୟନ୍ତ କେବଳ ପଶ୍ଚିମ ଓଡିଶାରେ ଗେରୁଆ ରଙ୍ଗର ଛାପ ଛାଡିଛି ବିଜେପି । ମେଂଟ ହିସାବରୁ ପୁରୀ ସିଟ୍ ପାଇଲେ, ବିଜେଡିର ଷ୍ଟ୍ରଙ୍ଗହୋଲଡ ଉପକୂଳ ଓଡିଶାକୁ ଖୋଲିବ ବିଜେପି ପାଇଁ ବାଟ । ସେପଟେ ମୁଖ୍ୟମନ୍ତ୍ରୀଙ୍କ ଡ୍ରିମ ପ୍ରୋଜେକ୍ଟ ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପର ଶ୍ରେୟକୁ ଭୋଟରେ ରୂପାନ୍ତର କରିବାର ସୁଯୋଗ ହାତଛଡା କରିବାକୁ ଚାହୁଁନି ବିଜେଡି ।

ପୁରୀ ଲୋକସଭା ଆସନରୁ ବିଜେଡି ଟିକେଟରୁ ୩ଥର ଓ କଂଗ୍ରେସ ଟିକେଟରୁ ଥରେ ସଂସଦକୁ ଯାଇଥିବା ପିନାକୀ ମିଶ୍ର ଏଥର ନିର୍ବାଚନ ଲଢିବାକୁ ଆଗ୍ରହୀ ନଥିବା ଚର୍ଚ୍ଚା ହେଉଛି । ୨୦୧୯ରେ ପିନାକୀଙ୍କୁ ଜବରଦସ୍ତ ଫାଇଟ୍ ଦେଇଥିଲେ ବିଜେପିର ସମ୍ବିତ ପାତ୍ର । ପିନାକୀ ଯଦି ନଲଢନ୍ତି ଗେରୁଆ ଦଳ ପାଇଁ ସମ୍ବିତ ସବୁଠୁ ଟାଣୁଆ ପ୍ରାର୍ଥୀ ସାବ୍ୟସ୍ତ ହୋଇପାରନ୍ତି । ପୁରୀ ଲୋକସଭା ଅଧୀନରେ ଆସୁଥିବା ୭ଟି ବିଧାନସଭା ସିଟ ମଧ୍ୟରୁ ୫ଟିରେ ବିଜେଡି ଓ ୨ଟିରେ ବିଜେପି ବିଧାୟକ ରହିଛନ୍ତି । ମେଂଟ ଆଲୋଚନା ପୂର୍ବରୁ ଉଭୟ ଦଳ ସବୁ ଆସନରେ କଡା ଟକ୍କର ଦେବାକୁ ପ୍ରସ୍ତୁତ ହେଉଥିଲେ । ହେଲେ ମେଂଟ ହେଲେ ବଦଳିବ ସମୀକରଣ । କାହାକୁ ମିଳିବ କେଉଁ ଆସନ ? ଲୋକସଭା ବିଜୟ ଉପରେ ବିଧାନସଭା ସିଟ୍ ଭାଗବଂଟାର କେତେ ପ୍ରଭାବ ପଡିବ ? ତେବେ ଗୋଟିଏ କଥା ସ୍ପଷ୍ଟ, ପୁରୀ ନିର୍ଣ୍ଣୟ କରିବ ଅନେକ ହେଭିୱେଟ୍ ନେତାଙ୍କ ଭାଗ୍ୟ ।

Leave A Reply

Your email address will not be published.