ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’
ଗୋବିନ୍ଦ ଆଜ୍ଞା ଆମ ଅଞ୍ଚଳର ଜଣେ ଅତି ପରିଚିତ ମଣିଷ। ଗାଁ ଲୋକଙ୍କ ଭାଷାରେ ସେ ବାଇଗଣ ପରିବା। ମାନେ ସମସ୍ତଙ୍କ ସାଙ୍ଗରେ ଭଲ। କେହି ତାଙ୍କର ଶତ୍ରୁ ନାହାନ୍ତି। ମାରିବା ପାଇଁ ଆସି ରାଗରେ ଗୋଟାପଣେ ନାଲି ପଡ଼ିଯାଇଥିବା ମଣିଷଟେ, ଗୋବିନ୍ଦ ଆଜ୍ଞାଙ୍କୁ ଦେଖିଲେ ଶାନ୍ତ ହୋଇଯାଏ। ତାଙ୍କ ପାଖରେ କି ଯାଦୁ ଅଛି କେଜାଣି, କେହି କେବେ ତାଙ୍କ ବିରୋଧରେ କିଛି କହି ନାହାନ୍ତି। ସମସ୍ତେ ତାଙ୍କୁ ଖୁବ୍ ଭଲ ପାଆନ୍ତି। ନ ପାଆନ୍ତେ ବା କେମିତି ? କାରଣ, ଯେତେବେଳେ ବି ଯାହାକୁ ଦରକାର ପଡ଼ିଛି, ତାର ସୁବିଧା ଅସୁବିଧାରେ ହାଜର ହୋଇଛନ୍ତି ଗୋବିନ୍ଦ ଆଜ୍ଞା। ହଁ, ଗୋବିନ୍ଦ ଆଜ୍ଞା ଆମ ଅଞ୍ଚଳର ଜଣେ ଅବସରପ୍ରାପ୍ତ ଶିକ୍ଷକ। ପାଠ ପଢ଼ାଉଥିଲା ବେଳେ ଯେମିତି, ଅବସରପ୍ରାପ୍ତି ପରେ ବି ସେମିତି। ଅନେକ ସମୟରେ ସେ କହନ୍ତି, ତାଙ୍କ ପିଲାଦିନଟି ଅତ୍ୟନ୍ତ ଦୁଃଖକଷ୍ଟରେ କଟିଥିଲା। ସେଥିପାଇଁ ବୋଧ ହୁଏ ପିଲାଦିନରୁ ହିଁ ଦୁଃଖୀ, ରଙ୍କୀ, ପୀଡ଼ିତ ମଣିଷଙ୍କୁ ଦେଖିଲେ ତାଙ୍କ ଭିତରେ ଏକ ଅହେତୁକ ସମବେଦନା ଜାଗ୍ରତ ହୋଇଯାଏ। କେବେ କେବେ ଅନ୍ୟର ଦୁଃଖ ଦେଖିଲେ ସେ କୋହ ସମ୍ବରଣ କରିନପାରି କାନ୍ଦି ପକାନ୍ତି। ନିଜ ଜୀବନରେ କିଛି କରନ୍ତୁ କି ନକରନ୍ତୁ, ଅନ୍ୟର ଉପକାର କରିବାରେ କେବେ କିନ୍ତୁ ପଛାଇନାହାନ୍ତି ସେ।
ସେଦିନ ଗୋବିନ୍ଦ ଆଜ୍ଞାଙ୍କ ଦାଣ୍ଡ ବାରଣ୍ଡାରେ ବସିଥାଏ ମୁଁ। ଗାଁର ହାଲଚାଲ ସମ୍ପର୍କରେ ତାଙ୍କ ସହିତ ଆଲୋଚନା କରୁଥାଏ। ଆମ କଥା ପ୍ରସଙ୍ଗରେ ଆଜିକାଲିର ପିଲାମାନେ କେତେ ଉତଶ୍ରୁଙ୍ଖଳ ହୋଇଗଲେଣି, ସେ କଥା କହି ବହୁ ମନଊଣା କରୁଥିଲେ ସେ। ସେତିକି ବେଳେ ପାଖ ଗାଁର ତାଙ୍କର ଜଣେ ସମ୍ପର୍କୀୟ ସେଇଠି ପହଞ୍ଚିଲେ। ଗୋବିନ୍ଦ ଆଜ୍ଞା, ତାଙ୍କୁ ଭାଇନା ବୋଲି ସମ୍ୱୋଧନ କରନ୍ତି। ବଡ଼ଭାଇ ଭଳି ସବୁବେଳେ ସମ୍ମାନ ଦିଅନ୍ତି। ମୋ ଉପସ୍ଥିତିରେ ହିଁ ସେ କହିଲେ, ଏଇ କିଷନ ଭାଇନା ମୋତ ପିଲାଦିନେ ଅନେକ ସାହାଯ୍ୟ କରିଛନ୍ତି। ଏପରିକି ମୋ ପାଠ ପଢ଼ା ବେଳେ ବି ବହିପତ୍ର କିଣାକିଣିରେ ତାଙ୍କ ସହଯୋଗ ଥିଲା। ତେଣୁ ତାଙ୍କ ପାଖରେ ମୁଁ ଋଣୀ। ଗୋବିନ୍ଦ ଆଜ୍ଞାଙ୍କ କଥାବାର୍ତ୍ତାରୁ କିଷନ ବାବୁଙ୍କ ପ୍ରତି ରହିଥିବା ତାଙ୍କ ଶ୍ରଦ୍ଧା ଏବଂ କୃତଜ୍ଞତା ଉଭୟ ଝଲସି ଉଠୁଥିଲା। ଆଜି ଗୋବିନ୍ଦ ଆଜ୍ଞାଙ୍କ ବୟସ ଯଦି ଧରିନିଅ ପଞ୍ଚଷଠି ବର୍ଷ, ତାହେଲେ କିଷନ ବାବୁଙ୍କ ବୟସ ଏଇ ଅଠସ୍ତରୀ ଖଣ୍ଡେ ହେବ। ତେଣୁ ତାଙ୍କ ପ୍ରତି ଗୋବିନ୍ଦ ଆଜ୍ଞାଙ୍କ ସମ୍ମାନବୋଧ ରହିବା ବି ସ୍ୱାଭାବିକ କଥା। ତେବେ ସେଦିନ କିଷନ ବାବୁଙ୍କ ମନ ଖୁବ୍ ଉଦାସ ଥିଲା। କିଷନ ବାବୁଙ୍କ ଚେହେରା ଦେଖିଲା ପରେ ଗୋବିନ୍ଦ ଆଜ୍ଞା ସାମାନ୍ୟ ବିଚଳିତ ଜଣା ପଡୁଥିଲେ। ତେବେ ଉଭୟଙ୍କ କଥାବାର୍ତ୍ତା ଆରମ୍ଭ ହେବା ଦେଖି, ମୁଁ ସେଠାରୁ ଉଠି ଆସିବାକୁ ଚାହୁଁଥିଲା ବେଳେ, କିଷନ ବାବୁ କହିଲେ, ନାଇଁ ବାବୁ, ତମେ ବି ଏଇଠି ବସ। ତମେ ବି ଜାଣିଥାଅ ମୋ ଘରର କଥା। ମୁଁ ଆଉ କେତେ ଦିନ ରହିବି ଏ ଦୁନିଆରେ, ସେ କଥା ତ ମୋତେ ଜଣା ନାହିଁ। କିନ୍ତୁ ଅନ୍ତତଃ ପାଠପଢୁଆ ପିଲା ଭାବେ ତମେ ଏ ସବୁ କଥା ଜାଣିବା ଦରକାର।
ତା’ ପରେ ହଠାତ୍ ଗମ୍ଭୀର ହୋଇଉଠିଲା କିଷନ ବାବୁଙ୍କ ସ୍ୱର। ସେ କଥା କହିବା ପୂର୍ବରୁ ଲାଗୁଥିଲା ଯେମିତି ତାଙ୍କ ଭିତରେ କେତୋଟି ମହାବାତ୍ୟା ବହିଯାଇଛି। ସେ ବାତ୍ୟା ପରର ନୀରବତା ତାଙ୍କୁ ଆବୋରି ବସିଛି। ସେ ଭିତରେ ଭିତରେ ସବୁ ଉଜୁଡ଼ି ଯାଇଥିବା ଶକ୍ତିକୁ ସଞ୍ଚୟ କରି କହିବାକୁ ଚେଷ୍ଟା କରୁଛନ୍ତି। ତାଙ୍କୁ ଦେଖିଲେ ଲାଗୁଥିଲା ଯେମିତି ତାଙ୍କ ଭିତରେ ଉଠୁଥିବା ପୂର୍ଣ୍ଣିମାର ପ୍ରବଳ ଜୁଆର ତାଙ୍କ ଆଖିଦେଇ ବହିଯାଇ ବେଳାଭୂମି ଲଙ୍ଘିବାକୁ ବସିଛି। ଗୋବିନ୍ଦ ଆଜ୍ଞା କିଷନ ବାବୁଙ୍କ ପାଖକୁ ଘୁଞ୍ଚି ଆସିଲେ। ତାଙ୍କ ହାତ ଦୁଇଟାକୁ ନିଜ ହାତରେ ଜୋରରେ ଜାବୁଡ଼ି ଧରିଲେ। କହିଲେ, ଭାଇନା .. ମନରେ ଯାହା ଅଛି ନିର୍ଦ୍ୱନ୍ଦ୍ୱରେ କୁହନ୍ତୁ। କିଛି ବ୍ୟସ୍ତ ହେବାର ନାହିଁ। ମୋ ଦ୍ୱାରା ଯାହା ସମ୍ଭବ, ମୁଁ ଆପଣଙ୍କ ପାଇଁ ତାହା କରିବା ପାଇଁ ପ୍ରସ୍ତୁତ ଅଛି।
କିଷନ ବାବୁ କହିଲେ, ମୋର ତିନି ପୁଅ ଆଉ ବୋହୂ ସମସ୍ତେ ଆମକୁ ଘରୁ ବାହାର କରିଦେଇଛନ୍ତି। ସପ୍ତାହେରୁ ଅଧିକ ହେଲାଣି ଆମ ପାଇଁ ସେମାନଙ୍କ ଓଧାଣିରେ ଚାଉଳ ପଡୁନି। ଆମେ ବୁଢ଼ା ବୁଢ଼ୀ କେତେବେଳେ ଦୋକାନରୁ ଚୁଡ଼ା ଆଣି ଖାଉଛୁ ତ ଆଉ କେତେବେଳେ ଭୋକରେ ଶୋଉଛୁ। କହିଲ ଗୋବିନ୍ଦ, ତମେ ନିଜେ ଦେଖିଛ, ଏଇ ପିଲାମାନଙ୍କ ପାଇଁ ମୁଁ କେତେ କଷ୍ଟ ନକରିଛି? ଶେଷରେ ସେମାନେ ମୋତେ ଏମିତି ଦିନ ଦେଖାଇବେ, ମୁଁ କେବେ ଭାବିନଥିଲି।
ମୁଁ ଜାଣିଥିଲି କିଷନ ବାବୁଙ୍କ ତିନି ପୁଅଙ୍କୁ। ମାଧବାନନ୍ଦ, ବିଜୟାନନ୍ଦ ଆଉ ନିଖିଳାନନ୍ଦ। ଏଇ ତିନି ପୁଅଙ୍କ ପରେ କିଷନ ବାବୁଙ୍କ ଗୋଟିଏ ଝିଅ ପଙ୍କଜିନୀ। ପଙ୍କଜିନୀର ସ୍ୱାମୀ ଚାକିରିଆ। ଅଧିକାଂଶ ସମୟରେ ଗାଁରୁ ବାହାରେ ରହନ୍ତି। ତେଣୁ ପଙ୍କଜିନୀର ସୁବିଧା ଅସୁବିଧାରେ ସବୁବେଳେ ଠିଆ ହୁଅନ୍ତି କିଷନ ବାବୁ ଓ ତାଙ୍କ ସ୍ତ୍ରୀ। କିନ୍ତୁ ଏଇ ତିନି ପୁଅ କେବେ ବି ପଙ୍କଜିନୀର ଅସମୟରେ ଠିଆ ହୋଇନାହାନ୍ତି। କିଷନଙ୍କ ବଡ଼ପୁଅ ମାଧବାନନ୍ଦ କେ.କେ.ଏମ୍.ପି .. ମାନେ କୁନ୍ଥେଇ କୁନ୍ଥେଇ ମାଟ୍ରିକ୍ ପାସ୍। କିନ୍ତୁ କଥାବାର୍ତ୍ତା ଶୁଣିଲେ ଲାଗିବ, ବିଶ୍ୱର ସର୍ବଶ୍ରେଷ୍ଠ ଜ୍ଞାନୀଙ୍କୁ ଯେମିତି ଏବେ ଏବେ ସିଏ କଟକ ମାଲଗୋଦାମରେ ବିକିଦେଇ ଆସିଛି। ଏତେ ବଡ଼ ବଡ଼ କଥା ଯେ, ହଳ ଶଗଡ଼ କଣ, ରେଳଗାଡ଼ିରେ ଲଦିଲେ ବି ଆହୁରି ବଳିପଡ଼ିବ। ବିଜୟାନନ୍ଦ କଥା ନକହିଲେ ଭଲ। କେତେବେଳେ ମାମୁଙ୍କୁ ମଉସା ବୋଲି କହେ ତ ଆଉ କେତେବେଳେ ମଦନିଶାରେ ଦୁନିଆଟାକୁ ଫୁଟବଲଠୁ ବି ସାନ ମନେ କରେ। ନିଖିଳାନନ୍ଦ ତ ସମସ୍ତଙ୍କଠୁ ବଳି। ଯେତେବେଳେ ପାଠ ପଢୁଥିଲା, ସେତେବେଳେ କହୁଥିଲା, ଏ ଗାଁରେ ତା’ ଭଳି ଯୋଗ୍ୟ ଛାତ୍ର କେହି ନାହିଁ। ସିଏ ଯାହା କରିପାରିବ, ତାହା ଅନ୍ୟ କେହି କରିପାରିବେ ନାହିଁ। ସିଏ ଯାହା କରିପାରିବ ନାହିଁ, ତାହା ଅନ୍ୟ କେହି କରିବା କଥା କଳ୍ପନା ବି କରିପାରିବେ ନାହିଁ। କେମିତି କଣ କରି ମାଟ୍ରିକ୍ ପାସ୍ କରିସାରିବା ପରେ ଯେତେବେଳେ କଲେଜ ଗଲା, ସବୁଦିନ ନୂଆ ନୂଆ କାହାଣୀ ନେଇ ଘରକୁ ଆସିଲା। ଆଉ ଶେଷରେ ଅଧାରେ ରହିଗଲା କଲେଜ ପଢ଼ା। ପୁଅ କଲେଜ ପଢୁଛି ବୋଲି, କିଷନ ବାବୁ ନିଜର ଗୋଟିଏ ପରେ ଗୋଟିଏ ଜମି ବିକି ତାର ଦାବି ମୁତାବକ ତାକୁ ପଇସା ବି ଦେଉଥିଲେ ସେ। ସବୁଠୁ ବଡ଼କଥା ହେଉଛି, ନିଜ ପୁଅକୁ ନେଇ ସବୁଠୁ ଗର୍ବ କରୁଥିବା କିଷନ ବାବୁଙ୍କ ସ୍ତ୍ରୀଙ୍କ କଥା ଯିଏ ଶୁଣିଛି ସିଏ ଜାଣିଛି। ଅନେକ ସମୟରେ ଗାଁ ସ୍ତ୍ରୀଲୋକଙ୍କ ଆଗରେ ବଡ଼ ଗର୍ବରେ ସେ କହନ୍ତି, ମୋ ପୁଅ ପଢୁଥିବା ଗୋଟିଏ ବହିର ପଇସା ଆଗରେ କେଡ଼େ କେଡ଼େ ଲୋକଙ୍କ ସମ୍ପତ୍ତି ନାହିଁ। ମୋ ପୁଅ ଯେତେବେଳେ ପାଠପଢ଼ି ଅଫିସର ହେବ, ସେତେବେଳେ ଗାଁ ଲୋକେ ଦେଖିବେ। ତିନି ପୁଅର ମାଆ ବୋଲି ଯାହାର ପୁଅ ନଥାଏ, ତାକୁ ଅତି ହୀନ ଦୃଷ୍ଟିରେ ଦେଖୁଥିଲେ ସେ। କେବଳ ସେତିକି ନୁହେଁ, ପୁଅମାନଙ୍କୁ ନେଇ ଏତେ ଅହଂକାର, ହୁଏତ ଶହେ ପୁଅର ମାଆ କୁରୁରାଣୀ ଗାନ୍ଧାରୀ ବି କେବେ କରିନଥିବେ। କିନ୍ତୁ ଆଜି ଯେତେବେଳେ ସେଇ ପାଠପଢୁଆ ପୁଅ ଘରୁ ଡେଣା ଧରି ବାହାର କରିଦେଲା, ସେତେବେଳେ ସେ ଆଉ କାହା ଆଗରେ ନିଜ କଥା କହିବେ, ସେଇଆ ହିଁ ଚିନ୍ତା କରୁଥାନ୍ତି। ଚୋର ମାଆ କାନ୍ଦିଲେ ଦୁଆର ଦେଇ କାନ୍ଦେ ନ୍ୟାୟରେ, ନିଜ ଦୁଃଖକୁ କିଷନ ବାବୁ କି ତାଙ୍କ ପତ୍ନୀ କାହାରି ଆଗରେ କହିପାରୁନାହାନ୍ତି।
ପୁଅମାନଙ୍କ ଦ୍ୱାରା ଅପମାନିତ ଏବଂ ଉପେକ୍ଷିତ ହୋଇ କିଷନ ବାବୁ ବାହାରିଛନ୍ତି ଝିଅ ଘରକୁ। ଜ୍ୱାଇଁ ତ ବାହାରେ। ତେଣୁ ନାତି ନାତୁଣୀଙ୍କ ସହିତ ଝିଅ ଘରେ ଅନ୍ତତଃ କିଛି ଦିନ କଟାଇ ଦେଲେ, କାଳେ ପୁଅମାନଙ୍କ ମନ ପରିବର୍ତ୍ତନ ହେବ। ଆଉ ସେମାନେ ପୁଣି ଥରେ ବାପାମାଆଙ୍କୁ ଫେରାଇ ନେଇଯିବେ, ସେହି ଆଶା ସେମାନଙ୍କ। କିନ୍ତୁ ଝିଅ ଘରେ ରହିବା କଥା ଭାବିଲା ବେଳେ, ମନଟା କାହିଁକି କେଜାଣି ଭିତରେ ଭିତରେ ହାଣି ହୋଇଯାଉଛି କିଷନ ବାବୁଙ୍କର। ଆରେ, ଏକଦା ପ୍ରତିପତ୍ତିସମ୍ପନ୍ନ କିଷନ ବାବୁ ଆଜି ନିଜ ଘରୁ ବିତାଡ଼ିତ ହୋଇ ଝିଅ ଘରେ ରହୁଛନ୍ତି? ଏଇ ପ୍ରଶ୍ନ କାଳେ ଲୋକଙ୍କ ମନରେ ଉଠିବ, ଦୁନିଆ ଲୋକ କଣ କହିବେ? ଏମିତି ହିଁ ବାରମ୍ବାର ଚିନ୍ତା କରି ଅଧିକରୁ ଅଧିକ ଭାଙ୍ଗିପଡୁଥାନ୍ତି କିଷନ ବାବୁ। ଏଇ ସବୁ କଥା ଯେତେବେଳେ ମନଖୋଲି ଗୋବିନ୍ଦ ଆଜ୍ଞାଙ୍କ ସାମ୍ନାରେ କହିଦେଲେ ସେ, ତାଙ୍କୁ ଟିକିଏ ହାଲୁକା ଲାଗୁଥାଏ।
ଗୋଟିଏ ଦୀର୍ଘଶ୍ୱାସ ସହ କିଷନ ବାବୁ କହିଲେ, ବୁଝିଲ ଗୋବିନ୍ଦ, ଆଉ କେତେ ଦିନ ବଞ୍ଚିବି ଯେ, ଏତେ କଥା ଚିନ୍ତା କରିବି। ଦେଖ .. ସେଇ ଜଗନ୍ନାଥଙ୍କ ଯାହା ଇଚ୍ଛା। ଗୋବିନ୍ଦ ବାବୁ ନିଜ କାନ୍ଧରେ ଥିବା ଗାମୁଛାଟାକୁ ନେଇ କିଷନ ବାବୁଙ୍କ ଆଖିରୁ ବହି ଯାଉଥିବା ଲୁହଧାରକୁ ପୋଛୁ ପୋଛୁ ନିଜେ କାନ୍ଦି ପକାଇଲେ। କହିଲେ, ଭାଇନା .. ଆଉ ଚିନ୍ତା କରି କିଛି ଲାଭ ନାହିଁ। ଈଶ୍ୱରଙ୍କୁ ପ୍ରାର୍ଥନା କରନ୍ତୁ, ଅନ୍ତତଃ ଏଇ ପିଲାମାନଙ୍କୁ ସେ ସଦବୁଦ୍ଧି ଦିଅନ୍ତୁ। ଅନ୍ତତଃ ସେମାନଙ୍କ ପରିଣତ ବୟସରେ ସେମାନଙ୍କ ପିଲାମାନେ ସେମାନଙ୍କ ସହିତ ଏମିତି ନକରନ୍ତୁ। କିଷନ ବାବୁ ଆଉ କିଛି ନକହି, ହଠାତ୍ ସେଠାରୁ ଉଠି ପଡ଼ିଲେ ଏବଂ ଏକମୁହାଁ ହୋଇ ଆଗକୁ ଚାଲିଲେ। ଗୋବିନ୍ଦ ଆଜ୍ଞା ବି କିଷନ ବାବୁଙ୍କୁ ଅନୁସରଣ କରି କିଛି ପାଦ ଯାଇଥିଲେ ଆଗକୁ। କିଛି ସମୟ ପରେ ସେହି ବାଟ ଦେଇ ବାଡ଼ି ଖଣ୍ଡିଏ ଧରି ନଇଁ ନଇଁ ଚାଲୁଥିଲେ କିଷନ ବାବୁଙ୍କ ସ୍ତ୍ରୀ। ଗୋବିନ୍ଦ ବାବୁଙ୍କ ଘର ପାର ହୋଇ ଆଉ ଗୋଟିଏ ସାହିକୁ ଗଲେ ପଙ୍କଜିନୀର ଘର। କିଷନ ବାବୁ ଓ ତାଙ୍କ ସ୍ତ୍ରୀ ସେଠାକୁ ହିଁ ଯାଉଥିଲେ ବୋଧେ। ଗୋବିନ୍ଦ ଆଜ୍ଞାଙ୍କ ବାରଣ୍ଡାରେ ବସି ମୁଁ କେବଳ ଭାବୁଥିଲି, ଯେଉଁ ବାପା ମାଆ ନିଜ ଜୀବନର ସମସ୍ତ ଜମାପୁଞ୍ଜି ଖର୍ଚ୍ଚ କରି ପିଲାମାନଙ୍କୁ ମଣିଷ କରାନ୍ତି, ସେମାନଙ୍କୁ ପୁଣି କେମିତି ଉପେକ୍ଷା କରିପାରନ୍ତି ପିଲାମାନେ? ନିଜ ପରିବାର ଓ ବାପା ମାଆଙ୍କୁ ଉପେକ୍ଷା କରୁଥିବା ମଣିଷମାନେ ଯେ ନିଜେ ଦିନେ ଉପେକ୍ଷିତ ହେବେନି, ସେ କଥା କଣ କେହି କହିପାରିବେ?
ବିଭାଗୀୟ ମୁଖ୍ୟ
ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍
ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ
ପିନ୍-୧୪୦୪୧୩
ଫୋନ୍- ୯୯୩୭୨୫୨୪୬୪
Comments are closed.