Latest Odisha News

ଜଣେ ୫ ଜଣଙ୍କୁ ହତ୍ୟା କରିବା ସମ୍ଭବ ? ତଦନ୍ତ ବେଳେ ଏହି ସବୁ ପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ

ମାହାଙ୍ଗା: କଟକ ମାହାଙ୍ଗାରେ ଗୋଟିଏ ପରିବାରର ପାଞ୍ଚ ଜଣ ସଦସ୍ୟଙ୍କୁ ନିର୍ମମ ଭାବେ ହତ୍ୟା କରାଯିବା ଘଟଣା ସାରା ରାଜ୍ୟକୁ ସ୍ତବ୍ଧ କରାଇ ଦେଇଛି ।ପ୍ରାଥମିକ ତଦନ୍ତରୁ ଅଭିଯୁକ୍ତ ଶିବ ସାହୁ ନିଜ ବଡ଼ ଭାଇର ପୁରା ପରିବାରକୁ ହତ୍ୟା କରିଥିବା ଜଣାପଡିଛି। କିନ୍ତୁ ଜଣେ ଲୋକ କେମିତି ଏକା ସାଙ୍ଗରେ ଏତେ ଜଣଙ୍କୁ ହତ୍ୟା କଲା? ନିଜେ ହତ୍ୟା କରି କିପରି ଅତି ସହଜରେ ଭିଡିଓ ତିଆରି କରି ସେୟାର କଲା ? ହତ୍ୟା କରିବା ବେଳେ ଆତ୍ମରକ୍ଷା ପାଇଁ କଣ କେହି ଚିତ୍କାର କଲେନି ? ଯଦିଓ ଅଭିଯୁକ୍ତ ଶିବ ସାହୁ ଭୁଲ ସ୍ୱୀକାର କରି ଜେଲରେ ଆତ୍ମସମର୍ପଣ କରିଛି । କିନ୍ତୁ ଏପରି କିଛି ପ୍ରଶ୍ନକୁ ନେଇ ପୁଲିସ ତଦନ୍ତ ଚଳାଇଛି।

କେନ୍ଦ୍ରାଞ୍ଚଳ ଆଇଡି ନରସିଂହ ଭୋଳ ଏହି ଘଟଣାରେ ଅନ୍ୟ କେହି ସମ୍ପୃକ୍ତ ଥିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ ବୋଲି କହିଛନ୍ତି । ସେ କହିଛନ୍ତି, ହତ୍ୟାକାଣ୍ଡ ପୂର୍ବରୁ କୌଣସି ଗଣ୍ଡଗୋଳ ଶୁଣିନଥିବା କହୁଛନ୍ତି ପଡ଼ୋଶୀ । ତେଣୁ ଅନୁମାନ କରାଯାଉଛି ଯେ ହତ୍ୟାକାଣ୍ଡ ପୂର୍ବରୁ ଅଭିଯୁକ୍ତମାନେ ମୃତକଙ୍କୁ ନିଶା ଦେଇଥାଇପାରନ୍ତି।

ହତ୍ୟାକାଣ୍ଡକୁ ନେଇ କିଛି କହିବା ତରବରିଆ ହେବ । ଏହି ମାମଲାରେ ଅନ୍ୟ କେହି ଥିବା ସମ୍ଭାବନାକୁ ଆମେ ଏଡ଼ାଇ ଦେଇ ପାରିବୁ ନାହିଁ ବୋଲି ନରସିଂହ ଭୋଳ କହିଛନ୍ତି। ଏହି ଲୋମହର୍ଷଣକାରୀ ଘଟଣାରେ କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ କୁସୁପୁର ଗାଁରେ ଘଟିଛି । ଜମି ଜମା ବିବାଦକୁ ନେଇ ବଡ଼ଭାଇ ପରିବାରର ୫ ଜଣଙ୍କୁ ଶିବ ସାହୁ ହତ୍ୟା କରିଥିବା କହିଛି। ଏମିତିକି ବଡ ଭାଇର ପରିବାର ଲୋକେ ତାଙ୍କୁ ନିର୍ଯାତନା ଦେଉଥିଲେ ବୋଲି ଶିବ କହିଛି । ମୃତକମାନେ ହେଲେ ଅଲେଖ ସାହୁ, ତାଙ୍କ ସ୍ତ୍ରୀ, ଦୁଇ ପୁଅ ଓ ଗୋଟିଏ ଝିଅ।

କଟକ ଗ୍ରାମାଞ୍ଚଳ ଏସପି ଯୁଗଳ କିଶୋର ଗଣମାଧ୍ୟମକୁ କହିଛନ୍ତି, ପ୍ରାଥମିକ ତଦନ୍ତରୁ ଶିବ ହିଁ ଏହି ହତ୍ୟାକାଣ୍ଡ ଘଟାଇଥିବା ସ୍ପଷ୍ଟ ହୋଇଛି। ଏବେ ସେ ପୁଲିସ ହେପାଜତରେ। ପଚରାଉଚରା ପରେ ଅଧିକ ତଥ୍ୟ ମିଳିପାରିବ ବୋଲି ସେ କହିଛନ୍ତି

Comments are closed.