Latest Odisha News

BREAKING NEWS

ଆଇଆଇଏମସିରେ ‘ହିନ୍ଦୀ ଦିବସ’ ପାଳିତ

ଢେଙ୍କାନାଳ: ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମସି)ରେ ଶୁକ୍ରବାର ଦିନ ‘ହିନ୍ଦୀ ଦିବସ’ ପାଳିତ ହୋଇଯାଇଛି ।

ଏହି ଅବସରରେ ଅତିଥିଭାବେ ଯୋଗଦେଇ ଶିକ୍ଷାବିତ ଡ. ଉମାଶଙ୍କର ପାଣ୍ଡେ କହିଛନ୍ତି, “ଦେଶର ସାଂସ୍କୃତିକ, ଧାର୍ମିକ ଓ ରାଜନୈତିକ ଭାବନାକୁ ଯୋଡ଼ିପାରିଛି ହିନ୍ଦୀ ଭାଷା । କେବଳ ଭାରତରେ ନୁହେଁ, ବିଶ୍ୱର ଅନ୍ୟ କୋଣ ଅଣୁକୋଣରେ ମଧ୍ୟ ହିନ୍ଦୀର ଆଦର ରହିଛି । ବିଶେଷତଃ ଅନେକ ଦେଶରେ ହିନ୍ଦୀ ଭାଷା କହିପାରୁନଥିଲେ ମଧ୍ୟ ହିନ୍ଦୀ ଗୀତର ମଜା ନେଉଛନ୍ତି ଲୋକେ । ତେବେ ହିନ୍ଦୀ ଭାଷାରେ ଅଧିକରୁ ଅଧିକ ଶିଶୁ ସାହିତ୍ୟ ରଚନା ହେବାର ଆବଶ୍ୟକତା ରହିଛି । ଏହା ହେଲେ ହିନ୍ଦୀ ଭାଷା ଆହୁରି ଆଗକୁ ଯାଇପାରିବ” ।

ଆହୁରି ମଧ୍ୟ ହିନ୍ଦୀ ସପ୍ତାହ ଉପଲକ୍ଷେ ହୋଇଥିବା ହିନ୍ଦୀ ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଯତୀନ ଗ୍ରୋଭର, ଦ୍ୱିତୀୟ ସ୍ଥାନରେ ପ୍ରାଚୀ ରାଠୀ ଓ ତୃତୀୟ ସ୍ଥାନରେ ରହିଥିବା ଆକାଂକ୍ଷା ସୋନିଙ୍କୁ ପୁରସ୍କୃତ କରାଯାଇଛି । ପୁରସ୍କାର ବାବଦକୁ ମାନପତ୍ର ସହ ଯଥାକ୍ରମେ ୪ହଜାର ଟଙ୍କା, ୩ ହଜାର ଟଙ୍କା ଓ ୨ ହଜାର ଟଙ୍କା ଦିଆଯାଇଛି । ଏହାସହ ଦେବଶ୍ରୀ ଦେବସ୍ମିତା ସାହୁ, ନିଳାଦ୍ରୀ ନିବାସିନୀ ଦାସ ଓ ଅମନ ଆୟୁଷ୍ମାନ୍ ଦାସଙ୍କୁ ସାନ୍ୱନାମୂଳକ ପୁରସ୍କାର ଭାବେ ମାନପତ୍ର ଓ ଏକ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି ।

ସେହିପରି ହିନ୍ଦୀ ବକ୍ତୃତା ପ୍ରତିଯୋଗିତାରେ ପ୍ରୀତମ କଶ୍ୟପ୍, ରାକେଶ କୁମାର ଓ ଯତୀନ ଗ୍ରୋଭର ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ପ୍ରଥମ ପୁରସ୍କାର ଭାବେ ମାନପତ୍ର ସହ ୪ ହଜାର ଟଙ୍କା, ଦ୍ୱିତୀୟ ସ୍ଥାନ ପାଇଁ ୩ ହଜାର ଟଙ୍କା ଓ ତୃତୀୟ ସ୍ଥାନ ପାଇଁ ୨ ହଜାର ଟଙ୍କା ପ୍ରଦାନ କରାଯାଇଛି । ଏହାସହ ପ୍ରାଚୀ ରାଠୀ ଏବଂ ସୋନାଲି ଓଝାଙ୍କୁ ସାନ୍ତ୍ୱନାମୂଳକ ପୁରସ୍କାର ଭାବେ ମାନପତ୍ର ଓ ୧ ହଜାର ଟଙ୍କା ଦିଆଯାଇଛି ।

ସଂସ୍ଥାନର କର୍ମକର୍ତ୍ତାଙ୍କ ମଧ୍ୟରେ ହୋଇଥିବା ପତ୍ର ଲିଖନ ଏବଂ ଟିପ୍ପଣି ଲିଖନ ପ୍ରତିଯୋଗିତାରେ ଷ୍ଟେନୋଗ୍ରାଫର ଲକ୍ଷ୍ମୀ ନାରାୟଣ ମିଶ୍ର ପ୍ରଥମ ହୋଇଥିବାବେଳେ ଟେକ୍ନିକାଲ୍ କୋର୍ଡିନେଟର ବଦ୍ରିନାଥ ଜେନା ଦ୍ୱିତୀୟ ଏବଂ ମନୋଜ କୁମାର ଜେନା ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।

ସୂଚନାଯୋଗ୍ୟ, ବିଶ୍ୱର ଯେକୌଣସି କୋଣକୁ ଗଲେ ମଧ୍ୟ ହିନ୍ଦୀ ଜାଣିଥିବା ଲୋକ ଅଛନ୍ତି । ଏହା ହେଉଛି ହିନ୍ଦୀ ଭାଷାର ସ୍ୱତନ୍ତ୍ରତା ବୋଲି ସ୍ୱାଗତ ଭାଷଣ ପ୍ରଦାନ କରି ସହାୟକ ପ୍ରଫେସର ସମ୍ବିତ ପାଲ କହିଛନ୍ତି।

Leave A Reply

Your email address will not be published.