ଢେଙ୍କାନାଳ: ସତ୍ୟତା ଓ ନିରପେକ୍ଷତା ସାମ୍ବାଦିକତାର ଦୁଇ ମୁଖ୍ୟ ବିଭବ । ଏ ଦୁଇଟାକୁ ଛାଡ଼ି ସାମ୍ବାଦିକତା କଥା ଚିନ୍ତା କରାଯାଇ ନପାରେ । ଆଗରୁ ଅନେକ ଖବରକାଗଜ ସତ୍ୟ ଓ ନିରପେକ୍ଷ ଖବରକୁ ଗୁରୁତ୍ୱ ଦେଉଥିଲେ । ହେଲେ ଏବେ ସତ୍ୟତା ଓ ନିରପେକ୍ଷତା ଗଣମାଧ୍ୟମ ପାଇଁ ବିରଳ ହୋଇଯାଇଛି । ଫଳରେ ଖବରର ମାନ କମୁଛି ।
ଏଭଳି ସ୍ଥିତିରେ ପୂର୍ବ ପରି ସତ୍ୟ ଓ ନିରପେକ୍ଷ ଖବର ପରିବେଷଣ ଗଣମାଧ୍ୟମ ପାଇଁ ଆହ୍ୱାନ ବୋଲି କହିଛନ୍ତି ସୁଲେଖକ ତଥା ସ୍ତମ୍ଭକାର ଦାଶ ବେନହୁର ।
ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍ସି), ଢେଙ୍କାନାଳ ଓ ଅକ୍ଷର ଫାଉଣ୍ଡେସନ୍ ପକ୍ଷରୁ ଓଡ଼ିଆ ସାମ୍ବାଦିକତା ଦିବସ ପାଳିତ ହୋଇଛି । ଏହି ଅବସରରେ ଆଇଆଇଏମ୍ସି ଓ ଅକ୍ଷର ଫାଉଣ୍ଡେସନ୍ ପକ୍ଷରୁ ‘ସାମ୍ପ୍ରତିକ ସ୍ଥିତିରେ ଓଡ଼ିଆ ଭାଷା ସାମ୍ବାଦିକତା’ ଶୀର୍ଷକ ଇ-ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି ।
ଏଥିରେ ସମ୍ମାନିତ ବକ୍ତା ଭାବେ ଯୋଗ ଦେଇ ବିଶିଷ୍ଟ ଲେଖକ ତଥା ସ୍ତମ୍ଭକାର ଦାଶ ବେନହୁର କହିଛନ୍ତି, ଆଗରୁ ଖବରକାଗଜଗୁଡ଼ିକ କେବଳ ଖବର ଦେଉଥିଲେ । ଖବର ଦେବା ଏକ ମିଶନ ଥିଲା । ଖବରକାଗଜରେ ସାମ୍ବାଦିକମାନେ ମତ ଦେଉନଥିଲେ । ନିଜସ୍ୱ ମନ୍ତବ୍ୟ ନଥିଲା । ନିଜେ ସମୀକ୍ଷା କରୁନଥିଲେ । ସେମାନେ କେବଳ ସତ କହୁଥିଲେ । ଆଉ ଲୋକେ ସମୀକ୍ଷା କରୁଥିଲେ ।
କିନ୍ତୁ ଏବେ ସମୟ ବଦଳିଛି । ଆଜିକାଲି ପ୍ରାୟ ସବୁ ଗଣମାଧ୍ୟମରେ ମତ, ମନ୍ତବ୍ୟ ଓ ସମୀକ୍ଷା ଖବର ସହ ଯୋଡ଼ି ହୋଇଛି । ପ୍ରତ୍ୟେକ ସାମ୍ବାଦିକ ପ୍ରଭାବିତ ହେଉଛନ୍ତି । ଖବର ଦେଉ ଦେଉ ନିଜସ୍ୱ ମତ ମଧ୍ୟ ଦେଉଛନ୍ତି । ଏହା ଏକ ବିଡ଼ମ୍ବନା । ଏସବୁ ବଦଳିବା ଦରକାର ବୋଲି କହିଛନ୍ତି ସୁଲେଖକ ତଥା ସ୍ତମ୍ଭକାର ଦାଶ ବେନହୁର ।
ଏହାସହ ଗଣମାଧ୍ୟମରେ ଯେଉଁ ଭାଷା ପ୍ରୟୋଗ ହେଉଛି, ସେ ଭାଷା ଅନେକେ ଜାଣନ୍ତି ନାହିଁ । ଅର୍ଥାତ୍, ଗୁଡ଼ାଏ ଶବ୍ଦର ଭୁଲ ବନାନ ଦେଖିବାକୁ ମିଳୁଛି । ମନଇଚ୍ଛା ଲେଖାଯାଉଛି । ବାକ୍ୟ ଗଠନ ମଧ୍ୟ ଅନେକ ସମୟରେ ଠିକ୍ ରହୁନି । ସେହିପରି କିଛି ଗୋଟିଏ ନୂଆ ଦେଖେଇବା ପାଇଁ ବା ଚମକ ସୃଷ୍ଟି କରିବା ପାଇଁ ଖବରରେ ମତ, ମନ୍ତବ୍ୟ ଆଦି ରହୁଛି । ଅନେକ ଖବରରେ ଭୁଲ ଭାଷା ଓ ଭୁଲ ତଥ୍ୟ ରହୁଛି । ଏସବୁ ପ୍ରତି ସାମ୍ବାଦିକମାନେ ସଚେତନ ରହିବା ଜରୁରୀ ।
ସେହିପରି ସାମ୍ବାଦିକମାନଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେବା ଉଚିତ ବୋଲି ସେ ମତବ୍ୟକ୍ତ କରିଛନ୍ତି ।
ଅନ୍ୟତମ ବକ୍ତା ଭାବେ ଯୋଗଦେଇ ଓଟିଭିର ସମ୍ପାଦକ ରାଧାମାଧବ ମିଶ୍ର କହିଛନ୍ତି, ଟେଲିଭିଜନ୍ ଆସିବା ପରେ କଥିତ ଭାଷା ଆଳରେ ବହୁତ ଇଂରାଜୀ ଓ ହିନ୍ଦୀ ଭାଷାର ବ୍ୟବହାର ବଢ଼ିବାରେ ଲାଗିଲା । ଓଡ଼ିଆ ଶବ୍ଦ ଧୀରେ ଧୀରେ ହଜିବାକୁ ଲାଗିଲା । ଆଉ ବର୍ତ୍ତମାନ ୱେବ୍ ଗଣମାଧ୍ୟମ ଆସିବା ପରେ ଅଧିକ ଭୁଲ ଦେଖିବାକୁ ମିଳୁଛି ।
ଏଭଳି ସ୍ଥିତିରେ ଓଡ଼ିଆ ଭାଷାର ବ୍ୟବହାର ତଥା ଠିକ୍ ଲିଖନ ଦିଗରେ ନୂଆ ପିଢ଼ିର ସାମ୍ବାଦିକମାନେ ସଚେତନ ରହିବା ଜରୁରୀ । ଅଧିକରୁ ଅଧିକ ବହି, ଉପନ୍ୟାସ ଆଦି ପଢ଼ିବା ଦରକାର । ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର ବିଭିନ୍ନ ଖବର ଜାଣିବା ସହ ସାଧାରଣ ଜ୍ଞାନ ଆହରଣ କରିବା ଆବଶ୍ୟକ । ଏକଥା ସତ ଯେ, ବର୍ତ୍ତମାନ ଅନେକ ଗଣମାଧ୍ୟମ ପ୍ରକୃତ ଖବର ଠାରୁ ଦୂରେଇ କେତୋଟି ନିର୍ଦ୍ଦିଷ୍ଟ ଖବରକୁ ଅଧିକ ପ୍ରାଧାନ୍ୟ ଦେଉଛି । ଏଥିପାଇଁ ପ୍ରତ୍ୟେକ ଗଣମାଧ୍ୟମରେ ଏକ ବିତର୍କ ହେବା ଦରକାର ।
କେଉଁ ଖବର କେତେ ସମୟ ଦେଖେଇବେ ବା କେତେ ଲେଖିବେ, ତାହା ଠିକ୍ କରିବା ଉଚିତ । ଓଡ଼ିଆ ସାମ୍ବାଦିକତାରେ ଥିବା ଏ ଦ୍ୱନ୍ଦ୍ୱ ଆଉ ବେଶୀ ଦିନ ରହିବ ନାହିଁ ବୋଲି ଆଶା । ଏସବୁ ଭିତରେ ଗଣମାଧ୍ୟମକୁ ମଧ୍ୟ ଅନେକ ସମୟରେ ବିଭିନ୍ନ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡୁଛି । ତା ଭିତରେ ସାମ୍ବାଦିକମାନେ ଖବର ଆଣୁଛନ୍ତି । ତେବେ ଓଡ଼ିଆ ସାମ୍ବାଦିକତାର ସ୍ଥିତି ସୁଦୃଢ଼ ଓ ଭବିଷ୍ୟତ ଉଜ୍ଜ୍ୱଳ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ।
ଆଇଆଇଏମ୍ସି, ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ କହିଛନ୍ତି, ଗୋଟେ ସମୟ ପର୍ଯ୍ୟନ୍ତ ଗ୍ଲାମର ବା ଆକର୍ଷଣୀୟ ଖବର ଠିକ୍ ଅଛି । କିନ୍ତୁ ୨୪ ଘଣ୍ଟା ସେପରି ଖବର ଆଦୌ ଗ୍ରହଣୀୟ ନୁହେଁ । ଅର୍ଥାତ୍, ଲୋକେ ଚାହୁଁଛନ୍ତି ତେଣୁ ସେହିପରି ଖବର ଦେଉଛୁ ବୋଲି ଗଣମାଧ୍ୟମ ଖାଲି କହିଦେଲେ ହେବନି । ବରଂ, ଗଣମାଧ୍ୟମ ନିଜେ ଏନେଇ ସର୍ବେକ୍ଷଣ କରିବା ଦରକାର ।
ପ୍ରକୃତରେ ଲୋକେ କ’ଣ ଚାହୁଁଛନ୍ତି ତାହା ଜାଣିବା ଆବଶ୍ୟକ । ଏହା କେବଳ ଓଡ଼ିଆ ଗଣମାଧ୍ୟମର ସ୍ଥିତି ନୁହେଁ, ବରଂ ସାରା ଭାରତରେ ସବୁ ଭାଷାରେ ଊଣା ଅଧିକେ ସମାନ ସ୍ଥିତି । ଏ ଦିଗରେ ଗଣମାଧ୍ୟମ ପରିଚାଳକ ବିଶେଷ କରି ଯେଉଁମାନେ ବିଷୟ ବସ୍ତୁ ଚୟନ କରୁଛନ୍ତି, ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।
କ୍ଷମତାକୁ ଜାବୁଡ଼ି ଧରିବାକୁ ଏବଂ ଲାଭକୁ ଅଗ୍ରାଧିକାର ଦେବାକୁ ଗଣମାଧ୍ୟମ ବାହାର କରିବା, ଏ କଥାଟି ସାମ୍ବାଦିକତା ପାଇଁ ଶୁଭଙ୍କର ନୁହେଁ । ବରଂ ବିଜ୍ଞାପନ ବ୍ୟତୀତ ଗଣମାଧ୍ୟମର ରାଜସ୍ୱ ମଡେଲ୍ କ’ଣ ହେବ, ସେ ଦିଗରେ ଚିନ୍ତା କରିବା ଦରକାର ।
ଆଜିକାଲି ଦେଶର ବହୁ ପ୍ରତିଷ୍ଠିତ ସାମ୍ବାଦିକ ନିଜେ ସବ୍ସ୍କ୍ରିପ୍ସନ୍ ମଡେଲ୍ରେ ୱେବ୍ ଗଣମାଧ୍ୟମ ଖୋଲିଛନ୍ତି ଓ ଭଲ ଖବର ଦେଉଛନ୍ତି । ସେହିପରି କର୍ପୋସ୍ ଫଣ୍ଡ ମଧ୍ୟ ରାଜସ୍ୱର ଆଉ ଏକ ମାଧ୍ୟମ ହୋଇପାରେ ବୋଲି ସେ ପ୍ରକାଶ କରିଛନ୍ତି ।
ଏହି ଅବସରରେ ଆଇଆଇଏମ୍ସି ପକ୍ଷରୁ ପ୍ରକାଶ ପାଇବାକୁ ଥିବା ପୁସ୍ତକ ‘ଭାଷା, ସଂସ୍କୃତି ଓ ପରିଚୟ’ର ଆବ୍ଷ୍ଟ୍ରାକ୍ଟ ଉନ୍ମୋଚିତ ହୋଇଛି । ଏଥିରେ ଦେଶର ୨୭ଜଣ ଶିକ୍ଷାବିତ୍, ଗବେଷକଙ୍କ ସନ୍ଦର୍ଭ ଓ ନିବନ୍ଧ ରହିଛି । ପୁସ୍ତକଟି ଖୁବ୍ଶୀଘ୍ର ପ୍ରକାଶ ପାଇବ ବୋଲି ଡ. ଚାଟାର୍ଜୀ ସୂଚନା ଦେଇଛନ୍ତି ।
ଯୋଗାଯୋଗ ବିଶେଷଜ୍ଞ ଡ. ଜ୍ୟୋତି ପ୍ରକାଶ ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଧନ୍ୟବାଦ ଦେଇଥିଲେ ଆଇଆଇଏମ୍ସିର ଆକାଡେମିକ୍ ଆସିଷ୍ଟାଣ୍ଟ ସୌମ୍ୟ ରଞ୍ଜନ ବିହାରା । ଏହି ଇ-ଆଲୋଚନାଚକ୍ରରେ ଦେଶର ବିଭିନ୍ନ ସ୍ଥାନରୁ ଅଧ୍ୟାପକ, ଗବେଷକ ଓ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ ।
Comments are closed.