Latest Odisha News

BREAKING NEWS

ଆବାସିକ ବିଦ୍ୟାଳୟରେ ବ୍ୟାପିଲା କରୋନା, ୪୧ ଛାତ୍ରୀ ସଂକ୍ରମିତ

ରାୟଗଡ଼ା: ହଇଜା ପରେ କରୋନା ଭୟ । କାଶୀପୁରରେ ହଇଜା ଆତଙ୍କ ପରେ ଚନ୍ଦ୍ରପୁର ବ୍ଲକରେ କାୟା ମେଲାଇଛି କରୋନା । ଚନ୍ଦ୍ରପୁର ବ୍ଲକର ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟର ୪୧ ଜଣ ଛାତ୍ରୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ବିଦ୍ୟାଳୟ ହଷ୍ଟେଲରେ ରହୁଥିବା କିଛି ଛାତ୍ରୀଙ୍କୁ ଜର ଓ ଦେହ ଖରାପ ହେବାରୁ ସେମାନଙ୍କ ପରୀକ୍ଷା କରାଯାଇଥିଲା । ଏକାଧିକ ଛାତ୍ରୀ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଛି ।

ଅଗଷ୍ଟ ୩ ତାରିଖରେ ୧୨ ଜଣ ଛାତ୍ରୀ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ । ୪ ତାରିଖରେ ଆଉ କିଛି ଛାତ୍ରୀମାନଙ୍କ ପରୀକ୍ଷା ପରେ ୨୯ଜଣ କରୋନା ଆକ୍ରାନ୍ତ ଜଣା ପଡ଼ିଥଲା । କୋଭିଡରେ ଆକ୍ରାନ୍ତ ସମସ୍ତ ୪୧ଜଣ ଛାତ୍ରୀଙ୍କୁ ସେହି ସ୍କୁଲରେ ଆଇସୋଲେସନରେ ରଖାଯାଇଛି । ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା କହିଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥୀ । ଏଥିସହ ଘଟଣା ପରେ ଜିଲ୍ଲାର ସମସ୍ତ ମଙ୍ଗଳ ବିଭାଗର ସ୍କୁଲ ଗୁଡ଼ିକର ପ୍ରଧାନଶିକ୍ଷକ ମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି ।

୪୧ ଛାତ୍ରୀ କୋଭିଡ୍ ଆକ୍ରାନ୍ତ ପରେ ହଷ୍ଟେଲରେ ଥିବା ଅନ୍ୟ ସମସ୍ତ ଛାତ୍ରୀଙ୍କ ମଧ୍ୟ କରୋନା ଟେଷ୍ଟ କରାଯିବ । ଏବେ ହଷ୍ଟେଲରେ ପ୍ରାୟ ୩୦୦ ଜଣ ଛାତ୍ରୀ ଅଛନ୍ତି । ଆଜି ସମସ୍ତଙ୍କ କୋଭିଡ୍ ପରୀକ୍ଷା କରାଯିବା ପାଇଁ ସମସ୍ତ ପଦକ୍ଷେପ ନିଆଯାଉଥିବା ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ ଶତପଥୀ କହିଛନ୍ତି । ବିଭାଗ ତରଫରୁ ଆବଶ୍ୟକ ଚିକିତ୍ସା ଯୋଗାଇ ଦିଆଯାଉଛି ।

Leave A Reply

Your email address will not be published.