Latest Odisha News

ମାର୍ଚ୍ଚ ୧୧ ଆଇଆଇଏମ୍‍ସିରେ ଛାତ୍ରବୃତ୍ତି ପ୍ରଦାନ ଉତ୍ସବ

ଢେଙ୍କାନାଳ: ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି)ର ଚଳିତ ଶିକ୍ଷାବର୍ଷର ଓଡ଼ିଆ ସାମ୍ବାଦିକତା ପାଠ୍ୟକ୍ରମ ଛାତ୍ରୀ ଆରତି ବେହେରାଙ୍କୁ ରାଧାନାଥ ରଥ ସ୍ମାରକୀ ଛାତ୍ରବୃତ୍ତି ପ୍ରଦାନ କରାଯିବ । ଓଡ଼ିଆ ସାମ୍ବାଦିକତା ପାଠ୍ୟକ୍ରମର ପ୍ରଥମ ସେମିଷ୍ଟର ପରୀକ୍ଷାରେ ସର୍ବାଧିକ ନମ୍ବର ହାସଲ କରିଥିବା ଆରତିଙ୍କୁ ଏହି ଛାତ୍ରବୃତ୍ତି ବାବଦକୁ ମାନପତ୍ର ଓ ଦଶ ହଜାର ଟଙ୍କା ଦିଆଯିବ ।

ସେହିପରି ଇଂରାଜୀ ସାମ୍ବାଦିକତା ପାଠ୍ୟକ୍ରମ ଛାତ୍ରୀ ପ୍ରିୟଙ୍କା ଯାଦବଙ୍କୁ ଦଶ ହଜାର ଟଙ୍କା ଓ ମାନପତ୍ର ସହ ସତ୍ୟ ମହାପାତ୍ର ସ୍ମାରକୀ ଛାତ୍ରବୃତ୍ତି ପ୍ରଦାନ କରାଯିବ । ଆସନ୍ତା ମାର୍ଚ୍ଚ ୧୧ ତାରିଖରେ ଏହି ବୃତ୍ତି ପ୍ରଦାନ କରାଯିବାର କାର୍ଯ୍ୟସୂଚୀ ରହିଛି । ଏଥିରେ ମୁଖ୍ୟ ଅତିଥିଭାବେ ସୁସାହିତ୍ୟିକ ତଥା ପୁରୀର ସାମନ୍ତ ଚନ୍ଦ୍ର ଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଜିତେନ୍ଦ୍ର ନାରାୟଣ ଦାଶ (ଦାଶ ବେନହୁର) ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ଦେଇଛନ୍ତି ଆଇଆଇଏମ୍‍ସି ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ ।

ଆଇଆଇଏମ୍‍ସିରେ ୨୦୦୨-୦୩ ଶିକ୍ଷାବର୍ଷରୁ ରାଧାନାଥ ରଥ ସ୍ମାରକୀ ଛାତ୍ରବୃତ୍ତି ପ୍ରଦାନ କରାଯାଇଆସୁଛି । ଓଡ଼ିଶାରେ ସାମ୍ବାଦିକତା କ୍ଷେତ୍ରରେ ପ୍ରବାଦପ୍ରତିମ ରାଧାନାଥ ରଥଙ୍କ ପରଲୋକ ପରେ ତାଙ୍କ ପୁଅ ବିଶିଷ୍ଟ ଅର୍ଥନୀତିଜ୍ଞ ପ୍ରଫେସର ନୀଳକଣ୍ଠ ରଥ ଏହି ବୃତ୍ତି ପ୍ରଦାନ କରୁଛନ୍ତି । ସେହିପରି ‘ଦିନଲିପି’ର ସମ୍ପାଦକ ଥିବା ସତ୍ୟ ମହାପାତ୍ରଙ୍କ ଦେହାନ୍ତ ପରେ ତାଙ୍କ ପରିବାର ୨୦୧୬-୧୭ ଶିକ୍ଷାବର୍ଷରୁ ସ୍ମାରକୀ ବୃତ୍ତି ଦେଇଆସୁଛନ୍ତି । ସତ୍ୟ ମହାପାତ୍ରଙ୍କ ତିନି ଝିଅ ଆଇଆଇଏମ୍‍ସି, ଢେଙ୍କାନାଳରେ ପାଠ ପଢ଼ିଛନ୍ତି ।

Comments are closed.