ନୂଆଦିଲ୍ଲୀ: ଖରା ହେଉ ବାର୍ଷା ହେଉ ଅବା ଶୀତ । ଗାଁ ହେଉ ଅବା ସହର ସବୁଠି ଓଠ ଓ ଚା’ର ପ୍ରେମ ଏକ ସୁନ୍ଦର ଅନୁଭୂତି । ଆଉ ସେଇ ଅନୁଭୂତିକୁ ଉପଭୋଗ କରିବା ପାଇଁ ଯଥେଷ୍ଟ କପେ ଚା’ର ଚୁସକି । ଘର ହେଉ ବା ଦୋକାନ, ଅଫିସ ହେଉ ବା କ୍ୟଣ୍ଟିନ ସବୁଠି ତା’ର ଉପସ୍ଥିତି । ଶରୀରର ସ୍ଫୂର୍ତ୍ତି ପାଇଁ କିଏ ମଟକା ଚା ପିଏ ତ କିଏ ମଲେଇ ମାର୍କା ଚା ପିଏ । ହେଲେ ଚା’ ପିଇବାର ନିଆରା ମଜା କେବଳ କାଚ ଗ୍ଲାସରେ ଥାଏ । କିନ୍ତୁ ଏବେ କାଚ ଗ୍ଲାସର ସ୍ଥାନ ନେଇଛି କାଗଜ କପ୍ । ଯାହାକି ଆମ ଶରୀର ପକ୍ଷେ ବହୁ କ୍ଷତିକାରକ ବୋଲି ଆଇଆଇଟି ଖଡ଼ଗପୁରରେ ହୋଇଥିବା ଏକ ଗବେଷଣାରୁ ଜଣା ପଡ଼ିଛି ।
ଗବେଷଣାରୁ ଜଣାପଡ଼ିଛି କାଗଜ କପରେ ଚା’ ଦେବା ପରେ ଏହା ଯେପରି ମିଳେଇ ନଯିବ ସେଥିପାଇଁ ଏହାର ଭିତର ପାଶ୍ୱର୍ରେ ଏକ ପତଳା ଜରି ଆସ୍ତରଣ ଦିଆଯାଇଥାଏ । ଏହି ପତଳା ଜରି ଆସ୍ତରଣ ଗରମ ଚା’ ସଂଶ୍ପର୍ଶରେ ଆସି ମିଳେଇ ଯାଏ । ଗରମ ଚାରେ ଏହି ପତଳା ପ୍ଲାଷ୍ଟିକ ମିଳେଇ ଯାଇ ଏଥିରୁ ପ୍ରାୟ ୨୫ ହଜାର ମାଇକ୍ରୋ ପ୍ଲାଷ୍ଟିକ କଣିକା ସୃଷ୍ଟି ହୋଇଥାଏ । ଯାହା ଆମ ଶରୀରକୁ ଅନେକ କ୍ଷତି କରିଥାଏ ।
ଗବେଷକଙ୍କ ମତରେ ଏହି କଣିକା କ୍ୟାନସର ସୃଷ୍ଟି କରିଥାଏ । ଏପରିକି ଏହାକୁ ପିଇବା ଦ୍ୱାରା ଗର୍ଭବତୀ ମହିଳା ଓ ଶିଶୁ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଥାଏ । ଅଧିକ ମାତ୍ରାରେ ଏଥିରେ ଚା’ ପିଇଲେ ମସ୍ତିଷ୍କ ଉପରେ ମଧ୍ୟ ଏହା କ୍ଷତି ପହଞ୍ଚାଇ ଥାଏ ।
ସଚେତନ ଅଭାବରୁ କାଗଜ କପର ବ୍ୟବହାର ବଢ଼ୁଥିବା ବେଳେ ଏହାକୁ ରୋକିବା ଜରୁରୀ ହୋଇ ପଡ଼ିଛି । ସରକାରୀ ସ୍ତରରେ ଏନେଇ ପଦକ୍ଷେପ ନେବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ମତ ଦେଇଛନ୍ତି ।
Comments are closed.