ପୁରୀ: ପୁରୀ ସହରରେ ଓ ସମୁଦ୍ରକୂଳରେ ଦିନକୁ ଦିନ ବଢିଚାଲିଥିବା ବେଆଇନ୍ ନିର୍ମାଣ ଉପରେ ଏବେ ରୋକ ଲାଗିବ । ସେନେଇ ବଡ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ବେଆଇନ୍ ନିର୍ମାଣ ରୋକିବାକୁ ପୂର୍ବତନ ସେନା କର୍ମଚାରୀଙ୍କୁ ନେଇ ଏକ ସ୍କ୍ୱାର୍ଡ ଗଠନ କରାଯାଇଛି । ଏହି ସ୍କ୍ୱାର୍ଡ ରେ ୨୪ ଜଣ ପୂର୍ବତନ ସେନା କର୍ମଚାରୀ ରହିବେ ବୋଲି ଆଜି ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସିଧାର୍ଥ ଶଙ୍କର ସ୍ୱାଇଁ ।
ପୁରୀ ଜିଲ୍ଲାପାଳ କହିଛନ୍ତି ଏଥିପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ୮ଟି ଟିମ୍ ଗଠନ ହୋଇଛି । ବେଆଇନ୍ ନିର୍ମାଣ ବନ୍ଦ କରିବାକୁ ପ୍ରଥମେ ନୋଟିସ ଦିଆଯିବ । ପରେ ଆବଶ୍ୟକ ପଡିଲେ ଉଚ୍ଛେଦ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ । ଆପତ୍ତି ବିହୀନ ପ୍ରମାଣପତ୍ର ନଥିଲେ ନିର୍ମାଣ ବନ୍ଦ କରିବ ଏହି ଟିମ୍ ।
ଏହି ଟିମ୍ ଉଭୟ ପୁରୀ ପୌରପାଳିକା ଓ ପୁରୀ-କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ ଅଞ୍ଚଳରେ ନିର୍ମାଣାଧୀନ ଗୃହଗୁଡିକର କାଗଜପତ୍ର ଯାଞ୍ଚ କରିବ । ବିଶେଷ କରି ଉଭୟ ପୁରୀ ପୌରପାଳିକା ଓ ପୁରୀ-କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ ଅଞ୍ଚଳ ଅନ୍ତର୍ଗତ ସିପସରୁବାଲି, ସମଙ୍ଗ, ଚାରିନଳା, ଚନ୍ଦନପୁର ଓ ବାଲୁଖଣ୍ଡ ମୌଜାରେ ଘର ତିଆରି ହେଲେ ଘର ନକ୍ସା ତିଆରି କରିବାକୁ ଅନୁମତି ନେବାକୁ ପଡିବ ବୋଲି ପୁରୀ ଜିଲ୍ଲାପାଳ ସିଧାର୍ଥ ଶଙ୍କର ସ୍ୱାଇଁ । ସୂଚନା ଦେଇଛନ୍ତି ।
Comments are closed.