[ଦେଖନ୍ତୁ ଭିଡିଓ] ପଞ୍ଚଭୂତରେ ଲୀନ ହେଲେ ପଦ୍ମଶ୍ରୀ ଅଜୟ ପରିଡା । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେଲା ଜନ୍ମମାଟିରେ ଶେଷକୃତ୍ୟ
ଯାଜପୁର : ପଞ୍ଚଭୂତରେ ଲୀନ ହେଲେ ପଦ୍ମଶ୍ରୀ ଡ.ଅଜୟ ପରିଡା । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଜନ୍ମମାଟି ଯାଜପୁର ଭଗବାନପୁରରେ ଶେଷକୃତ୍ୟ ସମ୍ପନ୍ନ୍ନ ହୋଇଛି ଅଜୟ ପରିଡାଙ୍କ ପାର୍ଥିବ ଶରୀର ଆଜି ତାଙ୍କ ଜନ୍ମ ମାଟି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଭଗବାନପୁରରେ ପହଁଚିବା ପରେ ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।
ପୂର୍ବାହ୍ନ ସାଡେ ଏଗାରଟା ସମୟରେ ଧର୍ମଶାଳା ବ୍ଲକ ଜାରକା ବଜାରରେ ତାଙ୍କ ପାର୍ଥିବ ଶରୀର ପହଁଚିବା ପରେ ସେଠାରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଶେଷ ଦର୍ଶନ କରିଥିଲେ । ପରେ ଏକ ଶୋଭାଯାତ୍ରାରେ ତାଙ୍କ ପାର୍ଥିବ ଶରୀରକୁ ତାଙ୍କ ଜନ୍ମମାଟି ଭଗବାନପୁରକୁ ନିଆଯାଇଥିଲା । ଗ୍ରାମ ପରିକ୍ରମା ପରେ ତାଙ୍କ ଘରକୁ ନିଆଯାଇ ସେଠାରୁ ଗ୍ରାମ ସ୍ମଶାନ କୁ ନିଆଯାଇ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ତୋପ ସଲାମୀ ଦିଆଯାଇଥିଲା ।
ଅଜୟ ପରିଡାଙ୍କୁ ଶେଷ ଦର୍ଶନ କରିବା ପାଇଁ ମନ୍ତ୍ରୀ ପ୍ରମିଳା ମଲିକ, ପ୍ରୀତି ରଞ୍ଜନ ଘଡେଇ, ଧର୍ମଶାଳା ବିଧାୟକ ପ୍ରଣବ ବଲବନ୍ତ ରାୟ, ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତି ସିଂ ରାଠୋର, ଏସ୍ପି ରାହୁଲ ପିଆର ସମେତ ସ୍ଥାନୀୟ ତହସିଲଦାର, ବିଡ଼ିଓ, ଥାନାଅଧିକାରୀ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଭଗବାନପୁର ଗ୍ରାମରେ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ ।
ଗୌହାଟୀରେ ଏକ ସରକାରୀ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଯାଇଥିଲେ ଡାକ୍ତର ଅଜୟ ପରିଡ଼ା । ସେଠାରେ ହୃଦଘାତରେ ତାଙ୍କର ପରଲୋକ ହୋଇଥିଲା । ଧାନ ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ୨୦୧୪ ଏପ୍ରିଲ୍ ୨୪ତାରିଖରେ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଡ.ପରିଡ଼ାଙ୍କୁ ‘ପଦ୍ମଶ୍ରୀ ସମ୍ମାନ’ରେ ସମ୍ମାନିତ କରିଥିଲେ । ଏହି ସମୟରେ ସେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ କୃଷି ଉପଦେଷ୍ଟା ଥିଲେ ।
୨୦୧୭ରୁ ଭୁବନେଶ୍ବର ଆଇଏଲ୍ଏସ୍ର ନିର୍ଦେଶକ ଭାବେ କାର୍ୟ୍ୟରତ ଥିଲେ । ଇଣ୍ଡିଆନ୍ ସାର୍ସ-କୋଭ-୨ ଜେନୋମିକ୍ସ କନର୍ସଟିୟମ ଆଇଏଲଏସ୍କୁ କୋଭିଡ ଭୂତାଣର ଜିନୋମ ସିକ୍ୱେନ୍ସିଂ ଲ୍ୟାବ୍ ଘୋଷଣା କରିବା ପରେ ରାଜ୍ୟ ତଥା ରାଜ୍ୟ ବାହାରରୁ ଅନେକ ନମୁନା ଏଠାରେ ପରୀକ୍ଷା ହୋଇଥିଲା ।
Comments are closed.