Latest Odisha News

ରାଜ୍ୟରେ ଚିହ୍ନଟ ହୋଇନି କରୋନାର ନୂଆ ଭ୍ୟାରିଆଣ୍ଟ

ଭୁବନେଶ୍ବର : ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି ମହାମାରୀ କରୋନା । ସୁସ୍ଥ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ, ଆକ୍ରାନ୍ତ ସଂଖ୍ୟା ମଧ୍ୟ ହ୍ରାସ ପାଉଛି । ହେଲେ ଏବେ ତୃତୀୟ ଲହରକୁ ନେଇ ଲୋକଙ୍କ ମନରେ ଚିନ୍ତା ବଢ଼ିଲାଣି । ଏଭଳି ସ୍ଥିତିରେ ଆଇଏଲଏସ ନିର୍ଦ୍ଦେଶକ କହିଛନ୍ତି, ରାଜ୍ୟରେ ଏପର୍ଯ୍ୟନ୍ତ ଚିହ୍ନଟ ହୋଇନାହିଁ ନୂଆ ଭ୍ୟାରିଆଣ୍ଟ । ଅଗଷ୍ଟରୁ ସେପ୍ଟେମ୍ବର ପ୍ରଥମ ସପ୍ତାହ ଭିତରେ ରାଜ୍ୟର ୬୦୦ ସାମ୍ପଲକୁ ଜେନମ ସିକ୍ବେନ୍ସିଂ କରାଯାଇଥିଲା । ୪୨୫ ଡେଲ୍ଟା ଭାରିଏଣ୍ଟ ବାହାରିଥିବା ବେଳେ, ଅନ୍ୟ ସବୁ ସାମ୍ପଲ ଅନ୍ୟ ଭାରିଏଣ୍ଟର ଥିଲା । ତେବେ ଏଥିରେ କୌଣସି ନୂଆ ମ୍ୟୁଟେସନ ଚିହ୍ନଟ ହୋଇନଥିଲା ବୋଲି ସ୍ପଷ୍ଟ କରିଛନ୍ତି ଆଇଏଲଏସ ନିର୍ଦ୍ଦେଶକ ।

ସେହିପରି ଜାନୁଆରୀରୁ ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ୬ ହଜାର ସାମ୍ପଲ ଜେନମ ସିକ୍ୱେନ୍ସିଂ ହୋଇଛି । ଡବଲ ଡୋଜ୍‌ ପରେ ବୁଷ୍ଟର କି ତୃତୀୟ ଡୋଜ୍‌ ଦେବା ନେଇ ଚାଲିଛି ଅନୁଧ୍ୟାନ । ତେବେ ସମାନ କମ୍ପାନିର କିମ୍ବା ଅନ୍ୟ କମ୍ପାନିର ଡୋଜ୍‌ ଦିଆଯିବ ନା ନାହିଁ ସେନେଇ ବିଶ୍ଳେଷଣ କରାଯାଉଛି । ଖୁବଶୀଘ୍ର କେନ୍ଦ୍ର ସରକାର ଏ ସମ୍ପର୍କରେ ଘୋଷଣା କରିବେ ବୋଲି ଆଇଏଲ୍‌ଏସ୍‌ ନିର୍ଦ୍ଦେଶକ ଅଜୟ ପରିଡ଼ା କହିଛନ୍ତି । ଏହାସହ ଆଗକୁ ପାର୍ବଣ ଆସୁଛି । ତେଣୁ ଏହି ସମୟରେ ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ଢ଼ିଲା ହେଲେ ସଂକ୍ରମଣ ବଢ଼ିପାରେ ବୋଲି କହିଛନ୍ତି ଆଇଏଲଏସ ନିର୍ଦ୍ଦେଶକ ।

Comments are closed.