Latest Odisha News

BREAKING NEWS

‘ମୁଁ ଭୟଭୀତ, ହେଲେ ପଳାୟନ କରିବିନି’- ବିବାଦ ଭିତରେ ମନର କଥା କହିଲେ ରଣବୀର

ମୁମ୍ବାଇ: ବିବାଦ ଭିତରେ ଯୁଝି ହେଉଛନ୍ତି ରଣବୀର ଆହ୍ଲାବାଦିଆ । ମୁମ୍ବାଇ ପୋଲିସ ତାଙ୍କ ଫୋନ୍ ସ୍ବିଚ୍ ଅଫ୍ ଥିବାରୁ ତାଙ୍କୁ ଖୋଜିବାରେ ସଂଘର୍ଷ କରିବା ନ୍ୟୁଜ୍ ସାମ୍ନାକୁ ଆସିବା ପରେ ଏହା ଉପରେ ମୁହଁ ଖୋଲିଛନ୍ତି ରଣବୀର । ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍ ଶୋ’ରେ ତାଙ୍କର ମନ୍ତବ୍ୟକୁ ନେଇ ସୃଷ୍ଟି ହୋଇଥିବା ବିବାଦ ମଧ୍ୟରେ, ସେ ପୁଣି ଥରେ ନିଜ ଇନଷ୍ଟାଗ୍ରାମରେ ପ୍ରକାଶ କରିଛନ୍ତି, ଯେ ତାଙ୍କୁ ହତ୍ୟା ଧମକ ଦିଆଯାଉଛି କିନ୍ତୁ ସେ ତାଙ୍କ ଅନୁଗାମୀମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ, ସେ କର୍ତ୍ତୃପକ୍ଷଙ୍କୁ ସହଯୋଗ କରୁଛନ୍ତି । କୁଆଡେ ପଳାୟନ କରିବା ନାହିଁ ।

ଏହାକୁ ନେଇ ରଣବୀର ଲେଖିଛନ୍ତି, ମୁଁ ଏବଂ ମୋର ଦଳ ପୋଲିସ ଏବଂ ଅନ୍ୟ ସମସ୍ତ କର୍ତ୍ତୃପକ୍ଷଙ୍କୁ ସହଯୋଗ କରୁଛୁ । ମୁଁ ଏହି ଘଟଣାରେ ସମସ୍ତ ପ୍ରକ୍ରିୟା ଅନୁସରଣ କରିବି ଏବଂ ସମସ୍ତ ଏଜେନ୍ସିକୁ ମଧ୍ୟ ସହାୟତା କରୁଛି । ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍ ଶୋ’ରେ ପିତାମାତାଙ୍କ ବିଷୟରେ ମୋର ମନ୍ତବ୍ୟ ଅସମ୍ବେଦନଶୀଳ ଏବଂ ଅସମ୍ମାନଜନକ ଥିଲା । ଯାହାଙ୍କ ବିଷୟରେ ଭଲ କହିବା ମୋର ନୈତିକ ଦାୟିତ୍ୱ ଏବଂ ମୁଁ ପ୍ରକୃତରେ ଦୁଃଖିତ ବୋଲି ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, ଘଟଣାକୁ ନେଇ ଏବେ ଲୋକମାନେ ମୋତେ ମାରିବାକୁ ଧମକ ଦେଉଛନ୍ତି । ମୋ ପରିବାରକୁ ଆଘାତ ଦେବାକୁ ଚାହୁଁଛନ୍ତି । ଲୋକମାନେ ରୋଗୀଙ୍କ ପରିଚୟ ଦେଇ ମୋ ମାଆଙ୍କ କ୍ଲିନିକ୍ ଉପରେ ଆକ୍ରମଣ କରୁଛନ୍ତି । ଏ ସବୁକୁ ନେଇ ମୁଁ ଭୟଭୀତ ଅନୁଭବ କରୁଛି ଏବଂ ମୁଁ ଜାଣିପାରୁନାହିଁ କ’ଣ କରିବି । କିନ୍ତୁ ମୁଁ ଏ ଘଟଣାରୁ ପଳାୟନ କରୁନାହିଁ । ମୋର ଭାରତର ପୋଲିସ ଏବଂ ନ୍ୟାୟିକ ବ୍ୟବସ୍ଥା ଉପରେ ସଂପୂର୍ଣ୍ଣ ବିଶ୍ୱାସ ରହିଛି ବୋଲି ପ୍ରକାଶ କରିଛନ୍ତି ରଣବୀର ।

ତେବେ କହିରଖୁଛୁ, ରଣବୀର ଆହ୍ଲାବାଦିଆ, ଫେମସ ୟୁଟ୍ୟୁବର । ବିଅର ବାଇସେପ୍ସ ନାମରେ ତାଙ୍କର ଏକ ପୋଡକାଷ୍ଟ ଚ୍ୟାନେଲ ରହିଥିବା ବେଳେ ଏଥିରେ ବର୍ତ୍ତମାନ ୧୦.୫ ମିଲିୟନ ଫଲୋଅର୍ସ ରହିଛନ୍ତି । ଏହି ନିକଟରେ ସେ ସମୟ ରାଇନାଙ୍କ ହିଟ ଷ୍ଟାଣ୍ଡ କମେଡି ଶୋ’ରେ ଜଜ୍ ହୋଇ ଯାଇଥିବା ବେଳେ ଏଥିରେ ବାପାମାଙ୍କ ସଂପର୍କକୁ ନେଇ କିଛି ଆପତ୍ତିଜନକ ମନ୍ତବ୍ୟ ରଖିଥିଲେ ରଣବୀର । ଯାହାକୁ ନେଇ ଖୁବ୍ ଅସନ୍ତୋଷ ପ୍ରକାଶ କରିଥିଲେ ୟୁଜର୍ସ । ଏମିତିକି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଅନେକ ଦଳୀୟ ନେତା ମଧ୍ୟ ଏହାକୁ ନିନ୍ଦା କରିଥିଲେ । ପୋଲିସ୍ ଏନେଇ ରଣବୀର ଏବଂ ସମୟଙ୍କୁ ନୋଟିସ ଜାରି କରିଛି । ଏହାପରେ ରଣବୀର ଏକ ଭିଡିଓ ଜାରି କରି ପୂର୍ବରୁ କ୍ଷମା ପ୍ରାର୍ଥନା କରିଥିଲେ ।

Comments are closed.