Latest Odisha News

BREAKING NEWS

ପ୍ରବଳ ବର୍ଷା ସମ୍ଭାବନା: ପାଣିପାଗ ବିଭାଗର ସତର୍କ ସୂଚନା

ଭୁବନେଶ୍ୱର : ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାର ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ । ପାଣିପାଗ କେନ୍ଦ୍ରର ସତର୍କ ସୂଚନାନୁଯାୟୀ ଆସନ୍ତା ୩୬ ଘଣ୍ଟା ମଧ୍ୟରେ ଓଡ଼ିଶାର ୧୩ଟି ଜିଲ୍ଲାରେ ପ୍ରବଳ ବୃଷ୍ଟିପାତ ହେବ ।

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ ଆସନ୍ତା ୩୬ ଘଣ୍ଟା ମଧ୍ୟରେ ପଶ୍ଚିମ ବଙ୍ଗୋପସାଗରେ ଏକ ଲଘୁଚାପ ଘନିଭୂତ ହେଉଛି । ଏହି ସମୟରେ ଉତ୍ତର ଓଡ଼ିଶାର ସମସ୍ତ ଜିଲ୍ଲାର କିଛି ସ୍ଥାନମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି ।

ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ସତର୍କ ସୂଚନାନୁସାରେ ଓଡ଼ିଶାର ୧୩ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଯେଉଁ ଜିଲ୍ଲାମାନଙ୍କରେ ଅତି ପ୍ରବଳ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି ସେହି ଜିିଲ୍ଲା ଗୁଡ଼ିକ ହେଲା – ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ସୁନ୍ଦରଗଡ଼, ଦେଓଗଡ଼, ଅନୁଗୁଳ, ସମ୍ବଲପୁର, କେନ୍ଦ୍ରାପଡ଼ା, ଯାଜପୁର, କଟକ, ଢେଙ୍କାନାଳ ଓ ଜଗତସିଂହପୁରରେ ରବିବାର ଦିନ ବର୍ଷା ହେବାର ସମ୍ଭାବନା ରହିଛି ।

ସେହିପରି ପାଣିପାଗ କେନ୍ଦ୍ରର ସୂଚନାନୁସାରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେଓଗଡ଼, କେନ୍ଦୁଝର, ଅନୁଗୁଳ, ମୟୁରଭଞ୍ଜ, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ସୋମବାର ଦିନ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଏହାଛଡ଼ା ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାମାନଙ୍କରେ ମଧ୍ୟ ପ୍ରବଳ ବର୍ଷା ହେବାର ସତର୍କ ସୂଚନା ଜାରି କରିଛନ୍ତି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର କର୍ତ୍ତୃପକ୍ଷ ।

ଆଗାମୀ ୪୮ ଘଣ୍ଟା ମଧ୍ୟରେ ଅର୍ଥାତ ଅଗଷ୍ଟ ୭ ତାରିଖ ମଧ୍ୟରେ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଘଣ୍ଟାପ୍ରତି ୩୫ରୁ ୪୫ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ମତ୍ସ୍ୟଜୀବିମାନେ ସମୁଦ୍ର ମଧ୍ୟକୁ ନଯିବାକୁ ବାରଣ କରିଛନ୍ତି ପାଣିପାଗ ବିଭାଗ ।

ଏହି ବୃଷ୍ଟିପାତ ସମୟରେ ନିରାପଦ ସ୍ଥାନମାନଙ୍କରେ ରହିବାକୁ ପରାମର୍ଶ ଦେଇଛନ୍ତି ପାଣିପାଗ ବିଭାଗର କର୍ତ୍ତୃପକ୍ଷ ।

ତେବେ ପାଣିପାଗ କେନ୍ଦ୍ରର ଜାରି ହୋଇଥିବା ଏହି ସତର୍କ ସୂଚନାକୁ ଭିତ୍ତିକରି ରାଜ୍ୟ ସରକାରଙ୍କ ସ୍ପେଶାଲ ରିଲିଫ କମିଶନର (ଏସଆରସି) ୧୩ଟି ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ସତର୍କତା ଅବଲମ୍ବନ କରି ଆବଶ୍ୟକାନୁସାରେ ଆଗୁଆ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.