ଭୁବନେଶ୍ୱର: ଆକାଶରୁ ବର୍ଷିବ ଅଗ୍ନିବର୍ଷା। ଦିନ ହେବା ମାତ୍ରେ ତାତି ଉଠିବ ରାସ୍ତାଘାଟ ଆଉ ମୁଣ୍ଡ ଉପରକୁ ଖରା ଉଠିବା ବେଳକୁ ନଦୀ, ନାଳ ପାଣି ଗରମ ହୋଇଯାଇଥିବ। ଏଭଳି ଆକଳନ କରିଛି ପାଣିପାଗ ବିଭାଗ। ଯାହା ସୂଚାଉଛି ଯେ ଏପ୍ରିଲ ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର କେତେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ହେବ। ଆହୁରି ମଧ୍ୟ ଆଇଏମଡି ଚେତାବନୀ ଦେଇଛି ଯେ, ଆସନ୍ତା ୪ ଦିନ ମଧ୍ୟରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଦିନରେ ତାପମାତ୍ରା ୩ରୁ ୪ ଡିଗ୍ରୀ ଯାଏ ବଢ଼ିବ।
ଇତିମଧ୍ୟରେ ଦୁଇ ଦିନ ଧରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଦିନରେ ସର୍ବାଧିକ ତାପମାତ୍ରା ବୃଦ୍ଧି ଲୋକଙ୍କ ପାଇଁ ବିଭିନ୍ନ ପ୍ରକାର ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଆଇଏମଡିର ତଥ୍ୟ ଅନୁଯାୟୀ ମଙ୍ଗଳବାର ଅପରାହ୍ନ ୨ଟା ୩୦ ସୁଦ୍ଧା ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୪୦.୪ ଡିଗ୍ରୀ ରେକର୍ଡ ହୋଇଛି।
ଆଜି ୪୧.୬ ଡିଗ୍ରୀ ସହ ବାରିପଦାରେ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଝାରସୁଗୁଡ଼ାରେ ୪୧.୨ ଡିଗ୍ରୀ, ସମ୍ବଲପୁର ୪୦.୮, ଭୁବନେଶ୍ୱର ୪୦.୭ ଡିଗ୍ରୀ, ବୈଦ୍ଧ ୪୦.୫ ଡିଗ୍ରୀ, ଟିଟିଲାଗଡ ୪୦.୫ ଡିଗ୍ରୀ, ଅନୁଗୁଳ ୪୦.୧ ଡିଗ୍ରୀ, କଟକ ଓ ସୁନ୍ଦରଗଡରେ ୪୦.୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।
ସୋମବାର ଓଡ଼ିଶାର ଦୁଇଟି ସ୍ଥାନ ଝାରସୁଗୁଡ଼ା ଓ ବାରିପଦାରେ ସର୍ବାଧିକ ତାପମାତ୍ରା ଯଥାକ୍ରମେ ୪୦.୪ ଓ ୪୦ ଡିଗ୍ରୀ ରେକର୍ଡ କରାଯାଇଥିଲା।
ଦୀର୍ଘ ଦିନ ଧରି ଅସହ୍ୟ ଗ୍ରୀଷ୍ମ ପ୍ରବାହ ଯୋଗୁ ଓଡ଼ିଶାବାସୀଙ୍କ ସ୍ବାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି ହୋଇଛି। ପ୍ରଚଣ୍ଡ ଖରାରୁ ରକ୍ଷା ପାଇବା ପାଇଁ ଲୋକେ ମଧ୍ୟାହ୍ନ ସମୟରେ ଘର ଭିତରେ ରହିବା, ଅଧିକ ସମୟ ଖରାରେ ରହିବାରୁ ଦୂରେଇ ରହିବା, ଜଳାଭାବରୁ ରକ୍ଷା ପାଇବା ଭଳି ପଦକ୍ଷେପ ନେଉଛନ୍ତି। ସେହିପରି ଗ୍ରୀଷ୍ମ ପ୍ରବାହ ସମୟରେ ସତର୍କତା ଅବଲମ୍ବନ କରିବା ସହ ସୁରକ୍ଷିତ ରହିବାକୁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି।
Comments are closed.