ଭୁବନେଶ୍ଵର: ବଙ୍ଗୋପସାଗରରେ ସୃଷ୍ଟ ବତ୍ୟା ‘ଫେଙ୍ଗଲ’ ପ୍ରଭାବରେ ରାଜ୍ୟରେ ପଣିପାଗରେ ସାମାନ୍ୟତମ ପରିବର୍ତ୍ତନ ଦେଖିବାକୁ ମିଳିଛି । ଗତକାଲି ଠାରୁ ରାଜ୍ୟର କିଛି ଜିଲ୍ଲାରେ ଆକାଶ ମେଘାଚ୍ଛନ ରହିବା ସହ ସ୍ଥାନେ ସ୍ଥାନେ ହାଲୁକାର ମଧ୍ୟମ ଧରଣର ବର୍ଷା ହୋଇଛି । ସେହିପରି ଆଜିପାଇଁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆଗାମୀ ୩ ଘଣ୍ଟା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ବାଲେଶ୍ୱର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଜପତି, କନ୍ଧମାଳ, କୋରାପୁଟ, ମାଲକାନଗିରି, ଗଂଜାମ, ନୟାଗଡ଼, ରାୟଗଡ଼ାକୁ ୱାର୍ଣ୍ଣିଂ ଜାରି କରିଛି ବିଭାଗ ।
ସେପଟେ ଆଜି ଅପରାହ୍ନରେ ସ୍ଥଳଭାଗ ଛୁଇଁବ ବାତ୍ୟା ‘ଫେଙ୍ଗଲ’ । ତାମିଲନାଡୁ, ପୁଡୁଚେରୀ ମଧ୍ୟରେ ଉପକୂଳ ଅତିକ୍ରମ କରିବ ବାତ୍ୟା । ଲ୍ୟାଣ୍ଡଫଲ୍ ବେଳେ ଘଣ୍ଟା ପ୍ରତି ପବନର ବେଗ ୭୦ରୁ ୮୦ କିମି ରହିବ । ବାତ୍ୟା ପ୍ରଭାବରେ ତାମିଲନାଡୁର କୁଡାଲୋର, କରାଇକାଲ,ଆଥିରାମପାଚ୍ଚିନମ୍, ପାରଙ୍ଗିପେଟ୍ଟାଇ, ମୀନାମକମ୍, ସମେତେ ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି । ତାମିଲନାଡ଼ୁ ଓ ପୁଡ଼ୁଚେରୀ ଉପକୂଳରେ ପ୍ରବଳ ବର୍ଷା ସହ ପବନ ବହିବା ଆରମ୍ଭ ହୋଇଛି ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ବାତ୍ୟାକୁନେଇ ଭିନ୍ନ ସ୍ଥାନରେ ରେଡ୍ ଆଲର୍ଟ ଜାରି କରାଯାଇଛି। ସତର୍କତା ଦୃଷ୍ଟିରୁ ପୁଡୁଚେରୀରେ ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି ଏପରିକି ବିମାନ ଉଡାଣ ମଧ୍ୟ ପ୍ରଭାବିତ ହୋଇଛି। ସେହିପରି ସୁମଦ୍ର ମଧ୍ୟକୁ ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ବାତ୍ୟା ମୁକାବିଲା ପାଇଁ ତାମିଲନାଡୁ ସରକାର ସଜାଗ ରହିଛନ୍ତି ।