Latest Odisha News

ନିର୍ବାଚନ ବେଳେ କାହିଁକି ବିଜେପି ପାଲଟିଲା ଓଡ଼ିଶାବାସୀଙ୍କ ପସନ୍ଦ, ମୋଦୀ ଫିଟାଇଲେ ଗୁମର

ଭୁବନେଶ୍ୱର: ରାଜ୍ୟରେ ବିଜେପି ପ୍ରଥମ ଥର ସରକାରକୁ ଆସିଛି। ନିର୍ବାଚନ ବେଳେ କିନ୍ତୁ ବିଜେପି ଲୋକଙ୍କ ପସନ୍ଦ ପାଲଟିବ ବୋଲି କେହି ଆକଳନ କରିନଥିଲେ। କିନ୍ତୁ ଫଳାଫଳ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ରାଜ୍ୟରେ ପୂର୍ବର ଶାସକ ଦଳ ତଥା ଏବେର ବିରୋଧୀ ଦଳ ବିଜୁ ଜନତା ଦଳ ଏବଂ ରାଜନୈତିକ ସମୀକ୍ଷକ କିନ୍ତୁ ବିଜେପି କ୍ଷମତାକୁ ଆସିପାରିବ ନାହିଁ ବୋଲି କହୁଥିଲେ। ଯାହାକୁ ଆଜି ଏୟାରପୋର୍ଟ ନିକଟରେ ଆୟୋଜିତ ସଭାରେ ଉଠାଇଛନ୍ତି ପ୍ରଧାନମନ୍ତ୍ରୀ। ବିଜେଡିକୁ ଛାଡି କାହିଁକି ବିଜେପି ପାଲଟିଲା ପ୍ରଥମ ପସନ୍ଦ ଏହାର ଗୁମର ଫିଟାଇଛନ୍ତି ମୋଦୀ।

ସେ କହିଛନ୍ତି, ବିଜେପିର କେନ୍ଦ୍ର ସରକାର ଓଡ଼ିଶାବାସୀଙ୍କ ପାଖରେ ଥିଲା। ତାଙ୍କ ସରକାରରେ ଓଡ଼ିଆଙ୍କୁ ଗୁରୁତ୍ୱ ମିଳିଛି। ଯେଉଁ ଯୋଜନା ଓ ନୀତି ତିଆରି ହୋଇଥିଲା ତାହା ଲୋକଙ୍କୁ ସୁହାଉଥିଲା। ଯଦିଓ ରାଜ୍ୟରେ ସେତେବେଳେ ଥିବା ସରକାର ଯୋଜନାର ନାମ ପରିବର୍ତ୍ତନ କରୁଥିଲା କିନ୍ତୁ ଲୋକେ ଠିକ୍ ଭାବେ ଜାଣିଥିଲେ ସତ କଣ। ଏହା କହିଛନ୍ତି ପ୍ରଧାନମନ୍ତ୍ରୀ।

ରାଜ୍ୟରେ କିଏ ସରକାରରେ ଅଛି ତାଙ୍କ ସରକାରର ଲକ୍ଷ୍ୟ ନୁହେଁ ବରଂ ଲୋକେ କିଭଳି ଅଧିକରୁ ଅଧିକ ସରକାରୀ ଯୋଜନାର ଲାଭ ପାଇବେ ତାଙ୍କ ସରକାରର ଲକ୍ଷ୍ୟ ବୋଲି କହିଛନ୍ତି। ପୂର୍ବରୁ କେନ୍ଦ୍ରରେ ଥିବା ଅନ୍ୟ ଦଳର ସରକାର ଓଡ଼ିଶାକୁ କେବେ ଗୁରୁତ୍ୱ ଦେଇନି ଯାହା ତାଙ୍କ ସରକାର ଦେଉଛି ବୋଲି ମୋଦୀ କହିଛନ୍ତି। ସେହିପରି ତାଙ୍କ ସରକାର ଆସିବା ପରେ ଓଡ଼ିଶା ପାଇଁ ବଜେଟ ବଢ଼ିଛି ବୋଲି ସେ କହିଛନ୍ତି।

ସେ ହିନ୍ଦୀରେ ଅଭିଭାଷଣ ଦେଉଥିଲେ ନିର୍ବାଚନ ବେଳେ। ହେଲେ ତାଙ୍କ ସରକାରର ଭାବକୁ ଲୋକମାନେ ବୁଝିପାରିଛନ୍ତି ବୋଲି ମୋଦୀ କହିଛନ୍ତି। ସେ ଅନେକ ଦେଶକୁ ଯାଉଛନ୍ତି। ହେଲେ ଦେଶବାସୀ ଯେଉଁଭଳି ଭାବେ ତାଙ୍କ ସରକାରକୁ ତୃତୀୟ ଥର ନିର୍ବାଚିତ କରିଛନ୍ତି। ଯାହା ଅନ୍ୟ ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଏତେ ବଡ଼ ଜନସଂଖ୍ୟା ବିଶିଷ୍ଟ ଦେଶରେ ନିର୍ଦ୍ଦିଷ୍ଟ ଦଳ କେନ୍ଦ୍ରରେ କ୍ଷମତାରେ ରହିବା ବିଦେଶରେ ଚର୍ଚ୍ଚାର ବିଷୟ ବୋଲି ମୋଦୀ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ ବିଧାନସଭା ଓ ଲୋକସଭା ନିର୍ବାଚନ ବେଳେ ବିଜେପି ଚାଷୀ କାର୍ଡ ସହ ଓଡ଼ିଆ ଅସ୍ମିତା କାର୍ଡ ଖେଳିଥିଲା। ଯାହାକି ବିଜେଡି ବିରୋଧରେ ଥିଲା। କାରଣ ନିର୍ବାଚନ ବେଳେ ବିଜେଡିର ପ୍ରମୁଖ ଚେହେରା ଭାବେ ନବୀନ ପଟ୍ଟନାୟକଙ୍କ ଭଳି ଅବସରପ୍ରାପ୍ତ ଆଇଏଏସ ଭି.କେ ପାଣ୍ଡିଆନଙ୍କୁ ଦଳ ଚିତ୍ରଣ କରୁଥିଲା। ଯିଏକି ଦଳର ପୋଷ୍ଟର ବୟ ବୋଲି ପ୍ରତିପାଦିତ ହୋଇଥିଲେ। ଆଉ ଜଣେ ଅଣ ଓଡ଼ିଆ କିଭଳି ଓଡ଼ିଶାର ନେତୃତ୍ୱ ନେବ କହି ବିଜେପି ଓଡ଼ିଆ ଅସ୍ମିତାର କାର୍ଡ ଖେଳିଥିଲା।

Comments are closed.