Latest Odisha News

BREAKING NEWS

ଆଜି ରାଜ୍ୟର ୧୧ ଜିଲ୍ଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର: ରବିବାର ରାଜ୍ୟର ୧୧ଟି ଜିଲ୍ଲାରେ ପ୍ରବଳ ବର୍ଷା । ଆଞ୍ଚଳିକ ପାଣିପାଗ ବିଭାଗ ଏନେଇ ସତର୍କତା ଜାରି କରିଛନ୍ତି । ଏ ସକାଶେ ରାଜ୍ୟର ଦକ୍ଷିଣାଞ୍ଚଳ ଏବଂ ପୁରୀକୁ ପାଣିପାଗ ବିଭାଗ ଅରେଞ୍ଜ ଆଲର୍ଟ ଜାରି କରିଛନ୍ତି ।

ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର, ଗଞ୍ଜାମ, ପୁରୀ ଏବଂ ରାୟଗଡ଼ାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା କରାଯାଉଛି ।

ବଙ୍ଗୋପସାଗରର ଉତ୍ତର-ପଶ୍ଚିମ ଦିଗରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣି ବଳୟ ପ୍ରଭାବରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଥିଲା । ଯାହା ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେବାର ସମ୍ଭାବନା କରାଯାଉଛି । ଏହି ଲଘୁଚାପ ବଳୟ ପ୍ରଭାବରେ ରାଜ୍ୟରେ ଶନିବାର ଠାରୁ ପ୍ରବଳ ବର୍ଷା ଲାଗି ରହିଛି ।

ବର୍ଷା ପ୍ରଭାବରେ ପାହାଡ଼ିଆ ଅଞ୍ଚଳ ଗୁଡ଼ିକରେ ମାଟି ଅତଡ଼ା ଖସିବା, ତଳିଆ ଅଞ୍ଚଳରେ ପାଣି ଜମିବା ଏବଂ ସହରାଞ୍ଚଳରେ ଯାତାୟତ ସମୟରେ ଦୃଶ୍ୟ ଅସ୍ପଷ୍ଟ ହେବ ବୋଲି ପାଣିପାଗ ବିଭାଗ ଆଶଙ୍କା କରିଛି ।

ଶନିବାର ହୋଇଥିବା ବର୍ଷାରେ ଭାସିଥିଲା ଭୁବନେଶ୍ୱର ସମେତ ରାଜଧାନୀର ଆଖପାଖ ଅଞ୍ଚଳ । ସୃଷ୍ଟି ହୋଇଥିଲା ବନ୍ୟାର ଭ୍ରମ । ସେହିପରି ପୁରୀ ବଡ଼ ଦାଣ୍ଡରେ ଲହଡ଼ି ଭାଙ୍ଗିଥିଲା ବର୍ଷା ଜଳ । ଆଉ ଲଗାତାର ଯଦି ବର୍ଷା ହୁଏ, ଅବ୍ୟବସ୍ଥିତ ମୁକାବିଲା ଚାରି ଆଡ଼ ଜଳମଗ୍ନ କରିବ ।

Leave A Reply

Your email address will not be published.