ଯାଜପୁର: ଯାଜପୁର ଜିଲ୍ଲା ସୁକିନ୍ଦା ଖଣି ଉପତ୍ୟକାର କାଳିଆପାଣି ଠାରେ ଥିବା ଇମ୍ଫା ଖଣିରେ ଦେଖାଦେଇଛି ଶ୍ରମିକ ଅଶାନ୍ତି । ଖଣି କର୍ତ୍ତୃପକ୍ଷ କାମ ଦେଉନଥିବା ଅଭିଯୋଗ ସହ ୯ ଦଫା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶହ ଶହ ଶ୍ରମିକ ଓ କର୍ମଚାରୀ । ୨ ଦିନ ହେଲା ଖଣି ମୁଖ୍ୟ ଫାଟକ ସମ୍ମୁଖରେ ଶ୍ରମିକମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଛନ୍ତି।
ସୂଚନା ମୁତାବକ କରୋନା ଜନିତ ବିଭିନ୍ନ କଟକଣା ଯୋଗୁଁ ସରକାରଙ୍କ ନିୟମ ପାଳନ କରି ଖଣିରେ ଅଳ୍ପ ସଂଖ୍ୟକ ଲୋକ କାମ କରୁଥିଲେ । ହେଲେ ଗତ ୧ ତାରିଖ ଦିନ ହଠାତ୍ ଇମ୍ଫା ଖଣି କର୍ତୃପକ୍ଷ ଉକ୍ତ ଲୋଡିଂ ଶ୍ରମିକଙ୍କୁ କାମରେ ଯୋଗ ଦେବାକୁ ମନା କରିଦେଲେ।
ତେଣୁ ବାଧ୍ୟ ହୋଇ ଶ୍ରମିକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ପୁର୍ନବାର କାମ ଯୋଗାଇ ଦିଆ ନଗଲେ ଆନ୍ଦୋଳନକୁ ଆହୁରି ଯୋରଦାର କରାଯିବା ସହ ଖଣି ସମ୍ମୁଖରେ ଶ୍ରମିକମାନେ ସପରିବାରେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି। ତେବେ ଆଗକୁ ଯଦି କିଛି ଅଘଟଣ ଘଟେ, ସେଥିପାଇଁ ଇମ୍ଫା ଖଣି କର୍ତୃପକ୍ଷ ଦାୟୀ ରହିବେ ବୋଲି ଶ୍ରମିକ ମାନେ କହିଛନ୍ତି। ସେହିପରି ଶ୍ରମିକଙ୍କ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି ଇମ୍ଫା ଖଣିରେ କାର୍ଯ୍ଯରତ ଅନେକ କର୍ମଚାରୀ।
କେନ୍ଦ୍ର ସରକାର ବୃଦ୍ଧି କରିଥିବା ମହଙ୍ଗା ଭତ୍ତା ସମେତ ବର୍ଦ୍ଧିତ ଦରମା ଓ ମେଡିକାଲ ଫାସିଲିଟି ଆଦି ଅନ୍ୟାନ୍ୟ ଆନୁସାଙ୍ଗିକ ସୁଯୋଗ ଦିଆଯାଉ ନଥିବା ସହ କରୋନା ଆଳରେ କର୍ମଚାରୀ ମାନଙ୍କୁ ଏଭଳି ନିର୍ଯ୍ୟାତିତ କରାଯାଉଥିବା ସେମାନେ ଅଭିଯୋଗ କରିଛନ୍ତି। ସେପଟେ ଇମ୍ଫା ଲୋଡିଂ ଶ୍ରମିକ ଓ କର୍ମଚାରୀଙ୍କ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଛି ସୁକିନ୍ଦା ରିଜିଅନ୍ କ୍ରୋମାଇଟ୍ ଖାଦାନ ମଜଦୁର ସଂଘ। ସଂଘ ପକ୍ଷରୁ ସ୍ଥାନୀୟ ଅଞ୍ଚଳର ଶତାଧିକ ଶ୍ରମିକ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ତେବେ ତୁରନ୍ତ ଏହି ଶ୍ରମିକ ଓ କର୍ମଚାରୀଙ୍କ ଦାବି ପୂରଣ ନହେଲେ ଇମ୍ଫା ଖଣିରୁ କ୍ରୋମ ପରିବହନ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯିବ ବୋଲି ସୁକିନ୍ଦା ରିଜିଅନ୍ କ୍ରୋମାଇଟ୍ ଖାଦାନ ମଜଦୁର ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।
Comments are closed.