Latest Odisha News

କ୍ରୀଡା ସଂଘଗୁଡ଼ିକରେ ବି ପରିବର୍ତ୍ତନର ସ୍ବର !

ଭୁବନେଶ୍ବର: ରାଜ୍ୟରେ ବଦଳିଛି ସରକାର । ୨୪ବର୍ଷ ପରେ ବିଜେଡି କ୍ଷମତାଚ୍ୟୁତ ହୋଇଛି ତ ପ୍ରଥମ ଥର ପାଇଁ ଶାସନ ଗାଦିରେ ବସିଛି ବିଜେପି । ସରକାର ବଦଳର ପ୍ରଭାବ କ୍ରୀଡା ସଂଘଗୁଡିକ ଉପରେ ବି ଦେଖିବାକୁ ମିଳିଲାଣି । ଚର୍ଚ୍ଚା ହେଉଛି ରାଜ୍ୟର ବିଭିନ୍ନ କ୍ରୀଡା ସଂଘରେ ପଦପଦବୀରେ ରହିଥିବା ରାଜନେତା ବଦଳିବେ । ଦୀର୍ଘ ବର୍ଷ ଧରି ଶାସନ କ୍ଷମତାରେ ବିଜେଡି ରହିଥିବାରୁ ପଦରେ ବି ବିଜେଡି ନେତାଙ୍କ ଦବଦବା ରହିଥିଲା । ହେଲେ ଏବେ ସରକାର ପରିବର୍ତ୍ତନ ସହ କ୍ରୀଡା ସଂଘକୁ ଏଣ୍ଟ୍ରି କରିପାରନ୍ତି ବିଜେପି ନେତା। ଆସନ୍ତା ୨୧ତାରିଖରେ ଓଡିଶା ଫୁଟବଲ୍ ସଂଘ ନିର୍ବାଚନ ହେଉଥିବା ବେଳେ ସଭାପତି ପଦରେ ଥିବା ଦେବାଶିଷ ସାମନ୍ତରାୟ ବାଦ ପଡିବେ।

ଦେବାଶିଷ ଆଉଟ୍ ସମୀର ଇନ୍ !

ଓଡିଶା ଫୁଟବଲ୍ ସଂଘ ବା ଫାଓ ନିର୍ବାଚନରେ ରାଜ୍ୟ ରଜନୀତିର ପ୍ରଭାବ । ଏବେ ଫାଓର ସଭାପତି ରହିଥିବା ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ ନିର୍ବାଚନ ପ୍ରକ୍ରିୟାକୁ ଆସିବେନି। ଗତ ଦୁଇଟି ନିର୍ବାଚନରେ ଦେବାଶିଷ ରାଧାରମଣ କ୍ଲବ ପକ୍ଷରୁ ପ୍ରତିନିଧିତ୍ବ କରି ନିର୍ଦ୍ବନ୍ଦ୍ବରେ ସଭାପତି ହୋଇ ଆସୁଥିଲେ । ତେବେ ଏଥର ରାଧାରମଣ କ୍ଲବ ପକ୍ଷରୁ ତାଙ୍କ ନାଁ ପଠାଯାଇନାହିଁ । ରାଇଜିଂ ଷ୍ଟୁଡେଣ୍ଟ କ୍ଲବ ପକ୍ଷରୁ ବିଜେପି ନେତା ସମୀର ଦେଙ୍କ ନାଁ ଦିଆଯାଇଛି । ତେଣୁ ସମୀର ଦେ ପୁଣି କ୍ରୀଡା ସଂଘକୁ ଫେରିବେ ବୋଲି ଚର୍ଚ୍ଚା ହେଉଛି । ନାମାଙ୍କନ ଦାଖଲ ପ୍ରକ୍ରିୟା ସରିଥିବା ବେଳେ ୨୧ରେ ନିର୍ବାଚନ ହେବ । ଫାଓରେ ମୋଟ୍ ୨୪୧ଜଣ ଭୋଟର ରହିଛନ୍ତି ।

ସମୀର ଦେ ରିଟର୍ଣ୍ଣସ୍

ପୂର୍ବରୁ ଦୀର୍ଘ ବର୍ଷ ଧରି ସମୀର ଦେ ଓଡିଶା ଅଲିମ୍ପିକ ସଂଘର ସଭାପତି ରହିଥିଲେ । ତେବେ ପରେ ବାରବାଟୀ ଷ୍ଟାଡିୟମ ରାଜନୀତିରେ ବିଜେଡିର ପ୍ରଭାବ ବଢିଥିଲା। ଫଳରେ ସମୀର ଦେ ସାଇଡ୍ ଲାଇନ୍ ହୋଇଥିବା କୁହାଯାଉଛି । ତେବେ ରାଜ୍ୟରେ ବିଜେପି ସରକାରକୁ ଫେରିଥିବା ବେଳେ କ୍ରୀଡା ସଂଘକୁ ପୁଣି ହୋଇପାରେ ସମୀର ଦେଙ୍କ ଏଣ୍ଟ୍ରି । ଆଶୀର୍ବାଦ ବେହେରା ମଧ୍ୟ ପୁଣି ସାଧାରଣ ସଂପାଦକ ହେବାକୁ ଯୋଜନା ରଖିଥିବା କୁହାଯାଉଛି ।

ଦେବାଶିଷଙ୍କ ପରେ ଯିବେ ବବି !

ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ କ୍ରୀଡା ସଂଘରେ ଏଣ୍ଟ୍ରି କରିଥିଲେ। ଏବେ ଓଡିଶା କ୍ରିକେଟ୍ ସଂଘ ବା ଓସିଏର ସଭାପତି ରହିଛନ୍ତି ପ୍ରଣବ । ଆସନ୍ତା ବର୍ଷ ଓସିଏ ନିର୍ବାଚନ ହେବାକୁ ଥିବା ବେଳେ ପ୍ରଣବ ଓସିଏ ସଭାପତି ପଦରୁ ବାଦ ପଡିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ପୂର୍ବରୁ ବିଜେଡିର ଅନ୍ୟତମ କ୍ଷମତା କେନ୍ଦ୍ର କୁହାଯାଉଥିବା ପ୍ରଣବ ଏଥର ସମ୍ବଲପୁର ଲୋକସଭା ନିର୍ବାଚନ ହାରିଛନ୍ତି । ଓସିଏ ସଭାପତି ପଦରେ ବବିଙ୍କ ଜାଗାରେ ଜଣେ ପ୍ରଭାବଶାଳୀ ବିଜେପି ନେତା ଏଣ୍ଟ୍ରି ନେବେ ବୋଲି ଚର୍ଚ୍ଚା ହେଉଛି ।

କ୍ରୀଡାସଂଘରେ ରାଜନେତା

ବର୍ଷ ବର୍ଷ ଧରି ରାଜ୍ୟର କ୍ରୀଡା ସଂଘ ଗୁଡିକରେ ରାଜନୈତିକ ଦଳଗୁଡିକର ପ୍ରଭାବ ରହିଛି । ଓଡିଶା ଫୁଟବଲ ସଂଘ, ଓଡିଶା କ୍ରିକେଟ୍ ସଂଘ, ଓଡିଶା ଅଲିମ୍ପିକ ସଂଘ, ଓଡିଶା ଆଥଲେଟିକ ସଂଘ ଭଳି ପ୍ରାୟ ୨୫ରୁ ଅଧିକ କ୍ରୀଡା ସଂଘରେ ପ୍ରଭାବଶାଳୀ ନେତା ବିଭିନ୍ନ ପଦପଦବୀରେ ରହିଛନ୍ତି । ଫୁଟବଲ ସଂଘ ସହ ପଦ୍ମନାଭ ବେହେରା, ଭଲିବଲ୍ ସଂଘ ସହ ଅଚ୍ୟୁତ ସାମନ୍ତ, ଭୁବନେଶ୍ବର ଆଥଲେଟିକ ଆସୋସିଏସନ ସହ ସୁରେଶ ରାଉତରାୟ, କିକବକ୍ସିଂ ସଂଘ ସହ ଶିବାନନ୍ଦ ରାୟ ସଂପୃକ୍ତ ରହିଥିବା ବେଳେ ରାଜ୍ୟ ବ୍ୟାଡମିଣ୍ଟନ ସଂଘ ସହ ରହିଛନ୍ତି ରୋହିତ ପୂଜାରୀ। ଜାତୀୟ ବାସ୍କେଟବଲ୍ ଫେଡେରେସନ୍ ସଭାପତି ରହିଥିଲେ ବିଜୁ ପଟ୍ଟନାୟକ । ଜାତୀୟ ରୋଇଂ ଫେଡେରେସନ୍ ସଭାପତି ରହିଥିଲେ କେପି ସିଂହଦେଓ । ରାଜ୍ୟ ରୋଇଂ ଓ ସ୍କଲିଂ ଆସୋସିଏସନ୍ ସହ ବି ସେ ସଂପୃକ୍ତ ଥିଲେ । ସେହିପରି ହରେକୃଷ୍ଣ ମହତାବ, ଭୈରବ ମହାନ୍ତି, ରାସବିହାରୀ ବେହେରା, ମୁସ୍ତାଫିଜ ଅହମ୍ମଦ, ସମୀର ଦେ, ବସନ୍ତ ବିଶ୍ବାଳ, ଆଶୀର୍ବାଦ ବେହେରା, ସନାତନ ବିଶି ଓ ପ୍ରତାପ ଶତପଥୀଙ୍କ ସଂପୃକ୍ତି ବି ବିଭିନ୍ନ କ୍ରୀଡା ସଂଘଗୁଡିକ ସହ ରହିଥିଲା । ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିଥିବା ବେଳେ ସଂଘଗୁଡିକ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିାଲାଣି । ଓଡିଶା ଫୁଟବଲ୍ ସଂଘ ନିର୍ବାଚନ ପରେ ଅନ୍ୟ ସଂଘଗୁଡିକର ବି ନିର୍ବାଚନ ହେବାକୁ ଯାଉଛି । ରାଜ୍ୟ ରାଜନୀତିର ପ୍ରଭାବ କ୍ରୀଡା ସଂଘ ନିର୍ବାଚନ ଉପରେ ପ୍ରଭାବ ପକାଇବ । ଫଳରେ ବିଜେଡି ନେତାଙ୍କୁ ବାଦ ଦେଇ ସଂଘର ପଦପଦବୀରେ ବିଜେପି ନେତା ଏଣ୍ଟ୍ରି କରିବେ ବୋଲି ଚର୍ଚ୍ଚା ହେଉଛି ।

Comments are closed.