Latest Odisha News

BREAKING NEWS

ଘରର ପ୍ରବେଶ ଦ୍ୱାରରେ କାହିଁକି ଅଙ୍କା ଯାଏ ‘ସ୍ୱସ୍ତିକ ଚିହ୍ନ’, ଜାଣନ୍ତୁ

ଭୁବନେଶ୍ୱର: ଅନେକ ଲୋକଙ୍କ ଘରର ପ୍ରବେଶ ଦ୍ୱାରରେ ସ୍ୱସ୍ତିକ ଚିହ୍ନ ଅଙ୍କା ଥିବାର ଆପଣ ଦେଖିଥିବେ । ତେବେ ଏହି ସ୍ୱସ୍ତିକ ଚିହ୍ନର ମାହାତ୍ମ୍ୟ କଣ ଆପଣ ଜାଣିଛନ୍ତି ?

ଆସନ୍ତୁ ଏହି ପବିତ୍ର ତଥା ଶୁଭ ଚିହ୍ନ ଅଂକନ ବିଷୟରେ ଜାଣିବା…

‘ସ୍ବସ୍ତିକ’ ଅର୍ଥାତ୍‌ ‘ସୁ+ଅସ୍ତିତ୍ବ’। ଏହାର ଅର୍ଥ କଲ୍ୟାଣକାରୀ ଶ୍ରେଷ୍ଠତ୍ବର ଅସ୍ତିତ୍ବ। ଯେଉଁଠାରେ ପ୍ରେମ ଓ ଉଲ୍ଲାସପୂର୍ଣ୍ଣ ବାତାବରଣ ସେଠାରେ ହିଁ ସ୍ବସ୍ତିକର ଭାବନା। ହିନ୍ଦୁ ଶାସ୍ତ୍ର ଅନୁଯାୟୀ ସ୍ବସ୍ତିକ ଚିହ୍ନ ମାନବର ବିକାଶ ଓ ସୁରକ୍ଷା ପାଇଁ ଏକ ମୁଖ୍ୟ କବଚ ଅଟେ।

କେତେକ ସ୍ଥାନରେ ସଧବା ସ୍ତ୍ରୀମାନେ ସୌଭାଗ୍ୟ ଲାଭ ପାଇଁ ସ୍ବସ୍ତିକ ବ୍ରତ କରନ୍ତି। ଗୁଜୁରାଟରେ ପ୍ରତ୍ୟେକ ଗୃହର ପ୍ରବେଶ ଦ୍ବାରରେ ସ୍ବସ୍ତିକ ଚିହ୍ନ ଅଙ୍କାଯାଏ। ଆହୁରି ମଧ୍ୟ ସ୍ବସ୍ତିକ ଭଗବାନ ଗଣେଶଙ୍କର ପ୍ରତିନିଧି ବୋଲି ବିଶ୍ବାସ ରହିଛି।

କେବଳ ଯେ, ହିନ୍ଦୁ ଧର୍ମରେ ସ୍ବସ୍ତିକ ଚିହ୍ନର ମହତ୍ବ ରହିଛି ତା’ ନୁହେଁ, ବିଶ୍ବର ସମସ୍ତ ଧର୍ମରେ ଏହାର ମହତ୍ବ ରହିଛି। ଏପରିକି ବିଶ୍ବର ଅନ୍ୟଦେଶର ଲୋକମାନେ ମଧ୍ୟ ଏହି ସ୍ବସ୍ତିକ ଚିହ୍ନର ଆଦର କରନ୍ତି।

ନେପାଳରେ ସ୍ବସ୍ତିକକୁ ‘ହେରମ୍ବ’ ନାମରେ ପୂଜା କରାଯାଏ। ୟୁନାନୀମାନେ ‘ଓରେନ୍ସ’ ନାମରେ ସ୍ବସ୍ତିକ ଚିହ୍ନକୁ ପୂଜା କରନ୍ତି।

ବର୍ମାରେ ‘ପିୟେନ୍ନେ’ ନାମରେ ଏହା ପ୍ରସିଦ୍ଧ । ଚୀନରେ ‘ଫକିଙ୍ଗିୟନ’ ନାମରେ ସ୍ବସ୍ତିକ ଆଦୃତ ।

ସ୍ବସ୍ତିକର ମହିମା ପଛରେ ମଧ୍ୟ ବୈଜ୍ଞାନିକ କାରଣ ରହିଛି। ବିଦ୍ୟୁତ୍‌ ଶକ୍ତିର ଦୁଇଟି ପ୍ରବାହ ଥାଏ, ଯଥା- ଧନାତ୍ମକ ଓ ଋଣାତ୍ମକ।

ଏହି ଦୁଇ ଧାରା ପରସ୍ପର ପ୍ରତି ଆକୃଷ୍ଟ ହୁଅନ୍ତି। ଉକ୍ତ ଦୁଇ ଶକ୍ତି ପ୍ରବାହରେ ମିଳନରୁ କାର୍ଯ୍ୟକାରୀ ଶକ୍ତି ସୃଷ୍ଟି ହୁଏ।ଉତ୍ପନ୍ନ ଶକ୍ତି ହିଁ ସୃଷ୍ଟିର ଆଧାର। ସ୍ବସ୍ତିକ ହେଉଛି ଏହି ଦୁଇ ଶକ୍ତିର ମିଳନର ପ୍ରତୀକ।

ସ୍ବସ୍ତିକ ମଧ୍ୟରେ ଥିବା ଦୁଇ ରେଖା ମଧ୍ୟରୁ ଦଣ୍ଡାୟମାନ ରେଖାକୁ ଶିବ ଓ ଆଡ ରେଖାକୁ ଶକ୍ତି ରୂପେ ଗ୍ରହଣ କରାଯାଏ। ଶିବ ଓ ଶକ୍ତିଙ୍କ ମିଳନରୁ ହିଁ ସୃଷ୍ଟି ସମ୍ଭବ ହୁଏ।

ସ୍ବସ୍ତିକର ଚାରିଗୋଟି ଭୂଜ ବିଷ୍ଣୁଙ୍କ ଚାରିଭୂଜର ସୂଚକ ଅଟେ। ବିନ୍ଦୁକୁ ବିଷ୍ଣୁଙ୍କର ନାଭି କୁହାଯାଏ। ଯେକୌଣସି ଶୁଭକର୍ମର ଆରମ୍ଭରେ କିମ୍ବା ତିଳକ ଧାରଣ ସମୟରେ ସ୍ବସ୍ତିବାଚକ ପାଠକରାଯାଏ।

ସ୍ବସ୍ତି ବଚନ-

ସ୍ବସ୍ତିନୋ ଇନ୍ଦ୍ରୋ ବୃଦ୍ଧଶ୍ରବା ସ୍ବସ୍ତିନଃ ପୁଷ୍ୟ ବିଶ୍ବଦେବାଃ।
ସ୍ବସ୍ତିନୋ ସ୍ତାର‌୍ୟ୍ୟୋ ଅଭିଷ୍ଟନେମିଃ ସ୍ବସ୍ତିକୋଃ ବୃହସ୍ପର୍ତଥାଚୁ।।

ବାସ୍ତୁଶାସ୍ତ୍ରରେ ମଧ୍ୟ ସ୍ବସ୍ତିକ ଚିହ୍ନର ଗୁରୁତ୍ବ ରହିଛି। ମୁଖ୍ୟ ଦ୍ବାର ଉପରେ ଦୁଇ ପଟେ ଦୁଇଟି ଏବଂ ଗୃହର ପ୍ରତି କକ୍ଷର ପୂର୍ବପଟ କାନ୍ଥରେ ଗୋଟିଏ ଲେଖା ସ୍ବସ୍ତିକ ଚିହ୍ନ ଅଙ୍କନ କଲେ ବାସ୍ତୁ ଦୋଷ ଖଣ୍ଡନ ହୁଏ। ପରିବାରରେ ଅଶାନ୍ତି ଦୂରୀଭୂତ ଦୁଏ। ସର୍ବପରି ସର୍ବବିଧ ମଙ୍ଗଳ ହୁଏ।

Leave A Reply

Your email address will not be published.