Latest Odisha News

BREAKING NEWS

ମଧ୍ୟରାତ୍ରୀରେ ପାକିସ୍ତାନର କ୍ଷମତା ପିଚରୁ ଇମ୍ରାନ୍ ଆଉଟ, ଶେହବାଜ ଇନ୍

ଇସଲାମାବାଦ: ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ବିରୋଧରେ ଆସିଥିବା ଅନାସ୍ଥା ଭୋଟିଂ ରବିବାର ବିଳମ୍ବିତ ରାତିରେ ହୋଇଛି। ୩୪୨ ସାଂସଦଙ୍କ ମଧ୍ୟରୁ ୧୭୪ ଜଣ ସାଂସଦ ଇମ୍ରାନଙ୍କ ବିରୋଧରେ ଭୋଟ ଦେଇଥିଲେ। ଏହି ସମୟରେ ଗୃହର ଅଧ୍ୟକ୍ଷତା କରୁଥିଲେ ପିଏମ୍ଏଲ୍-ଏନର ସାଂସଦ ଆୟାଜ ସାଦିକ୍ । ସେ ଫଳାଫଳ ଘୋଷଣା କରିଥିଲେ।
ପିଏମ୍ଏଲ୍-ଏନ୍ ମୁଖପାତ୍ର ମୋରିଓମ ଔରଙ୍ଗଜେବଙ୍କ କହିବାନୁସାରେ ସାଦିକ୍ ଅଧିବେଶନର ଅଧ୍ୟକ୍ଷତା କରୁଥିବାରୁ ସେ ଭୋଟ୍ ଦେଇପାରିନଥିଲେ। ଭୋଟିଂ ବେଳେ ପିଟିଆଇର ଅନେକ ସଦସ୍ୟ ଭୋଟ୍ ଦେଇନଥିଲେ।

ମତଦାନ ଆରମ୍ଭ ହେବାର କିଛି ମିନିଟ୍ ପୂର୍ବରୁ ନ୍ୟାସନାଲ ଆସେମ୍ବଲିର ବାଚସ୍ପତି ଅସଦ କୈସର ନିଜ ପଦରୁ ଇସ୍ତଫା ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କୁ ହଟାଇବା ପାଇଁ ବିଦେଶୀ ଷଡ଼ୟନ୍ତ୍ରରେ ସେ ଭାଗ ନେଇପାରିବେ ନାହିଁ ବୋଲି କହି ଇସ୍ତଫା ଦେଇଥିଲେ। ଏହା ପୂର୍ବରୁ ଉପ ବାଚସ୍ପତି ମଧ୍ୟ ଇସ୍ତଫା ଦେଇଥିଲେ।

ରାତି ୧୧ଟା ୫୮ ମିନିଟରେ ପ୍ରସ୍ତାବ ଉପରେ ଭୋଟିଂ ଆରମ୍ଭ ହୋଇଥିଲା ଏବଂ ପ୍ରସ୍ତାବ ସପକ୍ଷରେ ଥିବା ସଦସ୍ୟମାନଙ୍କୁ ସାଦିକ ସଂସଦର ବାମ ପଟେ ଥିବା ଦୁଆରରୁ ବାହାରି ଯିବାକୁ କୁହାଯାଇଥିଲା। ଏହାପରେ ସାଦିକ୍ ଚାରି ମିନିଟ୍ ପାଇଁ ଗୃହକୁ ସ୍ଥଗିତ ରଖିଥିଲେ କାରଣ ନିୟମ ଅନୁୟାୟୀ, ସମାନ ଅଧିବେଶନ ମଧ୍ୟରାତ୍ରିରେ ଚାଲିପାରିବ ନାହିଁ।

ଏହାପରେ ମଧ୍ୟରାତ୍ରୀ ୧୨ଟା ୨ ମିନିଟରେ କୁରାନ ପାଠ ସହିତ ପୁଣିଥରେ ଗୃହକାର୍ୟ୍ୟ ଆରମ୍ଭ ହୋଇଥିଲା। ଏହା ପରେ ଭୋଟିଂ ପ୍ରକ୍ରିୟା ଜାରି ରହିଥିଲା । ସାଂସଦମାନେ ସଂସଦର ଦୁଆର ନିକଟରେ ରଖାଯାଇଥିବା ଏକ ରେଜିଷ୍ଟରରେ ସେମାନଙ୍କ ନା ଲେଖି ଭୋଟ୍ ଦେଇଛନ୍ତି ବୋଲି ସୁନିଶ୍ଚିତ କରାଇଥିଲେ।

Comments are closed.