Latest Odisha News

ସାହିତ୍ୟ ସାଧନା ତପସ୍ୟା ସଦୃଶ : ସଂଘମିତ୍ରା ରାଏଗୁରୁ

ସମକାଳୀନ ଓଡ଼ିଆ ସାହିତ୍ୟରେ କବୀ ସଂଘମିତ୍ରା ରାଏଗୁରୁ ଏକ ସଶ୍ରଦ୍ଧ ଉଚ୍ଚାରଣ । ସ୍ଵତନ୍ତ୍ର ତାଙ୍କର କଥା ଓ କଥନ। ଚିରାଚରିତ ଶୈଳୀର ଢେର ଉର୍ଦ୍ଧ୍ବରେ ତାଙ୍କର ସୃଷ୍ଟି। ତାଙ୍କ ତିଆରି ଚରିତ୍ରମାନଙ୍କ ସହ ସେ ସବୁବେଳେ ମଗ୍ନ । କାହାର ପ୍ରଶଂସା ବା ନିନ୍ଦା ପ୍ରତି ଖିଆଲ ନଥାଏ ତାଙ୍କର। ତାଙ୍କ କବିତା କେଉଁଠି ବି ଫୁଟିଉଠି ପାରେ। କେବଳ ଫୁଟେ ନାହିଁ , ତା ‘ ବାସ୍ନାରେ ଖୁବ ଭିଜାଏ ପାଠକ ପାଠିକାଙ୍କୁ। ଶବ୍ଦ ବିନ୍ୟାସ, ଚରିତ୍ର ଚିତ୍ରଣ ଏବଂ ନିତିଦିନିଆ ଜୀବନର ନିଖୁଣ ଉପସ୍ଥାପନା ତାଙ୍କ ସମାଲୋଚକଙ୍କୁ ମଧ୍ୟ ବାଧ୍ୟ କରିଦିଏ ତାଙ୍କ ପ୍ରସଂଶା କରିବାପାଇଁ।

ତାଙ୍କ ରଚିତ ଜହ୍ନରେ ବି ଉଠେ ଝଡ଼, ଆଖିରେ ଆଖିଏ ସ୍ୱପ୍ନ, ତୁମେ ସମୁଦ୍ର ମୁଁ ଶୋଷ, ଚାଲ ଦୀପଟେ ଜାଳିବା , ଯାହା କୁହେନା ଆଇନା , କୁଛ ଘୁଁଟ ଚାନ୍ଦ କେ, ଟୋପେ କାକର ପ୍ରଭୃତି ପୁସ୍ତକ ବିଶେଷ ଭାବରେ ସାଉଁଟି ପାରିଛି ବିପୁଳ ପାଠକୀୟ ଆଦୃତି।

କବୀ ସଂଘମିତ୍ରା ରାଏଗୁରୁଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କର ଆଳାପ।

 

ସାହିତ୍ୟ ଓ ଜୀବନ କିପରି ଭାବରେ ପରସ୍ପର ସହ ଜଡ଼ିତ ?

ମୁଁ ଭାବେ ସାହିତ୍ୟ ହେଉଛି ଜୀବନର ଝୋଟି, ଦୁଃଖ-କଷ୍ଟ-ଯନ୍ତ୍ରଣାର ଲକ୍ଷ୍ମୀ ପାଦ ଆଉ ନିରାଶାର ଦୂର୍ଗ ଭିତରେ ଧାରେ ଆଶାର ଆଳାପ । ଜଣେ ଯେଉଁଭଳି ଜୀବନଟେ ଭୋଗେ ଯେମିତିକା ଅନୁଭବ ଅନୁଭୂତି ସାଉଁଟେ, ଯେପରି ବିଚାରଧାରାକୁ ଆଧାର କରି ଜୀବନର ଯାତ୍ରା କରେ ସେ ସବୁର ଛଟା ହିଁ ତା ସାହିତ୍ୟରେ ପରିଲକ୍ଷିତ ହୁଏ । ଜୀବନ ଓ ସାହିତ୍ୟ ର ସମ୍ପର୍କ ପୃଥିବୀ-ଆକାଶ ପରି କହିଲେ ଅତ୍ୟୁକ୍ତି ହେବନାହିଁ ।

କେଉଁ ସ୍ରଷ୍ଟାଙ୍କ ସୃଷ୍ଟି, ଆପଣଙ୍କୁ ସାହିତ୍ୟମନସ୍କ କରାଇଲା ?

ବୋଧେ ମୋ ସହ ଏମିତି କିଛି ବି ହୋଇନାହିଁ । ମୁଁ ଛୋଟବେଳୁ ବୋଉର(ବୀଣାପାଣି ରାଏଗୁରୁ) ସାହିତ୍ୟମନସ୍କତା ଦେଖି ଦେଖି ବଡ ହୋଇଛି, ଅନେକ ସ୍ରଷ୍ଟାଙ୍କୁ ପଢିଛି କିନ୍ତୁ କେବେ ବି କଲମ ଧରିବା କଥା ଭାବି ନଥିଲି । ଛାତିତଳେ ଜମାଟ ବାନ୍ଧିଥିବା କିଛି ଅକୁହା କଥା ମୋ ଅଜାଣତରେ କେମିତି କେଜାଣି ହଠାତ୍ କବିତା ପାଲଟିଗଲା ! ଅବଶ୍ୟ ଏଥିରେ ସୋସିଆଲ ମିଡିଆ ଓ ଜଣେ ବନ୍ଧୁଙ୍କ ଜିଦର କରାମତିକୂ ଏଡେଇ ଦିଆଯାଇ ନପାରେ ।

କବିତାର ଭାବ ନା ଗଳ୍ପର କଳେବର, କେଉଁଥିରେ ଆପଣ ଅଧିକ ସନ୍ତୁଷ୍ଟ ?

କବିତାର ଭାବ ଓ ଗଳ୍ପର କଳେବର ଉଭୟ ମୋର ପ୍ରିୟ ତଥା ଦୁଇଟି ଯାକ ନିଜ ନିଜ ସ୍ଥାନରେ ସ୍ୱତନ୍ତ୍ର ହେଲେ ବି କବିତାର ଭାବ ପ୍ରତି ମୁଁ ଅଧିକ ଆକର୍ଷିତ-ପ୍ରବାହିତ ଓ ସମର୍ପିତ ।

ନାରୀଟିଏ ଲେଖିକା ହିସାବରେ ଅନେକ ଅସୁବିଧାର ସାମ୍ନା କରେ ବୋଲି ଅନେକ ମତ ଦିଅନ୍ତି। ସେ ବିଷୟରେ ଆପଣ କ’ଣ କହିବେ ?

ନାରୀଟିଏ କଲମ ଧରିଲେ ଅନେକ ଅସୁବିଧାର ସାମ୍ନା କରେ ; ମୁଁ ଏଥିରେ ଏକମତ। ତେବେ ଅସୁବିଧାର ରୂପ-ରଙ୍ଗ-ଢଙ୍ଗ ,ସ୍ଥାନ-କାଳ-ପାତ୍ର ଅନୁସାରେ ଭିନ୍ନ ଭିନ୍ନ ନୁହେଁ କି ? ଅନେକ ସମସ୍ୟା ଲାଗି ନିଜର ଅସାବଧାନତା ସହିତ ଅହେତୁକ ଉଚ୍ଚାକାଂକ୍ଷା ହିଁ ଦାୟୀ । ସବୁକଥା ଏଠି ଆଉ ଲେଖି ହେବକି ? ଦୃଢ ସଙ୍କଳ୍ପ, ପ୍ରଗାଢ ଆତ୍ମବିଶ୍ବାସ ସହ ଅବିରତ ସାଧନା ବଳରେ ସମସ୍ତ ଅସୁବିଧାକୁ ଏଡେଇ ଦିଆଯାଇପାରେ ।

ଆପଣଙ୍କ ପ୍ରଥମ ପ୍ରକାଶିତ ଲେଖାଟି କ’ଣ ଥିଲା ଓ ତାହା ଆପଣଙ୍କୁ କିପରି ଭାବରେ ଅନୁପ୍ରାଣିତ କରିଥିଲା ?

“ପହିଲି ପ୍ରେମ” ମୋର ପ୍ରଥମ ପ୍ରକାଶିତ କବିତା । ଯେତିକି ମନେପଡେ ଏହା ବୋଧେ ‘ପ୍ରମେୟ’ରେ ପ୍ରକାଶ ପାଇଥିଲା । ସେଦିନ ଅନେକ ଗୁଡିଏ ଫୋନକଲ୍ସ ସହ ଢେର ପ୍ରଶଂସା ମୋତେ ଆଉ ପାଦେ ଆଗେଇବା ଲାଗି ପ୍ରେରଣା ତଥା ସାହସ ଯୋଗେଇଥିଲା ନିଶ୍ଚୟ ।

ଏତେ ବର୍ଷର ସାହିତ୍ୟ ସାଧନା ଭିତରେ ଆପଣଙ୍କ ଇପ୍ସିତ ସୃଷ୍ଟିକୁ ରୂପ ଦେଇ ପାରିଛନ୍ତି କି ?

ସତରେ ଇପ୍ସିତ ସୃଷ୍ଟି କୁ ରୂପ ଦେଇହୁଏ କି ! “ପ୍ରାପ୍ତି ମାନେ ମୃତ୍ୟୁ ଆଉ ଅପ୍ରାପ୍ତିର ରାଇଜରେ ଲବଙ୍ଗଦ୍ବୀପର ୠତୁ” ଇପ୍ସିତ ସୃଷ୍ଟିର ଆଶାରେ ହିଁ ତ ଏତେ କଥା-ଏତେ କବିତା,ନୁହେଁ କି !

ସାହିତ୍ୟର ପ୍ରଚାର ପ୍ରସାର ଦିଗରେ ସାମାଜିକ ଗଣମାଧ୍ୟମ କେତେ ମାତ୍ରାରେ ସହାୟକ ହୋଇଛି ?

ବଣ ମଲ୍ଲି ବଣରେ ଫୁଟି ବଣରେ ଝଡିପଡିବାରେ ଯଦି କେହି ପୂର୍ଣ୍ଣଛେଦ ଲଗେଇ ପାରିଛି ତାହା ହେଉଛି ସାମାଜିକ ଗଣମାଧ୍ୟମ । ଗୋଟିଏ ସ୍ଥାନରେ ବସି ଦେଶ-ବିଦେଶର ବିଭିନ୍ନ ସାହିତ୍ୟିକଙ୍କ ସହ ଭାବର ଆଦାନ-ପ୍ରଦାନ କରିହେବା ସହ ସେମାନଙ୍କ ସୃଷ୍ଟିକୁ ପଢିପାରିବାର ସୁଯୋଗ ସୃଷ୍ଟି ହୋଇଛି, ନିଜ କଲମ-କଳାର ସମ୍ପ୍ରସାରଣ ହେବା ସହ ଉପଯୁକ୍ତ ପାଠକବର୍ଗଙ୍କ ପାଖରେ ପହଞ୍ଚିବାର ରାସ୍ତା ପ୍ରଶସ୍ତ ହୋଇଛି। ଅବଶ୍ୟ ଏହାର କିଛିଟା ବିଯୁକ୍ତାତ୍ମକ ପ୍ରଭାବ ମଧ୍ୟ ଅଛି । ତେବେ ଚାଲି ଜାଣିଲେ ବାଟର ଦୋଷ ଦେବା ସମସ୍ୟା ଉପୁଜିବ ନାହିଁ ।।

ଯଦି ପାଠକ ନକରାତ୍ମକ ମତ ରଖନ୍ତି ଆପଣଙ୍କ ପ୍ରତିକ୍ରିୟା କ’ଣ ହେବ?

ଗଳ୍ପ କିମ୍ବା କବିତା ପ୍ରକାଶିତ ହେଲା ମାତ୍ରେ ପାଠକାର୍ପିତ ହୋଇଯାଏ । ପାଠକମାନେ ହିଁ ଲେଖକଙ୍କୁ ଲେଖକ କରନ୍ତି । ତେବେ ମୋ ସୃଷ୍ଟି ଯେ ସମସ୍ତଙ୍କୁ ଭଲଲାଗିବ ତାହା ଜରୁରୀ ନୁହେଁ, କିଛି ନକରାତ୍ମକ ମତର ସାମ୍ନା ତ ଥୟ (ଅବଶ୍ୟ ଏ ନକରାତ୍ମକ ମତାମତ ଉଦ୍ଦେଶ୍ୟପ୍ରଣୋଦିତ କିମ୍ବା ବାସ୍ତବ ତାହା ଅଲଗା ଆଲୋଚନାର ଅନ୍ତର୍ଭୁକ୍ତ) । କିନ୍ତୁ ଯେହେତୁ ପାଠକବର୍ଗ ଲେଖକ ଲାଗି ଈଶ୍ୱର ସମାନ ସେଥିଲାଗି ସେସବୁକୁ ସ୍ୱାଗତ କରିବା ସହ ତା’ ଉପରେ ଗଭୀର ଅନୁଶୀଳନର ଆବଶ୍ୟକତା ରହିଛି ।ଉଦ୍ଦେଶ୍ୟ ପ୍ରଣୋଦିତ ମତକୁ ଭଦ୍ରତାର ସହ ଏଡେଇ ଯାଇ ସ୍ୱଛ ତଥା ସତ୍ୟ ମତ ଉପରେ ନିଶ୍ଚୟ କାମ କରାଯାଇପାରେ । ଏମିତିକା ଘଟଣା ସହ ଲେଖକର ଅନେକଥର ଭେଟ ହେବ ହିଁ ହେବ , ଯାହା ସାହିତ୍ୟର ନୂଆ ଦିଗ ଆବିଷ୍କାର କରିବାକୁ ଖୋରାକ୍ ଯୋଗେଇବ ।

ସାହିତ୍ୟକୁ ନେଇ ଭବିଷ୍ୟତ ପାଇଁ ଆପଣ କି ସ୍ୱପ୍ନ ଦେଖନ୍ତି?

ସ୍ୱପ୍ନ ତ ଅନେକ। ସାହିତ୍ୟ ଘରେ ଘରେ ପହଞ୍ଚୁ, ସାଧାରଣରୁ ସାଧାରଣ ଲୋକଙ୍କ ଲାଗି ସହଜରେ ଉପଲବ୍ଧ ହେଉ, ଯେମିତି ସଭିଏଁ ଚଳଚ୍ଚିତ୍ର ତଥା ଚଳଚ୍ଚିତ୍ରର ଗୀତ ଲାଗି ଆଖି ବିଛେଇ ବସୁଛନ୍ତି ଠିକ୍ ସେମିତିକା ଅପେକ୍ଷାଟେ ସାହିତ୍ୟ ଲାଗି ବି ଉପୁଜୁ । ଆମ ଓଡ଼ିଆ ସାହିତ୍ୟ ଅଧିକରୁ ଅଧିକ ଅନ୍ୟ ଭାଷାରେ ଅନୂଦିତ ହୋଇ ଲୋକପ୍ରିୟତା ହାସିଲ କରୁ । ସବୁଠୁ ବଡ କଥା ସାହିତ୍ୟ କେବଳ ସାହିତ୍ୟ ହିଁ ହେଉ ଗୋଷ୍ଠୀବାଦ ଓ ପକ୍ଷପାତିତାରୁ ମୁକ୍ତି ପାଉ ସତରେ କେବେ ଏମିତି ହେବ କି !

ପୁରସ୍କାର ଓ ପରିଚିତି ଜଣେ ସାହିତ୍ୟିକଙ୍କୁ କିପରି ପ୍ରୋତ୍ସାହିତ କରେ ?

ପୁରସ୍କାର ଓ ପରିଚିତି ଜଣେ ସାହିତ୍ୟିକକୁ ଭିଡରୁ ହଟେଇ ଏକ ସ୍ୱତନ୍ତ୍ର ସ୍ଥାନ ପ୍ରଦାନ କରେ , ତେବେ ଏଇଠି କଥା ଉଠେ “ପୁରସ୍କାର ହାତରେ ଧରି ସାହିତ୍ୟିକ ଜଣକ ଖୁସି ନା ସାହିତ୍ୟିକଙ୍କ ହାତକୁ ଆସି ପୁରସ୍କାରର ମାନ ବୃଦ୍ଧି ହୋଇଛି ” । ଏହା ଗଭୀର ଅନୁଶୀଳନର ବିଷୟ । ଏପରି ଏକ ସମୟ ଯେଉଁଠି ପୁରସ୍କାର ପ୍ରଶ୍ନବାଚୀ ସେଠି ଲେଖକ ନିଜକୁ ନିଜେ ତଉଲିବାର ଆବଶ୍ୟକତା ରହିଛି, କାରଣ ଭାଗ୍ୟ କିମ୍ବା ଅନ୍ୟ କିଛି ମାଧ୍ୟମରୁ ପୁରସ୍କାର ମିଳିବା ନୂଆ କଥା ନୁହେଁ, କିନ୍ତୁ ଦକ୍ଷତା ନଥିଲେ ସେସବୁ ସମ୍ଭାଳି ରଖିବା ମୁସ୍କିଲ୍ । ମୋ ଲାଗି ସାଧାରଣ ସ୍ୱଚ୍ଛ ପାଠକଙ୍କ ସ୍ଵୀକୃତି ହିଁ ଲେଖକଙ୍କ ଲାଗି ଶ୍ରେଷ୍ଠ ପୁରସ୍କାର -ଅମୂଲ୍ୟ ସମ୍ମାନ ।

ଜଣେ ସଫଳ ଲେଖକ( ଲେଖିକା) କେମିତି ହୋଇ ପାରିବ ?

ସଫଳ ଲେଖକର ପ୍ରକୃତ ସଂଜ୍ଞା କ’ଣ , ଏହା ଆପେକ୍ଷିକ । ରୀତିମତ -ଅନବରତ ସାଧନା ଦ୍ୱାରା ଜ୍ଞାନର ପରିସୀମା ବୃଦ୍ଧି କରିବା ସହ ନିଜ ଆତ୍ମାର ଓଁକାର ସହ ଯୋଡି ହେଲେ ହିଁ ସାହିତ୍ୟ ସାଗରରୁ ଶଙ୍ଖେ ପ୍ରାପ୍ତ ହୁଏ । ସାହିତ୍ୟ ଏକ ତପସ୍ୟା ଓ ମା’ ସରସ୍ୱତୀଙ୍କ ଆଶୀର୍ବାଦ ବିନା ତ ଶବ୍ଦଟେ ମଧ୍ୟ କଲମମୁନରେ ଧରାଦିଏ ନାହିଁ, ଏହା ଏକ ଗାଢ ଅନୁଭବ ।

ସମସାମୟିକ ଲେଖକଙ୍କୁ କି ବାର୍ତ୍ତା ଦେବେ ?

ସମସାମୟିକ ଲେଖକଙ୍କୁ କି ବାର୍ତ୍ତା ଦେଇପାରିବି , ମୁଁ ତ ନିଜେ ଶିଖିବା ଧାରାରେ ହିଁ ଅଛି । ସ୍ରଷ୍ଟା ନିଜ ଆତ୍ମାର ଡାକରାକୁ ଶୁଣନ୍ତୁ ଓ ନିଜେ ଭୋଗିଥିବା ଅନୁଭବିଥିବା ସାମ୍ନା କରିଥିବା ଭାବ ସହ ଯୋଡି ହୁଅନ୍ତୁ । ପଢିବା ସହ ଶିଖନ୍ତୁ ହେଲେ ନିଜ କଲମରେ ନିଜ ପରି ଲେଖି ଅଲଗା ପରିଚୟ ସୃଷ୍ଟି କରନ୍ତୁ । ଏହା ହିଁ ସାହିତ୍ୟ ପ୍ରତି ଅନୁରାଗ-ନିଷ୍ଠା-ସ୍ୱଚ୍ଛତା ତଥା ପ୍ରଗାଢ ବିଶ୍ୱାସକୁ ଦର୍ଶେଇବା ସହ ସାହିତ୍ୟ ଭଣ୍ଡାରକୁ ସମୃଦ୍ଧ କରିବ ।

Leave A Reply

Your email address will not be published.