Latest Odisha News

BREAKING NEWS

ପାକିସ୍ତାନ ନୂଆ ସେନାମୁଖ୍ୟଙ୍କ ମୁଣ୍ଡ ବିନ୍ଧାର କାରଣ ଭାରତ ନୁହେଁ ଇମ୍ରାନ ଖାନ୍

ଇସଲାମବାଦ: ପାକିସ୍ତାନରେ ଏବେ ରାଜନୈତିକ ଅସ୍ଥିରତା ଲାଗି ରହିଛି । ଗୋଟିଏ ପଟେ ସରକାର ଏବଂ ବିରୋଧୀଙ୍କ ମଧ୍ୟରେ ଲଢ଼େଇ ଚାଲିଥିବା ବେଳେ ଅନ୍ୟପଟେ ପାକିସ୍ତାନୀ ସୀମାକୁ ନିଜ ଅଂଚଳ କହି ପଶିଆସୁଛି ତାଲିବାନ ।  ସିନ୍ଧ୍, ବାଲୁଚିସ୍ତାନରେ ସେନା, ସରକାର ବିରୋଧୀ ଲଢ଼େଇ ଲାଗିରହିଛି । ସେପଟେ  ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସହ ତାଙ୍କ ଦଳ  ରାସ୍ତାରେ ସରକାର ବିରୋଧରେ ଆନ୍ଦୋଳନ ଚଳାଇଛନ୍ତି । ଏହାରି ଭିତରେ ପାକିସ୍ତାନ ସେନା ଏହାର ନୂତନ ମୁଖ୍ୟ ପାଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ଜେନେରାଲ ଅସୀମ ମୁନିର୍ ଙ୍କୁ ସେନା ମୁଖ୍ୟଭାବେ ଦାୟିତ୍ବ ଦେଇଛନ୍ତି ।  ଆଗାମୀ 29 ତାରିଖରେ ସେନାମୁଖ୍ୟ କମର ଜାଭେଦ ବାଜଓ୍ବା ଅବସର ନେବା ପରେ ମୁନିର ଦାୟିତ୍ବ ଗ୍ରହଣ କରିବେ ।  ପାକିସ୍ତାନର ସେନାମୁଖ୍ୟ ଦାୟିତ୍ବ ନେଇ ମୁନିର ଖୁସିହେବା କଥା । କିନ୍ତୁ ତାଙ୍କ ଆଗରେ ବଡ଼ ଚ୍ୟାଲେଂଜ ହେଉଛନ୍ତି ଇମ୍ରାନ ଖାନ ।  ପାକିସ୍ତାନ ସେନାମୁଖ୍ୟଙ୍କ ସମ୍ମୁଖରେ ଭାରତ ସଦାବେଳେ ଚିନ୍ତାର କାରଣ ଥିବା ବେଳେ ଏବେ ଭାରତ ଅପେକ୍ଷା ଇମ୍ରାନଙ୍କୁ ବାଟରୁ ହଟାଇବା ହୋଇଛି ପାକିସ୍ତାନ ସେନାମୁଖ୍ୟଙ୍କ ପାଇଁ ମୁଖ୍ୟ ପ୍ରସଙ୍ଗ ।

ଇମ୍ରାନ ବନାମ ସେନା

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ 2018ରେ ମେଂଟ ସରକାର ଗଢ଼ିଥିଲେ । ତେବେ ମେଂଟରୁ ସହଯୋଗୀ ଦଳ ଓହରିଯିବାରୁ ତାଙ୍କ ସରକାର ଭାଙ୍ଗିଯାଇଛି । ଏବେ ସେ ବିରୋଧୀ ଦଳ ନେତା । ତେବେ ତାଙ୍କୁ ଯେପରି ପ୍ରଧାନମନ୍ତ୍ରୀ ପଦରୁ ବେଦଖଲ କରାଗଲା ତାକୁ ନେଇ ଇମ୍ରାନ ସେନାଙ୍କୁ ଦାୟୀ କରୁଛନ୍ତି । ସେନା ତାଙ୍କ ସରକାରଙ୍କୁ ଭାଙ୍ଗିବା ସହ ତାଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରୁଥିବା ସେ ମଧ୍ୟ ଅଭିଯୋଗ ଅନେକ ଥର ଆଣିଛନ୍ତି । ଇମ୍ରାନ ଚାହୁଁଛନ୍ତି ପ୍ରଥମେ ନିର୍ବାଚନ ହେଉ ପରେ ସେନାମୁଖ୍ୟଙ୍କୁ ନିଯୁକ୍ତି ଦିଆଯିବ । ଏଭଳି ସମୟରେ ବାଜଓ୍ବାଙ୍କ ଚାକିରିକୁ କିଛି ଦିନପାଇଁ ବଢ଼ାଇ ଦିଆଯାଉ । ଇମ୍ରାନଙ୍କର ଏଭଳି ଦାବିକୁ କିନ୍ତୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ଗ୍ରହଣ କରିନାହାଁନ୍ତି । ମୁନିରଙ୍କୁ ସେନା ମୁଖ୍ୟ କରିବା ପାଇଁ ଶାହାବାଜ ରାଷ୍ଟ୍ରପତିଙ୍କ ନିକଟକୁ ନାମ ପଠାଇବା ପରେ ରାଷ୍ଟ୍ରପତି ଏଥିରେ ମୋହର ମାରିବାକୁ ବାଧ୍ୟ ଥିଲେ । ତେବେ ଏଭଳି ନିଯୁକ୍ତିକୁ ଗ୍ରହଣ କରିବାକୁ ଚାହୁଁନାହାଁନ୍ତି ଇମ୍ରାନ ଖାନ । ଯଦି 2023 ନିର୍ବାଚନରେ ପୁଣି ଇମ୍ରାନଙ୍କୁ ସରକାର ଗଠନ କରିବା ପାଇଁ ଭୋଟ ମିଳେ ମୁନିର ହିଁ ତାଙ୍କର ନିଷ୍ପତ୍ତି ଉପରେ ହସ୍ତକ୍ଷେପ କରିପାରନ୍ତି ବୋଲି ରାଜନୀତି ସମୀକ୍ଷକ ଆଲୋଚନା କରୁଛନ୍ତି ।

ଇମ୍ରାନ ଖାନଙ୍କ ଘୋର ବିରୋଧୀ ହେଉଛନ୍ତି ମୁନିର

ପ୍ରଥମ କଥା ହେଲେ ଇମ୍ରାନ ଖାନଙ୍କ ଘୋର ବିରୋଧୀ ହେଉଛନ୍ତି ମୁନିର । ଯାହାକୁ କି ଶାହାବାଜ ସେନାମୁଖ୍ୟ ଭାବେ ନିଯୁକ୍ତି ଦେଇଛନ୍ତି । ଇମ୍ରାନ ଖାନ ଏହି ନିଯୁକ୍ତିକୁ ନେଇ ଅସନ୍ତୁଷ୍ଟ ଅଛନ୍ତି । ସରକାର ଯିବା ପରେ ପ୍ରତ୍ୟେକ ରାଲିରେ ସେ ଖୋଲାଖୋଲି ସେନାକୁ ଟାର୍ଗେଟ କରୁଛନ୍ତି । ପ୍ରଥମେ  ଜେନେରାଲ ବାଜୱା ଇମ୍ରାନ ଖାନ ସରକାର ବଂଚାଇବା ପାଇଁ ଯାହା ଚାହୁଁଥିଲେ ତାହା  ସମର୍ଥନ କରିନଥିଲେ । ଯାହା ଫଳରେ ଇମ୍ରାନ ଖାନଙ୍କ ସରକାର ଭାଙ୍ଗିଯାଇଥିଲା । ଏବେ ଇମ୍ରାନ ଭୟ କରୁଛନ୍ତି ଯେ ଆଗାମୀ ସମୟରେ ସେନା ତାଙ୍କୁ ବଦନାମ କରିବା ସହ ତାଙ୍କ ସମର୍ଥକଙ୍କୁ ବଦନାମ କରି ଜେଲ ଭିତରେ ରଖିପାରେ । କାରଣ ପାକିସ୍ତାନ ରାଜନୀତିରେ ସେନାର ବଡ଼ ଭୂମିକା ସଦାବେଳେ ଥାଏ ।

ପାକିସ୍ତାନରେ 13 ଅଗଷ୍ଟ 2023ରେ ଏହି ସରକାର ଅବଧି ଶେଷ ହେବ । ଏହାର ପରବର୍ତି 60 ଦିନରୁ 90 ଦିନରେ ସାଧାରଣ ନିର୍ବାଚନ ହେବ । ଏହା ପୂର୍ବରୁ ଇମ୍ରାନଙ୍କ ପିଟିଆଇ ଦଳ ଚାହୁଁଛି ନିର୍ବାଚନ କରିବାକୁ । ତେବେ ଶାହାବାଜଙ୍କ ପିଏମଏଲ ଦଳ ଏହାକୁ ବିରୋଧ କରୁଛି । ସମୟ ପୂର୍ବରୁ ନିର୍ବାଚନ କରିବାକୁ ସେନା ମଧ୍ୟ ଇମ୍ରାନଙ୍କୁ ସମର୍ଥନ କରିନଥିଲା ।  ଯାହା ଫଳରେ ଶାହାବାଜ ମେଂଟ ସରକାର ଗଠନ କରିଛନ୍ତି । ଏଥିପାଇଁ ଏବେ କିଛି ଦିନ ଧରି ସେନାକୁ  ସବୁ ଦୋଷ ଦେଉଛନ୍ତି ଇମ୍ରାନ ଖାନ ।

ମୁନିରଙ୍କୁ ହଟାଇଥିଲେ ଇମ୍ରାନ

ମୁନିରଙ୍କ ସହ ଇମ୍ରାନଙ୍କର ସଂପର୍କ ପୂର୍ବରୁ ମଧ୍ୟ ଖରାପ ରହିଛି ।   ସେଥିପାଇଁ ଇମ୍ରାନ ଖାନ 2019 ରେ ତାଙ୍କୁ ଆଇଏସଆଇ ମୁଖ୍ୟ ପଦରୁ ହଟାଇ ଦେଇଥିଲେ। କାରଣ ଅସୀମ ମୁନିରଙ୍କର  ଜେନେରାଲ ବାଜୱାଙ୍କ ପ୍ରତି ଅଧିକ ବିଶ୍ବସ୍ତ ଥିଲେ । ଇମ୍ରାନ ଖାନଙ୍କ ଅନୁଯାୟୀ ସେ କାର୍ଯ୍ୟ କରୁନଥିଲେ । ସେ ବାଜଓ୍ବାଙ୍କ ନିଷ୍ପତ୍ତି ଅନୁସାରେ କାର୍ଯ୍ୟ କରିବେ ବୋଲି ସିଧା କହିଥିଲେ । ଯାହା ଫଳରେ ଏହି ଅଧିକାରୀଙ୍କୁ ହଟାଇବାକୁ ଇମ୍ରାନ ଖାନ ବାଜଓ୍ବାଙ୍କୁ ଚାପ ପକାଇଥିଲେ ।  ମୁନିର ବାଜୱାଙ୍କର ସଂପର୍କ ବହୁ ପୁରୁଣା ।  ବାଜୱା ମୁନିରଙ୍କୁ ଇଣ୍ଟେଲିଜେନ୍ସର ମୁଖ୍ୟ ଭାବରେ ନିଯୁକ୍ତ କରିଥିଲେ ଏବଂ ପରେ ତାଙ୍କୁ ଆଇଏସଆଇ ମୁଖ୍ୟ ଭାବରେ ପଦୋନ୍ନତି ଦେଇଥିଲେ ।

ସେନା ରାଜନୀତିରେ ହସ୍ତକ୍ଷେପ କରୁଥିବା ଇମ୍ରାନଙ୍କ ଅଭିଯୋଗ

ରାଲିରେ  ଇମ୍ରାନଙ୍କ ସମର୍ଥକମାନେ କେବଳ ସେନାଙ୍କୁ ଟାର୍ଗେଟ କରୁନାହାଁନ୍ତି ।  ବାଜୱାଙ୍କ ଦୁର୍ନୀତି ଏବଂ ସମ୍ପତ୍ତି ବିଷୟରେ ଗୁପ୍ତ ତଥ୍ୟ ଲିକ୍ କରିଥିବା ଅଭିଯୋଗ ରହିଛି ।  ଆଗାମୀ ସମୟରେ ବାଜୱାଙ୍କ ସମ୍ପତ୍ତିକୁ ନେଇ ଇମ୍ରାନ ଖାନ ତାଙ୍କୁ ଅଧିକ ଟାର୍ଗେଟ ବି କରିପାରନ୍ତି ।  ରାଜନୀତିରେ ହସ୍ତକ୍ଷେପ କରିବାକୁ ପୂର୍ବରୁ ମନା କରିଥିବା ବାଜଓ୍ବାଙ୍କୁ ସମର୍ଥନ କରୁଛନ୍ତି ମୁନିର । ସେ ମଧ୍ୟ ତାଙ୍କ କାମ ଅଲଗା ଏବଂ ରାଜନୀତିରେ ତାଙ୍କର କିଛି ହସ୍ତକ୍ଷେପ ରହିବ ନାହିଁ ବୋଲି କହିଛନ୍ତି । ପାକିସ୍ତାନୀ ସେନାର ଭାବମୂର୍ତ୍ତିକୁ ନେଇ ଏବେ ଖାଲି ଇମ୍ରାନ ନୁହଁନ୍ତି ଇମ୍ରାନଙ୍କ ଦଳ ପିଟାଇର ଲକ୍ଷ ଲକ୍ଷ ସମର୍ଥକ ରାସ୍ତାରେ ବୟାନବାଜି କରୁଛନ୍ତି । ଇମ୍ରାନଙ୍କ ଅଭିଯୋଗ ହେଉଛି ପାକିସ୍ତାନ ସେନା ରାଜନୀତିରେ ହସ୍ତକ୍ଷେପ କରି ତାଙ୍କୁ ଶାସନରୁ ହଟାଇଛି । ବିଦେଶୀ ଶକ୍ତି ବିଶେଷ କରି ଆମେରିକା ମଧ୍ୟ ଏହି ଷଡ଼ଯନ୍ତ୍ରରେ ସାମିଲ ରହିଛି ।

 ତେବେ ଏହି ସବୁ ଅଭିଯୋଗକୁ ସେନା ମିଥ୍ୟା କହିବା ସହ ଏପରି କିଛି ହୋଇନଥିବା ରୋକଠୋକ କହିଛି । ପାକିସ୍ତାନରେ ଏବେ ସେନାମୁଖ୍ୟଙ୍କ ଆଗରେ ବଡ଼ ଚିନ୍ତାର କାରଣ ଭାରତ ନୁହେଁ କି ମୋଦି ନୁହଁନ୍ତି  ଚିନ୍ତାର କାରଣ ଇମ୍ରାନ ଖାନ । ପୁଲଓ୍ବାମା ଆକ୍ରମଣ ବେଳେ ମୁନିର ଆଇଏସଆଇ ମୁଖ୍ୟ ଥିଲେ । ତାଙ୍କ ସମର୍ଥନରେ ଆକ୍ରମଣ ହୋଇଥିବା ଅଭିଯୋଗ ଥିଲା  । ସେହି ସମୟରେ ଅଭିନନ୍ଦନ ବର୍ଧମାନଙ୍କୁ ପାକିସ୍ତାନ ସୁରକ୍ଷାବାହିନୀ ଗିରଫ କରିଥିଲା ।  ତେବେ ମୁନିରଙ୍କୁ ଭାରତ ଗୁଇନ୍ଦା ସଂସ୍ଥା ‘ ର’ ମୁଖ୍ୟ ଅନୀଲ ଘସମାନା ସିଧା କହିଥିଲେ ପାକିସ୍ତାନ ଉପରେ ମିଶାଇଲ ଆକ୍ରମଣ କରିବ ଭାରତ । ଯାହାଫଳରେ ମୁନିର ବାଜଓ୍ବାଙ୍କୁ ଜଣାଇଥିଲେ । କିଛି ସମୟ ଭିତରେ ଇମ୍ରାନ ବର୍ଧମାନଙ୍କୁ ଛାଡିବାକୁ ଘୋଷଣା କରିଥିଲେ । ତେବେ ମୁନିରଙ୍କ ପାଇଁ ଏବେ ଭାରତ ବିରୋଧରେ ଲଢ଼େଇ ଅପେକ୍ଷା ଇମ୍ରାନଙ୍କୁ କିଭଳି ସାମନା କରିବେ ବଡ଼ ଚିନ୍ତା ରହିଛି । ଇମ୍ରାନ ଖାନ ରାସ୍ତାରେ ଆନ୍ଦୋଳନ କରୁଥିବାରୁ ସେନା ମୁଖ୍ୟଙ୍କୁ ନିଦ ହେବ ନାହିଁ । ରାଜନୀତି ସମୀକ୍ଷକଙ୍କ ମତରେ ଇମ୍ରାନ ଏବେ ମୁନିରଙ୍କ ପାଇଁ ମୁଣ୍ଡବ୍ୟଥା ସାଜିଛନ୍ତି । ସେନା ମୁଖ୍ୟ ହିସାବରେ ତାଙ୍କର ଏହି କାର୍ଯ୍ୟକାଳ ଏତେ ସହଜ ହେବ ନାହିଁ ବୋଲି ଅନ୍ତର୍ଜାତୀୟ ଗଣମାଧ୍ୟମରେ ଆଲୋଚନା ହେଉଛି ।

Leave A Reply

Your email address will not be published.